Home Mining ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍‌ କୋଇଲା ବାଷ୍ପୀକରଣ

୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍‌ କୋଇଲା ବାଷ୍ପୀକରଣ

ଭୁବନେଶ୍ୱର : ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍‌ କୋଇଲା ବାଷ୍ପୀକରଣ ଲକ୍ଷ୍ୟ ହାସଲ ନିମନ୍ତେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ମିଶନ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି । ଭବିଷ୍ୟତରେ କୋଇଲା ବାଷ୍ପୀକରଣ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି ।

ଶକ୍ତି, ଇସ୍ପାତ ଓ ଖଣି ମନ୍ତ୍ରଣାଳୟ ସହ ମିଶି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜାତୀୟ ଖଣିଜ କଂଗ୍ରେସରେ ଏହି ସୂଚନା ଦେଇଛନ୍ତି ଖଣି ସଚିବ ଶ୍ରୀ ଅନୀଲ କୁମାର ଜୈନ । ଭର୍ଚୁଆଲ ମାଧ୍ୟମରେ ଖଣିଜ କଂଗ୍ରେସ ଉଦଘାଟନ କରି ସେ କାର୍ଯ୍ୟକ୍ରମର ସଫଳତା କାମନା ସହିତ ସବୁ ଅଂଶୀଦାରଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ଜାତୀୟ ଖଣିଜ କଂଗ୍ରେସରୁ ଫଳପ୍ରଦ ପରିଣାମ ପ୍ରାପ୍ତ ହେବ ବୋଲି ଆଶାବ୍ୟକ୍ତ କରିଥିଲେ ।

ଜାତୀୟ ଖଣିଜ କଂଗ୍ରେସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ଭିକେ ତିୱାରୀ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ତିୱାରୀ କହିଥିଲେ ଯେ, ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍‌ କୋଇଲା ବାଷ୍ପୀକରଣ ଲକ୍ଷ୍ୟ ହାସଲ ନିମନ୍ତେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ମିଶନ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି ।

ଭବିଷ୍ୟତରେ କୋଇଲା ବାଷ୍ପୀକରଣ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି । କୋଇଲା ଜଳାଇବା ତୁଳନାରେ ଏହାକୁ ଏକ ସ୍ବଚ୍ଛ ଇନ୍ଧନ ବିକଳ୍ପ ଭାବେ ବିବେଚନା କରାଯାଉଛି । କୋଇଲାରେ ଥିବା ରାସାୟନିକ ଉପାଦାନକୁ ବାଷ୍ପୀକରଣ ପ୍ରକ୍ରିୟାରେ ଉପଯୋଗ କରାଯାଇଥାଏ ବୋଲି ଅତିରିକ୍ତ ସଚିବ ଶ୍ରୀ ତିୱାରୀ କହିଥିଲେ ।

ସେ ଆହୁରି କହିଥିଲେ ଯେ, ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶ ଫଳରେ ଅଧିକ କୋଇଲା ପୁନରୁଦ୍ଧାର ବା ରିକଭରୀ ହୋଇପାରୁଛି । ଖଣି ଖନନ କାର୍ଯ୍ୟରେ ନମନୀୟତା ଆସିଛି ଓ ଉତ୍ପାଦକତା ବୃଦ୍ଧି ପାଇଛି । ଅଧିକ ନିରାପତ୍ତା ସୁନିଶ୍ଚିତ ହେବା ସହିତ ଖର୍ଚ୍ଚ କମିଛି । ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତା ପାଇଁ କମ୍ପାନୀମାନେ ନୂତନ ଜ୍ଞାନକୌଶଳକୁ ଆପଣାଇବା ସହିତ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରିବାର ଆବଶ୍ୟକତା ରହିଛି । ଏହି କ୍ଷେତ୍ରରେ ପ୍ରଯୁକ୍ତିର ସର୍ବାଧିକ ଉପଯୋଗ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ଅତିରିକ୍ତ ସଚିବ କହିଥିଲେ ।

ଆଲୁମିନିୟମ କ୍ଷେତ୍ରରେ ରହିଥିବା ସମସ୍ୟା ସମ୍ପର୍କରେ ଶ୍ରୀ ତିୱାରୀ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ଭବିଷ୍ୟତର ଆବଶ୍ୟକତା ପାଇଁ ଭାରତ ନିକଟରେ ୩୮୯୬ ନିୟୁତ ଟନ୍‌ ବକ୍ସାଇଟ୍‌ ଉତ୍ସ ଖଚ୍ଛିତ ହୋଇ ରହିଛି । ତେବେ ଭାରତୀୟ ଖଣିଜ ଭଣ୍ଡାରରେ ଏହାର ମାତ୍ର ୧୭ ପ୍ରତିଶତ, ଅର୍ଥାତ୍‌ ୬୫୬ ନିୟୁତ ଟନ୍‌ ବକ୍ସାଇଟ୍‌ ମହଜୁଦ ରହିଛି । ତେଣୁ ବକ୍ସାଇଟ୍‌ ଉତ୍ପାଦନକୁ ବଢ଼ାଇବା ଲାଗି ଏସବୁ ଉତ୍ସକୁ ପ୍ରାମାଣିକ ବକ୍ସାଇଟ୍‌ ଭଣ୍ଡାରରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଉଚ୍ଚ ମାନର ଉତ୍ପାଦ ତିଆରି କରିବା ଲାଗି ସ୍କାର୍ପ ବ୍ୟବହାର କରିବା ନିମନ୍ତେ ଆମେ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ।

