Home General ୨.୧୦ କୋଟିରେ ପହଞ୍ଚିବ ନିଯୁକ୍ତି ସୁଯୋଗ

୨.୧୦ କୋଟିରେ ପହଞ୍ଚିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧିପାଉଛି କର୍ମନିଯୁକ୍ତିର ସୁଯୋଗ । ଆସନ୍ତା ୨୦୨୬-୨୭ ବେଳେକୁ ରାଜ୍ୟରେ ଏହି ସଂଖ୍ୟା ୨.୧୦ କୋଟିରେ ପହଞ୍ଚିବ ।

ଭାରତ ସରକାରଙ୍କ ନୀତି ଆୟୋଗ ଅଧିନରେ ଥିବା ସ୍ୱୟଂଶାସିତ ସଂସ୍ଥା ଶ୍ରମିକ ଅର୍ଥନୀତି ଗବେଷଣା ଏବଂ ବିକାଶ (ଏନ୍‍ଆଇଏଲ୍‍ଇଆରଡି) ପକ୍ଷରୁ ହୋଇଥିବା ଅଧ୍ୟୟନରୁ ଏହି ସୂଚନା ମିଳିଛି । ତଦନୁଯାୟୀ ୨୦୧୧-୧୨ ରେ ରାଜ୍ୟରେ ୧.୭୫ କୋଟି ନିଯୁକ୍ତି ଆବଶ୍ୟକତା ଥିବାବେଳେ ୨୦୨୬-୨୭ ବେଳକୁ ତାହା ୨.୧୦ କୋଟିକୁ ବୃଦ୍ଧି ପାଇବ । ଏଥି ମଧ୍ୟରେ କୃଷି କ୍ଷେତ୍ରରେ ନିଯୁକ୍ତି ସଂଖ୍ୟା କିନ୍ତୁ ୨୦୧୧-୧୨ ତୁଳନାରେ ୨୦୨୬-୨୭ ବେଳକୁ ହ୍ରାସ ପାଇବ ।

୨୦୧୧-୧୨ରେ ଏହା ୯୫.୫ ଲକ୍ଷ ଥିବାବେଳେ ୨୦୨୬-୨୭ରେ ତାହା ୮୯.୬ଲକ୍ଷକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । ଅନ୍ୟ ପକ୍ଷରେ ଶିଳ୍ପ ଏବଂ ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ବଢିବାର ସୂଚନା ମିଳିଛି । ୨୦୨୬-୨୭ ବେଳକୁ ଏହି ଦୁଇ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଯଥାକ୍ରମେ ୬୯.୩ଲକ୍ଷ ଏବଂ ୫୧.୮୧ ଲକ୍ଷକୁ ବୃଦ୍ଧିପାଇବ ।

ତେବେ ନିର୍ମାଣ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସର୍ବାଧିକ ବୃଦ୍ଧି ପାଇବ । ୨୦୨୬-୨୭ ବେଳକୁ ଏହି କ୍ଷେତ୍ରରେ ୪୩.୭ଲକ୍ଷ ନିଯୁକ୍ତି ଆବଶ୍ୟକ ହେବ ବୋଲି ଆକଳନ କରାଯାଇଛି । ସେହିଭଳି ସେବା କ୍ଷେତ୍ର ମଧ୍ୟରେ ବ୍ୟବସାୟ, ହୋଟେଲ ଏବଂ ରେଷ୍ଟୁରାଣ୍ଟ, ପରିବହନ, ଗୋଦାମ ଏବଂ ଯୋଗାଯୋଗ ସହିତ ଅନ୍ୟ ସେବା କ୍ଷେତ୍ର ଯଥା ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦିରେ ବି ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ଏଭଳି ସ୍ଥିତିରେ ୨୦୨୬-୨୭ ବେକଳୁ ୨୧୫.୫ଲକ୍ଷ ମାନବସମ୍ବଳର ଆବଶ୍ୟକ ପଡିବ । ଏହା ହାରାହାରି ୪୦.୬ ଲକ୍ଷ ଭାବେ ବଢିବ ।

