Home News in Odia ୨୧ରେ ଏସପି ଅଫିସ ଘେରାଉ

୨୧ରେ ଏସପି ଅଫିସ ଘେରାଉ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଫଳତା ଓ ତଦନ୍ତରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଚଳିତ ଡିସେମ୍ବର ମାସ ୨୧ ତାରିଖ ସୋମବାର ଦିନ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସପି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ବର୍ତମାନ ଦିନକୁ ପ୍ରାୟ ୧୧ ଜଣ ଶିଶୁ ନିଖୋଜ ହେଉଛନ୍ତି । ବର୍ଷକୁ ପ୍ରାୟ ୪୩୧୫ ଜଣ ଶିଶୁଙ୍କର ଅପହରଣ ଘଟଣା ସଂପ୍ରତି ଅଭିଭାବକ, ପରିବାରବର୍ଗ ଓ ସର୍ବୋପରି ସଭ୍ୟ ସମାଜରେ ଗଭୀର ଚିନ୍ତାର କାରଣ ହୋଇଛି । ପରୀ, ସ୍ୱାତୀ, ପିହୁ, ଆୟୁଷ ପରି କୁନିକୁନି ଶିଶୁକନ୍ୟା ଓ ଶିଶୁପୁତ୍ରଙ୍କୁ ଅପହରଣ ଓ ସ୍ଥଳବିଶେଷରେ ଧର୍ଷଣ ଓ ହତ୍ୟା କରିବା ଘଟଣା ଅତ୍ୟନ୍ତ ବର୍ବରୋଚିତ । ଦୀର୍ଘ ୨୧ ବର୍ଷରୁ ଉଦ୍ଧ୍ୱର୍ ବିଜୁ ଜନତା ଦଳର ସରକାର ଏ କ୍ଷେତ୍ରରେ ସଂପୂର୍ଣ୍ଣ ଫେଲ୍ ମାରିଛନ୍ତି ।

ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ଦାୟିତ୍ୱରେ ଥାଇ ମୌନବ୍ରତ ଅବଲମ୍ବନ କରିବା ଫଳରେ ନିରୀହ, ନିଷ୍ପାପ ଶିଶୁମାନେ ଯୌନପିପାସୁ ଓ ଅପହରଣକାରୀଙ୍କର ଶିକାର ହୋଇଚାଲିଛନ୍ତି । ପରିବାରବର୍ଗଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲେ ବି ପୋଲିସର ଅତ୍ୟନ୍ତ ମନ୍ଥର ତଦନ୍ତ ଯୋଗୁଁ ଜନସାଧାରଣଙ୍କର ଭରଷା ତୁଟି ଯାଉଛି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ଜିଲ୍ଲାପାଳମାନେ ଯେପରି ତତ୍ପରତା ଦେଖାଇବା କଥା ତାହା ପରିଲକ୍ଷିତ ହେଉନାହିଁ । ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ରୂପେ ଭୁଷୁଡି ପଡିଛି ।

ମୋଟାମୋଟି କହିବାକୁ ଗଲେ ରାଜ୍ୟ ସରକାର ଏହାକୁ ରୋକିବାରେ ସଂପୂର୍ଣ୍ଣ ବିଫଳ । ୨୦୧୬ ସେପ୍ଟେମ୍ବର ଠାରୁ ଆଜିଯାଏଁ ରାଜ୍ୟରେ ପ୍ରାୟ ୭୦୦୦ ନାବାଳକ ଓ ନାବାଳିକା ନିଖୋଜ ହୋଇଛନ୍ତି ବୋଲି ସରକାରୀ ସୂତ୍ର କହୁଛି । ଏଥିରୁ ପ୍ରାୟ ୫୦୫୦ ଜଣ ହେଉଛନ୍ତି କେବଳ ନାବାଳିକା । ସେହିପରି ଘରୋଇ ହିଂସା, ମହିଳା ନିର୍ଯାତନାରେ ଓଡିଶା ଦେଶରେ ତୃତୀୟ ରାଜ୍ୟ ଭାବେ ଉଭା ହୋଇଛି ।

ନାରୀ ନିର୍ଯ୍ୟାତନା, ନାବାଳିକାଙ୍କୁ ଅପହରଣ, ଯୌନ ନିର୍ଯାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟା ଏବଂ ଚୋରି, ଡକାୟତି, ଛିନତାଇ ଆଦି ଅପରାଧ ସଂଖ୍ୟା ପ୍ରତିବର୍ଷ ଉଦବେଗଜନକ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ ଏଭଳି ସ୍ପର୍ଶକାତର ଓ ସମ୍ବେଦନଶୀଳ ଘଟଣାକୁ ନିୟନ୍ତ୍ରଣ କରିବାରେ ନବୀନବାବୁ ଓ ତାଙ୍କ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।

ଉକ୍ତ ଦିନ ଜିଲ୍ଲା କଂଗ୍ରେସ କମିଟି ସଭାପତିମାନେ ଦିବା ୧୦ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ନିଜ ଜିଲ୍ଲାର ଏସପି ଅଫିସ୍ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଆୟୋଜନ କରି ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ, ପ୍ରାକ୍ତନ ବିଧାୟକ ଓ ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ପିସିସି ପର୍ଯ୍ୟବେକ୍ଷକ, ପିସିସି ଓ ଏଆଇସିସି ସଭ୍ୟ, ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ଓ କର୍ମକର୍ତା, କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅବଗତ କରାଇ ଏହାକୁ ସଫଳ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।