Home Administration ୨୫ରୁ ଛଅ ଦିନିଆ ବଜେଟ୍‍ ଅଧିବେଶନ

୨୫ରୁ ଛଅ ଦିନିଆ ବଜେଟ୍‍ ଅଧିବେଶନ

ଭୁବନେଶ୍ୱର: ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ ମାର୍ଚ୍ଚ ୨୫ ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜାରି ରହିବ । ତଥାପି ୨୦୨୨-୨୩ ବର୍ଷ ପାଇଁ ଏକ ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପିତ ହେବ ନାହିଁ ।

ଏ ସଂକ୍ରାନ୍ତରେ ସୂଚନା ଦେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ନୂତନ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ କାମଚଳା ବଜେଟ୍‍ ଉପସ୍ଥାପନ କରିବେ ।

ମାର୍ଚ୍ଚ ୨୫ ରେ ରାଜ୍ୟପାଳଙ୍କ ଅଭିଭାଷଣ ସହିତ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ ଏବଂ ସେହି ଦିନ ଧନ୍ୟବାଦ ଅର୍ପଣ ପ୍ରସ୍ତାବ ଆଗତ ହେବ । ମାର୍ଚ୍ଚ ୨୬ ଏବଂ ୨୮ ରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ ବୋଲି ସେ ସୂଚନା ଦେଇଛନ୍ତି ।

ମାର୍ଚ୍ଚ ୨୭ ରେ ରବିବାର ଦିନ ସରକାରୀ ଛୁଟି ଯୋଗୁଁ କୌଣସି ବୈଠକ ହେବ ନାହିଁ । ମାର୍ଚ୍ଚ ୨୯ କୁ ସରକାରୀ କାର୍ଯ୍ୟ ଦିବସ ପାଇଁ ସଂରକ୍ଷିତ ରଖାଯାଇଛି ବୋଲି ସେ କହିଛନ୍ତି ।

୨୦୨୨-୨୩ ପାଇଁ ବଜେଟ୍ ଉପରେ ଭୋଟ୍ ମାର୍ଚ୍ଚ ୨୯ ରେ ଉପସ୍ଥାପିତ ହେବ ଏବଂ ସେହି ଦିନ ବଜେଟ୍ ଉପରେ ଆଲୋଚନା କରାଯିବ । ଭୋଟ୍ ଉପରେ ବ୍ୟୟମଞ୍ଜୁରୀ ବିଲ୍ ଶେଷ ଦିନରେ (ମାର୍ଚ୍ଚ ୩୧) ଗୃହ ସମ୍ମୁଖରେ ରଖାଯିବ ବୋଲି ବାଚସ୍ପତି କହିଛନ୍ତି ।

କୋଭିଡ -୧୯ କୁ ଦୃଷ୍ଟିରେ ରଖି ଏହି ଅଧିବେଶନ ପାଇଁ କୌଣସି ପ୍ରତିବନ୍ଧକ ଲାଗୁ କରାଯିବ କି ବୋଲି ପଚରାଯାଇଥିବା ବେଳେ ଶ୍ରୀ ପାତ୍ର କହିଛନ୍ତି ଯେ ଏହି ନିଷ୍ପତ୍ତି ନେବାକୁ ସେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିବେ ।

ସୂଚନାନୁସାରେ, ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେତୁ ସରକାର କାମଚଳା ବଜେଟ୍‍ ଆଗତ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ବିଧାନସଭାରେ ବାର୍ଷିକ ବଜେଟ୍ ଉପସ୍ଥାପନ କରିବା ଏବଂ ଗୃହର ଅନୁମୋଦନ ଗ୍ରହଣ କରିବା ଅର୍ଥମନ୍ତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ଅଟେ । ଅର୍ଥ ବିଭାଗ ମଧ୍ୟ ସମ୍ପୂର୍ଣ୍ଣ ବଜେଟ୍ ପାଇଁ ସମସ୍ତ ପ୍ରସ୍ତୁତି କରିଥିଲା । ପ୍ରକାଶ ଥାଉକି, ଉଭୟ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା କାରଣରୁ ବିଭାଗ କାମଚଳା ବଜେଟ୍‍ ଉପସ୍ଥାପନ କରିବାକୁ ସ୍ଥିର କରିଛନ୍ତି ।

୨୦୦୯, ୨୦୧୪ ଏବଂ ୨୦୧୯ ସାଧାରଣ ର୍ନିବାଚନରେ ରାଜ୍ୟ ସରକାର ବିଧାନସଭାରେ କାମଚଳା ବଜେଟ୍‍ ଉପସ୍ଥାପନ କରିଥିଲେ ।