Home News in Odia ୨୦ ଜିଲ୍ଲାରେ ହେବ ସନ୍ତରଣାଗାର

୨୦ ଜିଲ୍ଲାରେ ହେବ ସନ୍ତରଣାଗାର

ଭୁବନେଶ୍ୱର : ପିଲାମାନଙ୍କୁ ସନ୍ତରଣ ଶିଖାଇବା ସହିତ ସେମାନଙ୍କୁ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଜଣେ ଜଣେ ସଫଳ କ୍ରୀଡାବିତ୍‍ ଭାବେ ପରିଚୟ ଦେବାପାଇଁ ରାଜ୍ୟର ୨୦ଟି ଜିଲ୍ଲାରେ ସନ୍ତରଣାଗାର (ସୁଇମିଙ୍ଗ୍‍ ପୁଲ୍‍) ପ୍ରତିଷ୍ଠା କରାଯିବ । ବର୍ତ୍ତମାନ ସୁଦ୍ଧା ୯ଟି ଜିଲ୍ଲାରେ ଏହା ପ୍ରତିଷ୍ଠା ସରିଲାଣି ।

ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଏବଂ ଜେଏସ୍‍ଡବ୍ଲ୍ୟୁର ମିଳିତ ପ୍ରୟାସରେ ରାଜ୍ୟରେ ଏହି କ୍ରୀଡାକୁ ପ୍ରୋତ୍ସାହନ ଦିଆଯାଉଛି । କଳିଙ୍ଗ ଷ୍ଟାଡିୟମରେ ଏବେ ପିଲାମାନଙ୍କୁ ସନ୍ତରଣ ତାଲିମ ଦିଆଯାଉଥିବାବେଳେ ସେମାନଙ୍କ ଅଭିଭାବକଙ୍କ ସହ ଆଲୋଚନା ସମୟରେ ଏହି ସୂଚନା ଦେଇଛନ୍ତି ଜେଏସ୍‍ଡବ୍ଲ୍ୟୁ କର୍ତ୍ତୃପକ୍ଷ । ଏପରିକି ଖୁବ୍‍ଶୀଘ୍ର ପୁରୀ ଓ ଗଞ୍ଜାମରେ ସନ୍ତରଣାଗାର କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦିଆଯାଇଛି ।

ବର୍ତ୍ତମାନ ଭୁବନେଶ୍ୱର ସମେତ ରାଜ୍ୟର ଆଉ ୮ଟି ସ୍ଥାନରେ ପିଲମାନଙ୍କୁ ପହଁରା ତାଲିମ ଦିଆଯାଉଛି । ତେବେ ଚଳିତବର୍ଷ ଗ୍ରୀଷ୍ମଛୁଟି ସମୟରେ ଅଧିକରୁ ଅଧିକ ପିଲା ସନ୍ତରଣ ଶିଖିବାକୁ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ କୃତୀ କ୍ରୀଡାବିତ୍‍ମାନେ କିଭଳି ଆଗକୁ ଯିବେ ଏବଂ ଏଥିପାଇଁ କି କି ପ୍ରକାର ତାଲିମ ବ୍ୟବସ୍ଥା ରହିଛି ସେ ସଂକ୍ରାନ୍ତରେ ନିଯୁକ୍ତ ହୋଇଥିବା କୋଚ୍‍ ଏବଂ ଜେଏସ୍‍ଡବ୍ଲ୍ୟୁ କର୍ତ୍ତୃପକ୍ଷ ଅଭିଭାବକମାନଙ୍କୁ ସବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।

ଜେଏସ୍‍ଡବ୍ଲ୍ୟୁ କର୍ତ୍ତୃପକ୍ଷ ତାଙ୍କର ସିଏସ୍‍ଆର ପାଣ୍ଠି ଅର୍ଥରେ ସନ୍ତରଣ ତାଲିମ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରୁଛନ୍ତି । ଭୁବନେଶ୍ୱର ସନ୍ତରଣାଗାର ପାଇଁ ଜଣେ ଭାରତୀୟ ଓ ଆଉ ଜଣେ ବିଦେଶୀ କୋଚ୍‍ ନିଯୁକ୍ତ ହୋଇଥିବାବେଳେ ଜିଲ୍ଲା ସ୍ତରରେ ପ୍ରତିଷ୍ଠା ହେଉଥିବା ସନ୍ତରଣାଗାରରେ ମଧ୍ୟ କୋଚ୍‍ ନିଯୁକ୍ତ ହେବେ । ତେବେ ସନ୍ତରଣ ତାଲିମ ପାଇଁ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ କେବଳ ସନ୍ତରଣାଗାର ପାଇଁ କିଛି ପରିମାଣର ଫି ଆଦାୟ କରାଯାଉଛି ।

ଅଭିଭାବକଙ୍କ ସହିତ ଆଲୋଚନା ସମୟରେ ସୂଚନା ଦିଆଯାଇଛି ଯେ ପିଲାମାନେ ନିୟମିତ ଭାବେ ପହଁରିଲେ ସେମାନଙ୍କ ଶାରୀରିକ ଗଠନ ଭଲ ରହିବା ସହିତ ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ରହିବ ନାହିଁ । ତେବେ ସବୁଠାରୁ ବଡ କଥା ହେଲା ପିଲମାନେ ପହଁରା ଶିଖିପାରିଲେ ବର୍ତ୍ତମାନ ରାଜ୍ୟରେ ଯେଉଁ ପରିମାଣରେ ଜଳବୁଡି ଜନିତ ମୃତ୍ୟୁ ଘଟୁଛି ତାହା ବହୁ ପରିମାଣରେ ହ୍ରାସ ପାଇବ । କାରଣ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଅନେକ ପହଁରା ଜାରିନଥିବାରୁ ସମୁଦ୍ର, ନଦୀ ଏପରିକି ପୋଖରୀରେ ବୁଡି ପ୍ରାଣ ହରାଉଛନ୍ତି ।

ବର୍ତ୍ତମାନ ରାଜ୍ୟ ସରକାର ଓ ଜେଏସ୍‍ଡବ୍ଳ୍ୟୁର ମିଳିତ ଉଦ୍ୟମରେ ଚାଲିଥିବା ଏହି ସନ୍ତରଣ ତାଲିମରେ ପ୍ରାୟ ୨ହଜାର ପିଲା ସାମିଲ ଥିବାବେଳେ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ । ରାଜ୍ୟର ଯୁବକମାନେ ସନ୍ତରଣ କ୍ରୀଡାରେ ଯେଭଳି ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିବା ସହିତ ମେଡାଲ ଆଣିବେ ସେ ଦିଗରେ ଜେଏସ୍‍ଡବ୍ଲ୍ୟୁ ଯତ୍ନବାନ ଥିବା କୁହାଯାଇଛି । (ତଥ୍ୟ)