Home Infrastructure ୨୭ ପ୍ରତିଶତ ଘରେ ଟ୍ୟାପ ପାଣି

୨୭ ପ୍ରତିଶତ ଘରେ ଟ୍ୟାପ ପାଣି

ଭୁବନେଶ୍ୱର ଗ୍ରାମାଞ୍ଚଳରେ ୨୭ପ୍ରତିଶତରୁ ଅଧିକ ପରିବାରକୁ ଟ୍ୟାପ୍‍ ଯୋଗେ ପାନୀୟଜଳ ଯୋଗାଯାଇ ପାରିଛି । ୨୦୧୯ରେ ଏହା ୩.୬୩ ପ୍ରତିଶତ ଥିଲା ।

ରାଜ୍ୟର ଗ୍ରାମାଞ୍ଚଳରେ ୮୫ଲକ୍ଷ ୬୬ହଜାର ପରିବାର ଥିବାବେଳେ ଏମାନଙ୍କ ମଧ୍ୟରୁ ୨୩.୨୫ ପ୍ରତିଶତଙ୍କୁ ଟ୍ୟାପ୍‍ ଯୋଗେ ପାନୀୟଜଳ ଯୋଗାଯାଇ ପାରିଛି । ଜଳ ଜୀବନ ମିଶନ ରେ ୨୦୨୧-୨୨ ବର୍ଷ ପାଇଁ ରାଜ୍ୟ ସରକାର ଆଜି କେନ୍ଦ୍ର ନିକଟରେ ଦାଖଲ କରିଥିବା ବାର୍ଷିକ ଆକ୍ସନ ପ୍ଲାନରେ ୨୦୨୪ ସୁଦ୍ଧା ରାଜ୍ୟରେ ଶତପ୍ରତି ଘରକୁ ଟ୍ୟାପ୍‍ ଯୋଗେ ପାନୀୟଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖିଛନ୍ତି ।

୨୦୧୯ ଅଗଷ୍ଟ ୧୫ତାରିଖରେ ଜଳ ଜୀବନ ମିଶନ ଆରମ୍ଭ ହୋଇଥିବାବେଳେ ସେତେବେଳେ ମାତ୍ର ୩.୬୩ ପ୍ରତିଶତ ଲୋକେ ଟ୍ୟାପ୍‍ ଯୋଗେ ପାନୀୟଜଳ ପାଉଥିଲେ । ବର୍ତ୍ତମାନ ଏହା ୨୭.୧୫ ପ୍ରତିଶତରେ ପହଞ୍ଚିଛି । ବିଗତ ଦେଢ ବର୍ଷ ମଧ୍ୟରେ ୨୦.୧୫ ଲକ୍ଷ ଗ୍ରାମୀଣ ପରିବାରକୁ ଟ୍ୟାପ୍‍ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଯାଇ ପାରିଛି । ରାଜ୍ୟର ୨୯୯୬ଟି ଗ୍ରାମର ପ୍ରତ୍ୟେକ ପରିବାର ଟ୍ୟାପ୍‍ ଯୋଗେ ବିଶୁଦ୍ଧ ପାନୀୟଜଳ ପାଇପାରୁଛନ୍ତି । ହର ଘର ଜଳ ଯୋଜନାରେ ୫୭ଟି ପଞ୍ଚାୟତକୁ ଟ୍ୟାପ୍‍ ଯୋଗେ ପାନୀୟଜଳ ଯୋଗାଯାଇଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି ।

୨୦୨୧-୨୨ ବର୍ଷରେ ରାଜ୍ୟ ସରକାର ୨୯,୭୪୯ ବିଦ୍ୟାଳୟ ଏବଂ ୪୩,୭୨୭ ଅଙ୍ଗନବାଡି କେନ୍ଦ୍ରକୁ ଶତ ପ୍ରତିଶତ ଟ୍ୟାପ୍‍ ପାଣି ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି । ଏହିସବୁ ସ୍ଥାନରେ ପାନୀୟଜଳ ସହିତ ମଧ୍ୟାହ୍ନଭୋଜନ ରୋଷେଇ, ହାତଧୁଆ ଓ ଶୌଚାଳୟ କାର୍ଯ୍ୟରେ ଏହା ବ୍ୟବହୃତ ହୋଇପାରିବ । ୨୦୨୩-୨୪ ସୁଦ୍ଧା ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ସମସ୍ତ ପରିବାରକୁ ଟ୍ୟାପ୍‍ ଯୋଗେ ପାନୀଳଜଳ ଯୋଗାଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

ତେଣୁ ରାଜ୍ୟ ସରକାର ତାଲିମକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ଥିବା ୪.୬୪ଲକ୍ଷ ଜଳଉତ୍ସରେ ପାଣିର ମାନ, ସ୍ୱଚ୍ଛତା ଯାଞ୍ଚ ପାଇଁ ମହିଳା ଗୋଷ୍ଠିର ସଦସ୍ୟାଙ୍କୁ ତାଲିମ ପ୍ରଦାନ କରାଯାଉଛି । ଜଳଯୋଗାଣ ତଦାରଖ କ୍ଷେତ୍ରରେ ଏହା ସବୁଠାରୁ ବଡ ବ୍ୟବସ୍ଥା ।

କ୍ଷେତ୍ର ସ୍ତରରେ ଜଳର ମାନ ପରୀକ୍ଷାପାଇଁ ପରୀକ୍ଷା କିଟ୍‍ ପଞ୍ଚାୟତ ସ୍ତରରେ ଯୋଗାଇ ଦିଅଯାଉଛି । ବର୍ଷାଋତୁ ପୂର୍ବରୁ ଓ ପରେ ନିୟମିତ ଭାବେ ଜଳର ମାନ ପରୀକ୍ଷା କରି ଆବଶ୍ୟସ୍ଥଳେ ପଦକ୍ଷେପ ନିଆଯିବ । ଖରାଦିନେ ଓଡିଶାରେ ଜଳାଭାବ ଦେଖାଦେଇଥାଏ । ତେଣୁ ଆବଦ୍ଧ ଜଳର ମାନ ପରୀକ୍ଷା ଓ ନିରାକରଣ ପାଇଁ ଜାତୀୟ କମିଟି ମତ ଦେଇଛନ୍ତି । (ତଥ୍ୟ)