Home General ୩କୋଟି ଟପିଲେଣି ଟଙ୍କିକିଆ ଚାଉଳ ହିତାଧିକାରୀ

୩କୋଟି ଟପିଲେଣି ଟଙ୍କିକିଆ ଚାଉଳ ହିତାଧିକାରୀ

ଭୁବନେଶ୍ୱର : ଦରିଦ୍ର‌ ସୀମାରେଖା ତଳେ (ବିପିଏଲ୍‍) ଥିବା ପରିବାର ପାଇଁ ୨୦୧୩ ମସିହାରେ ଟଙ୍କିକିଆ ଚାଉଳ ଯୋଜନା ଆରମ୍ଭ ହୋଇଥିଲା । ସେତେବେଳେ ରାଜ୍ୟରେ ୫୦ଲକ୍ଷରୁ କମ୍‍ ହିତାଧିକାରୀ ଏହି ଯୋଜନାରେ ସାମିଲ ଥିଲେ । ବର୍ତ୍ତମାନ ଟଙ୍କିକିଆ ଚାଉଳ ଯୋଜନାରେ ଥିବା ହିତାଧିକାରୀଙ୍କ ସଂଖ୍ୟା ୩କୋଟି ୩୫ଲକ୍ଷକୁ ଟପିଯାଇଛି ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବିଧାନସଭାରେ ଏହି ସୂଚନା ଦେଇଚନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୩ ଫେବୃୟାରୀ ଏକ ତାରିଖରୁ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା ।

ସେତେବେଳେ ରାଜ୍ୟରେ ୪୯,୪୧,୬୩୫ ବିପିଏଲ୍‍ ହିତାଧିକାରୀ ଏଥିରେ ସାମିଲ ଥିଲେ । ତେବେ ଚଳିତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟରେ ଟଙ୍କିକିଆ ଚାଉଳ ହିତାଧିକାରୀଙ୍କ ସଂଖ୍ୟା ୩କୋଟି ୩୫ଲକ୍ଷକୁ ଟପିଯାଇଛି । ଏମାନଙ୍କ ମଧ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩,୨୪,୩୫୬ ଜଣ ଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୧,୩୬,୬୨୨ ଜଣ ରହିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ୨୦୧୩ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଏକ ନିରନ୍ତର ପ୍ରକ୍ରିୟା । ଜିଲ୍ଲା ସ୍ତରରେ ଥିବା ରାସନ କାର୍ଡ ପରିଚାଳନା କେନ୍ଦ୍ର ଜରିଆରେ କିମ୍ବା ୱେବସାଇଟ୍‍ ମାଧ୍ୟରେ ଆବେଦନ କଲେ ତଦନ୍ତ କରାଯାଇ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଉଛି । (ତଥ୍ୟ)