Home Education ୨୮ ପ୍ରତିଶତ ଛାତ୍ରଛାତ୍ରୀଙ୍କ ହାତରେ ସ୍ମାର୍ଟଫୋନ୍‍

୨୮ ପ୍ରତିଶତ ଛାତ୍ରଛାତ୍ରୀଙ୍କ ହାତରେ ସ୍ମାର୍ଟଫୋନ୍‍

କରୋନା ମହାମାରୀ ସମୟରେ ଅନ୍‍ଲାଇନ୍‍ ପାଠପଢ଼ା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ରାଜ୍ୟର ମାତ୍ର ୨୮ ପ୍ରତିଶତ ଛାତ୍ରଛାତ୍ରୀଙ୍କ ନିକଟରେ ସ୍ମାର୍ଟଫୋନ୍‍ ରହିଛି । ଆଉ ୫୨ ପ୍ରତିଶତ ପିଲାଙ୍କ ନିକଟରେ ଫୋନ୍‍ ଥିଲେ ବି ସେଥିରେ ସ୍ମାର୍ଟ ସୁବିଧା ନାହିଁ ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ସ୍ମାର୍ଟଫୋନ୍‍ ରହୁଥିବା ପିଲାମାନଙ୍କୁ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମରେ ସାମିଲ କରାଯିବା ସହିତ ସେମାନଙ୍କ ସହପାଠୀମାନଙ୍କୁ ଏଥିରେ ସାମିଲ ଲାଗି ଉତ୍ସାହିତ କରାଯାଉଛି । ଯେଉଁ ପିଲାମାନଙ୍କ ନିକଟରେ ସ୍ମାର୍ଟଫୋନ୍‍ ରହିଛି ସେମାନେ ସିଧାସଳଖ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଯୋଡ଼ିହୋଇ ଅନ୍‍ଲାଇନ୍‍ରେ ପାଠ ପଢ଼ୁଛନ୍ତି । ଏପରିକି ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିବା ଲାଗି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ପାରୁଛନ୍ତି ।

ତେବେ ଯେଉଁ ପିଲାମାନଙ୍କର ସ୍ମାର୍ଟଫୋନ୍‍ ନାହିଁ ସେମାନେ ଫିଚର୍‍ ଫୋନ୍‍ରେ କାମ ଚଳାଇ ନେଉଛନ୍ତି । ଏହି ଛାତ୍ରଛାତ୍ରୀଙ୍କୁ ଟେଲିଫୋନ୍‍ କରି ଶିକ୍ଷକ ଶିକ୍ଷୟିତ୍ରୀମାନେ ପାଠପଢ଼ା ସଂକ୍ରାନ୍ତରେ ବୁଝାଉଛନ୍ତି । ବର୍ତ୍ତମାନ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦୈନିକ ଦୁଇଘଣ୍ଟା ଟେଲିଭିଜନ୍‍ ମାଧ୍ୟମରେ ପାଠ ପଢ଼ାଯାଉଥିବା ବେଳେ ଚଳିତ ମାସରେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦୈନିକ ଏକଘଣ୍ଟା ପଢ଼ାଯାଉଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଚଳିତ ମାସ ୨୮ ତାରିଖରୁ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ରେଡ଼ିଓ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ ହୋଇଛି ।

ଛାତ୍ରଛାତ୍ରୀଙ୍କ ନିକଟରେ ସ୍ମାର୍ଟଫୋନ୍‍ ଓ ଫିଚର୍‍ ଫୋନ୍‍ ଥିଲେ ବି ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‍ ଓ ବିଜୁଳି ସୁବିଧା ନ ଥିବା ଯୋଗୁ ପାଠପଢ଼ା ଗୁରୁତର ବାଧାପ୍ରାପ୍ତ ହେଉଛି । ବିଶେଷକରି ସ୍ମାର୍ଟଫୋନ୍‍ରେ ଅନ୍‍ଲାଇନ୍‍ କ୍ଲାସ୍‍ ଲାଗି ବେଗଗାମୀ ଇଣ୍ଟରନେଟ୍‍ର ଆବଶ୍ୟକତା ଥିବା ବେଳେ ଗାଁ ଗହଳିରେ ତାହା ଉପଲବ୍ଧ ହେଉନହିଁ । ଫଳରେ କେତେକ ସ୍ଥାନରେ ଛାତ୍ରଛାତ୍ରୀମାନେ ପାହାଡ଼ ଓ ପାଣିଟାଙ୍ଗି ଉପରେ ମୋବାଇଲ୍‍ ଧରି ପାଠ ପଢ଼ୁଥିବା ଦେଖିବାକୁ ମିଳୁଛି ।

ଟିଭି ମାଧ୍ୟମରେ ପାଠପଢ଼ା କ୍ଷେତ୍ରରେ ବି ଅନୁରୂପ ଅବସ୍ଥା । ଗାଁ ଗହଳିରେ ବର୍ଷାଦିନରେ ଘନ ଘନ ବିଜୁଳିକାଟ ଯୋଗୁ ଛାତ୍ରଛାତ୍ରୀମାନେ ଚାହିଁଲେ ଟିଭି ପରଦାରୁ ପାଠ ପଢ଼ି ପାରୁନାହାନ୍ତି । ଏଭଳି ସ୍ଥିତିରେ ରେଡ଼ିଓ ମାଧ୍ୟମରେ ଶିକ୍ଷାଦାନ କେତେକଦୂର ଫଳପ୍ରଦ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର । ତେବେ ରାଜ୍ୟରେ କରୋନା ପ୍ରବେଶ କରିବାର ୬ ମାସ ପୂରିଥିବା ଓ ପ୍ରାୟ ୪ ମାସ ହେଲା ବିଭିନ୍ନ ଶିକ୍ଷାନୁଷ୍ଠାନ ଅନ୍‍ଲାଇନ୍‍ ପାଠପଢ଼ା ଆରମ୍ଭ କରିଥିଲେ ମଧ୍ୟ ସ୍ମାର୍ଟଫୋନ୍‍ ଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୮ ପ୍ରତିଶତରେ ସୀମିତ ରହିବା ଏବେ ଅନ୍‍ଲାଇନ୍‍ ପାଠପଢ଼ା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।