ଅତିରିକ୍ତ ସଚିବ କୋଇଲାରୁ ହାଇଡ୍ରୋଜେନ ଉତ୍ପାଦନ ପାଇଁ ରୋଡମ୍ୟାପ ଉପରେ ଆଲୋଚନା କରିଥିଲେ । ସେ କହିଥିଲେ ଯେ ବର୍ତ୍ତମାନ ଭାରତର ହାଇଡ୍ରୋଜେନ ଆବଶ୍ୟକତା ବାର୍ଷିକ ୬.୭ ନିୟୁତ ଟନ୍‌ ଥିବା ବେଳେ ୨୦୩୦ ବେଳକୁ ଏହା ୧୧.୭ ନିୟୁତ ଟନକୁ ବୃଦ୍ଧି ପାଇବାର ଆବଶ୍ୟକତା ରହିଛି । ବିଶୋଧନାଗାର ଏବଂ ସାର କାରଖାନାଗୁଡ଼ିକ ଏବେ ହାଇଡ୍ରୋଜେନର ସବୁଠୁ ବଡ଼ ଉପଭୋକ୍ତା ହୋଇ ରହିଛନ୍ତି, ଯାହାକି ଏବେ ପ୍ରାକୃତିକ ବାଷ୍ପରୁ ଉତ୍ପାଦନ ହେଉଛି । କୋଇଲା ବାଷ୍ଠୀକରଣ ପ୍ରକ୍ରିୟାରେ କୋଇଲା ମାଧ୍ୟମରେ ଏହା ଉତ୍ପାଦନ କରାଯାଇପାରିବ ବୋଲି ସେ କହିଥିଲେ ।

ଶ୍ରୀ ତିୱାରୀ କହିଥିଲେ ଯେ, ଏହି କ୍ଷେତ୍ରରେ ବିଚାରବିମର୍ଶ କରିବା ଏବଂ ଆବଶ୍ୟକ ସୁଧାର ଆଣିବା ଲାଗି ଏଭଳି ସମ୍ମିଳନୀ ଏକ ସୁଯୋଗ ଆଣି ଦେବ । ସେ କହିଥିଲେ ଯେ ଆମେ ଏହି କ୍ଷେତ୍ରର ବ୍ୟବସାୟୀକରଣ ଆରମ୍ଭ କରିଛୁ, ଯାହାକି ଉନ୍ନତ ଫଳାଫଳ ପ୍ରଦାନ କରୁଛି । ଦୋହରା ମଞ୍ଜୁରି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି; ଖଣି ଆବଣ୍ଟନ ପ୍ରକ୍ରିୟାକୁ ଅନଲାଇନ କରାଯାଇଛି ଏବଂ ବାଷ୍ପୀକରଣ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ସବୁ ଆଡ଼ୁ ଏହି କ୍ଷେତ୍ରକୁ ସମର୍ଥନ ଯୋଗାଇ ଦେବା ଲାଗି ଆମେ ଚେଷ୍ଟା କରୁଛୁ ବୋଲି ସେ କହିଥିଲେ ।

ବିଶ୍ବ ଖଣିଜ କଂଗ୍ରେସର ଭାରତୀୟ ଜାତୀୟ କମିଟି ପକ୍ଷରୁ ଆୟୋଜନ କରାଯାଉଥିବା ଜାତୀୟ ଖଣିଜ କଂଗ୍ରେସରେ ୨୦ଟି ପ୍ରମୁଖ କମ୍ପାନୀର ଶିଳ୍ପ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଛନ୍ତି । ଖଣିଜ ଉତ୍ତୋଳନ କ୍ଷେତ୍ରରେ ପ୍ରଯୁକ୍ତିର ଉପଯୋଗ, ଆଲୁମିନିୟମ ଓ ଇସ୍ପାତ କ୍ଷେତ୍ରରେ ରହିଥିବା ସମସ୍ୟା ଏବଂ କୋଇଲା ବାଷ୍ପୀକରଣ ଓ କୋଇଲାରୁ ହାଇଡ୍ରୋଜେନ ପାଇଁ ରୋଡମ୍ୟାପ ନେଇ ଏଥିରେ ଆଲୋଚନା ହୋଇଛି । ଶନିବାର ଦିନ, ପ୍ରତିନିଧିମାନେ ଅନୁଗୁଳରେ ଥିବା ଜେଏସପିଏଲର କୋଇଲା ବାଷ୍ପୀକରଣ କାରଖାନା ପରିଦର୍ଶନ କରିବେ ।

LEAVE A REPLY

Please enter your comment!
Please enter your name here