Home General ୨୧ରୁ ବିନା କୋଭିଡ ରିପୋର୍ଟରେ ଜଗା ଦର୍ଶନ

୨୧ରୁ ବିନା କୋଭିଡ ରିପୋର୍ଟରେ ଜଗା ଦର୍ଶନ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଜଗନ୍ନାଥ ଦର୍ଶନ ପାଇଁ ଆଉ କୋଭିଡ ରିପୋର୍ଟ ଦରକାର ହେବନାହିଁ । ବିନା ରିପୋର୍ଟରେ ଭକ୍ତମାନେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ । ତେବେ କରୋନା ପାଇଁ ଜାରି ଅନ୍ୟ କଟକଣା ସବୁ ପୂର୍ବଭଳି ବଳବତ୍ତର ରହିବ ।

ଦର୍ଶନ କଟକଣା ସଂକ୍ରାନ୍ତରେ ସମୀକ୍ଷା ପରେ ଆଜି ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର । ଡକ୍ଟର କୁମାର କହିଛନ୍ତି ଯେ ଆସନ୍ତା ୨୧ ତାରିଖରୁ ଭକ୍ତମାନଙ୍କ ପାଇଁ କୋଭିଡ ରିପୋର୍ଟ ଦରକାର ହେବନାହିଁ । ସେମାନେ ମାସ୍କ ପିନ୍ଧି ଓ ହାତ ସାନିଟାଇଜ କରି ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ।

ସେହିଭଳି ଶ୍ରୀଜୀଉମାନଙ୍କ ଦର୍ଶନ ଆରମ୍ଭ ସମୟକୁ ସକାଳ ୮ଟା ପରିବର୍ତ୍ତେ ସକାଳ ୭ଟା ହେବ । ଏଥି ସହିତ ପୁରୀ ବାସିନ୍ଦା ଯେଉଁମାନେ କି ପ୍ରତିଦିନ ଠାକୁରମାନଙ୍କୁ ଦର୍ଶନ କରନ୍ତି ସେମାନେ ସେମାନଙ୍କ ଲାଗି ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ଦର୍ଶନ ସୁବିଧା ରହିବ । ସକାଳ ୫ଟା ୪୫ ସୁଦ୍ଧା ଯେଭଳି ଶ୍ରୀଜୀଉମାନଙ୍କ ମଙ୍ଗଳଆଳତୀ ନୀତି ସରିବ ତାହା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛନ୍ତି ।

ସେହିଭଳି ବୟସ୍କ ବିଶେଷକରି ୬୫ ବର୍ଷରୁ ଊର୍ଦ୍ଧ୍ୱ ଭକ୍ତମାନେ ଯେଭଳି ସୁରୁଖୁରୁରେ ଠାକୁର ଦର୍ଶନ କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଡକ୍ଟର କୁମାର ସୂଚନା ଦେଇଛନ୍ତି ।

ଜାନୁଆରୀ ୨୧ ତାରିଖରୁ ଦୈନିକ ୩୦ହଜାର ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ । ତେବେ ୩୦ହଜାରରୁ ଅଧିକ ଭକ୍ତ ସମାଗମ ହେଲେ କିଭଳି ସୁରୁଖୁରୁରେ ଦର୍ଶନ ହେବ ସେଥିପାଇଁ ପୁରୀ ଜିଲ୍ଲାପାଳ ଓ ଏସପି ବସି ଯୋଜନା ପ୍ରସ୍ତୁତ କରିବା ସହିତ ଏ ସଂକ୍ରାନ୍ତରେ ୪/୫ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ ।

ଉଲ୍ଲେଖନୀୟ ଯେ ଜାନୁଆରୀ ୩ତାରିଖ ଠାରୁ ସର୍ବସାଧାରଣଙ୍କୁ ଦର୍ଶନ ସୁଯୋଗ ମିଳିଥିଲେ ମଧ୍ୟ ଏଥିପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଫଳରେ କୋଭିଡ ରିପୋର୍ଟ ପାଇଁ ଭକ୍ତମାନେ ହଇରାଣ ହରକତ ହେବା ସହିତ ଦର୍ଶନାର୍ଥୀଙ୍କ ସଂଖ୍ୟା ମଧ୍ୟ ଅହେତୁକ ଭାବେ ହ୍ରାସ ପାଇଛି ।