Home Election ୨୦ ବିଧାୟକ, ୨ସାଂସଦ ବାଦ୍‍

୨୦ ବିଧାୟକ, ୨ସାଂସଦ ବାଦ୍‍

ଭୁବନେଶ୍ୱର : ଜୁନ୍‍ ୧ତାରିଖରେ ଯେଉଁ ୪୨ଟି ବିଧାନସଭା ଓ ୬ଟି ଲୋକସଭା କ୍ଷେତ୍ରରେ ଭୋଟ ହେବାକୁ ଯାଉଛି ସେଥିରେ ୨୦ଜଣ ବିଧାୟକ ଓ ଦୁଇଜଣ ସାଂସଦ ନିର୍ବାଚନ ଲଢିବାରୁ ବଞ୍ଚିତ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୨ଜଣ ନିର୍ବାଚନମଣ୍ଡଳୀ ବଦଳାଇ ଥିବାବେଳେ ଆଉ ୨ଜଣ ଭିନ୍ନ ଦଳକୁ ଯାଇ ପ୍ରାର୍ଥୀ ହୋଇଛନ୍ତି ।

ଯାଜପୁର, ଜଗତ୍‍ସିଂହପୁର, ଭଦ୍ରକ ଓ ବାଲେଶ୍ୱରର ସାଂସଦମାନେ ପୁର୍ନବାର ନିଜ ନିଜ କ୍ଷେତ୍ରରେ ନିର୍ବାଚନ ଲଢୁଥିବାବେଳେ କେନ୍ଦ୍ରାପଡାର ବିଜେଡି ସାଂସଦ ଅନୁଭବ ମହାନ୍ତି ଏବଂ କେନ୍ଦ୍ରରେ ମନ୍ତ୍ରୀ ଥିବା ମୟୁରଭଞ୍ଜର ବିଜେପି ସାଂସଦ ବିଶେଶ୍ୱର ଟୁଡୁ ଏଥର ନିର୍ବାଚନ ଲଢିବା ସୁଯୋଗରୁ ବଞ୍ଚିତ ହୋଇଛନ୍ତି ।

ଯାଜପୁର ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ବିଞ୍ଝାରପୁର, ଧର୍ମଶାଳା ଓ ସୁକିନ୍ଦାର ବିଜେଡି ବିଧାୟକମାନେ ପୁନର୍ବାର ର୍ନିବାଚନ ଲଢୁଥିବାବେଳେ ବରୀ, ବଡଚଣା, ଯାଜପୁର ଓ କୋରେଇର ବିଧାୟକମାନଙ୍କ ସ୍ଥାନରେ ବିଜେଡି ନୂଆ ପ୍ରାର୍ଥୀ ଦେଇଛି । ବିଜେଡିର ଅନ୍ୟତମ ବିଧାୟକ ଅମର ପ୍ରସାଦ ଶତପଥୀ, ସୁନନ୍ଦା ଦାସ ଓ ଅଶୋକ କୁମାର ବଳଙ୍କୁ ଟିକଟ ମିଳିନଥିବାବେଳେ ପ୍ରଣବ ପ୍ରକାଶ ଦାସଙ୍କୁ ଯାଜପୁର ବିଧାନସଭା ପରିବର୍ତ୍ତେ ସମ୍ବଲପୁର ଲୋକସଭା କ୍ଷେତ୍ରରୁ ବିଜେଡି ଲୋକସଭା ଲଢାଇଛି ।

ଜଗତ୍‍ସିଂହପୁର ସଂସଦୀୟ କ୍ଷେତ୍ର ଅର୍ନ୍ତଗତ ୭ଟି ବିଧାନସଭା ଆସନରୁ ନିଆଳି, ଜଗତ୍‍ସିଂହପୁର ଓ କାକଟପୁରର ବିଜେଡି ବିଧାୟକମାନେ ପୁର୍ନବାର ପ୍ରାର୍ଥୀ ହୋଇଥିବାବେଳେ ନିମାପଡା, ବାଲିକୁଦା-ଏରସମା, ତିର୍ତ୍ତୋଲ ଓ ପାରାଦୀପ୍‍ର ବିଧାୟକମାନଙ୍କୁ ବିଜେଡି ଏଥର ନିର୍ବାଚନ ଲଢିବାକୁ ସୁଯୋଗ ଦେଇନାହିଁ ।