ଏହି ଅଧ୍ୟୟନରୁ ଜଣାଯାଇଛି ଯେ ରାଜ୍ୟରେ ପ୍ରତିବର୍ଷ ପ୍ରାୟ ୦.୪୫ ନିୟୁତ ଲୋକ ଶ୍ରମଶକ୍ତିରେ ସାମିଲ ହେବେ । ୨୦୨୬-୨୭ ସୁଦ୍ଧା କୁଶଳୀ ନିଯୁକ୍ତି କ୍ଷେତ୍ର ୧୩ ନିୟୁତ ଛୁଇଁବାର ଆକଳନ ହୋଇଥିବାବେଳେ ପ୍ରାୟ ୧୧ ନିଯୁକ୍ତ କୁଶଳୀ ଶ୍ରମିକଙ୍କ ଅଭାବ ପରିଲକ୍ଷିତ ହେବ । ଏହି ସମୟ ବେଳକୁ ୧୫ ରୁ ୫୯ ବର୍ଷ ବୟସର ଶ୍ରମଶକ୍ତି ସଂଖ୍ୟା ୧୯୮.୧ ଲକ୍ଷରେ ପହଞ୍ଚିବାର ଆକଳନ ହୋଇଛି ଯାହାକି ୨୦୧୬-୧୭ରେ ୧୭୬.୩ ଲକ୍ଷ ଥିଲା । ତେଣୁ ୨୦୨୬-୨୭ ବେଳକୁ ଶ୍ରମଶକ୍ତି ଚାହିଦା ତୁଳନାରେ ଯୋଗାଣର ପାର୍ଥକ୍ୟ ୬.୫ ଲକ୍ଷ ରହିବ ।

ଏହି ଅଧ୍ୟୟନ ଆହୁରି ମଧ୍ୟ ଦର୍ଶାଇଛି ଯେ ସମସ୍ତ ବୟସର କୁଶଳୀ ଶ୍ରମିକଙ୍କ ଆବଶ୍ୟକତା ୨୦୧୬-୨୭ ବେଳକୁ ୧୩୧.୩ଲକ୍ଷରେ ପହଞ୍ଚିବ । ସବୁ କ୍ଷେତ୍ର ମଧ୍ୟରେ ଶିଳ୍ପ କ୍ଷେତ୍ରରେ ସର୍ବାଧିକ କୁଶଳୀ ଶ୍ରମିକ ଅର୍ଥାତ୍‍ ୬୧.୫ଲକ୍ଷଙ୍କର ଆବଶ୍ୟକତା ପଡିବାକୁ ଥିବାବେଳେ ସେବା କ୍ଷେତ୍ରରେ ଏହା ୪୬ଲକ୍ଷ ରହିବ ।

କୁଶଳୀ ଶ୍ରମିକଙ୍କ ସର୍ବାଧିକ ପାର୍ଥକ୍ୟ କୃଷି, ଶିଳ୍ପ ଏବଂ ସେବା କ୍ଷେତ୍ରରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେବା କ୍ଷେତ୍ର ମଧ୍ୟରେ ଟ୍ରାଭେଲ ଏବଂ ପର୍ଯ୍ୟଟନ, ଖୁଚୁରା ବ୍ୟବସାୟ, ଆଇସିଟି, ଭିତ୍ତିଭୂମି, ବ୍ୟାଙ୍କିଙ୍ଗ୍‍ ଏବଂ ବୀମା କ୍ଷେତ୍ର ରହିଛି । ଏହାଛଡା ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ର ବି ଅଛି । ଏଥି ସହିତ ୨୦୨୬-୨୭ ବେଳକୁ ଖଣି ଭିତ୍ତିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ, ଟ୍ରାଭେଲ ଏବଂ ପର୍ଯ୍ୟଟନ, ଖୁଚୁରା କ୍ଷେତ୍ର ଏବଂ ଆଇସିଟିରେ କୁଶଳୀ ଶ୍ରମଶକ୍ତିର ପାର୍ଥକ୍ୟ ଯଥାକ୍ରମେ ୦.୯୨, ୦.୪୨, ୦.୨୨, ୫.୬୧, ୩.୦୪, ୩.୮୨ ଲକ୍ଷ ପରିଲକ୍ଷିତ ହେବବୋଲି ଆକଳନ କରାଯାଇଛି । (ତଥ୍ୟ)