ସେହିଭଳି କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ଅର୍ନ୍ତଭୁକ୍ତ ୭ଟି ଯାକ ବିଧାନସଭା ଆସନରୁ କେବଳ ଆଳି, ରାଜନଗର ଓ ମହାକାଳପଡାର ବିଧାୟକମାନଙ୍କୁ ପୁର୍ନବାର ବିଜେଡି ପ୍ରାର୍ଥୀ କରିଥିବାବେଳେ ସାଲେପୁରର ବିଧାୟକ ପ୍ରଶାନ୍ତ ବେହେରାଙ୍କୁ କଟକରେ ଲଢାଇ ଏଠାରେ ନୂଆ ପ୍ରାର୍ଥୀ ଦେଇଛି । ତେବେ କେନ୍ଦ୍ରାପଡାର ବିଧାୟକ ଶଶୀଭୂଷଣ ବେହେରା, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଓ ମାହାଙ୍ଗର ବିଧାୟକ ପ୍ରତାପ ଜେନାଙ୍କୁ ବିଜେଡି ଟିକଟ ମିଳିନଥିବାରୁ ସେମାନେ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି ।

ଭଦ୍ରକ ସଂସଦୀୟ କ୍ଷେତ୍ର ଅର୍ନ୍ତଭୁକ୍ତ ବାସୁଦେବପୁର, ଧାମନଗର ଓ ଚାନ୍ଦବାଲିର ବିଧାୟକମାନଙ୍କୁ ପୁଣି ବିଜେଡି ଟିକଟ ଦେଇଥିବାବେଳେ ଭଦ୍ରକ ଓ ଭଣ୍ଡାରୀପୋଖରୀ ଆସନରେ ବିଧାୟକ ଅଦଳବଦଳ ହୋଇଛି । ସିମୁଳିଆରେ ଟିକଟ ନପାଇ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ର୍ନିବାଚନ ଲଢୁନଥିବାବେଳେ ସୋରର ବିଜେଡି ବିଧାୟକ କିନ୍ତୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ।

ବାଲେଶ୍ୱରରେ ବି ୭ଟି ଆସନରୁ ବିଜେଡି ବଡସାହି, ଜଳେଶ୍ୱର ଓ ବାଲେଶ୍ୱରରେ ବିଧାୟକମାନଙ୍କୁ ପୁଣିଥରେ ଲଢିବାକୁ ସୁଯୋଗ ଦେଇଥିବାବେଳେ ଭୋଗରାଇ ଓ ବସ୍ତାରୁ ବିଧାୟକ ଥିବା ଅନନ୍ତ ଦାସ ଓ ନିତ୍ୟାନନ୍ଦ ସାହୁ ଟିକଟ ପାଇନାହାନ୍ତି । ତେବେ ନିଳଗିରିରେ କନ୍ତୁ ବିଧାୟକ ପ୍ରାର୍ଥୀ ବିଜେପି ଓ ବିଜେଡିମଧ୍ୟରେ ଅଦଳ ବଦଳ ହୋଇଛି । ମୟୁରଭଞ୍ଜ ସଂସଦୀୟ ଅର୍ନ୍ତଗତ ଉଦଳା, ବାରିପଦା ଓ ଯଶୀପୁରର ବିଦାୟକମାନେ ର୍ନିବାଚନ ଲଢୁଥିବାବେଳେ ମୋରଡା, ବାଙ୍ଗିରିପୋଷି, ରାଇରଙ୍ଗପୁର ଓ ସାରସକଣାର ବିଧାୟକମାନେ ବିଧାନସଭା ପାଇ ଟିକଟ ପାଇନାହାନ୍ତି । ତେବେ ବାଙ୍ଗିରିପୋଷୀ ବିଧାୟକ ସୁଦାମ ମାରାଣ୍ଡି ବିଜେଡିରୁ ଓ ରାଇରଙ୍ଗପୁର ବିଧାୟକ ନବଚରଣ ମାଝି ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି । (ତଥ୍ୟ)