Home News in Odia ୨୦୨୩ରେ ସରିବ କାନପୁର ଡ୍ୟାମ୍‍ କାର୍ଯ୍ୟ

୨୦୨୩ରେ ସରିବ କାନପୁର ଡ୍ୟାମ୍‍ କାର୍ଯ୍ୟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ଏବଂ ୫-ଟି ଶାସନ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ୍ କେନ୍ଦୁଝର ଜିଲ୍ଲାଗସ୍ତ କରି କାନପୁର ବୃହତ ଜଳ ସେଚନ ଡ୍ୟାମ୍ ନିର୍ମାଣ, ବିଦ୍ୟାଳୟ ରୁପାନ୍ତରଣ ଏବଂ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଛନ୍ତି ।

ଆଜି ପୂର୍ବାହ୍ନରେ ଏହି ସର୍ବୋଚ୍ଚ ପ୍ରଶାସନିକ ଟିମ୍ ଜିଲ୍ଲାରେ ପହଞ୍ଚିବାପରେ କାନପୁର ଡ୍ୟାମ୍ ନିର୍ମାଣ କାର୍ଯ୍ୟର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ । ପରେ ପରେ ସ୍ଥାନୀୟ ହିଲ୍ ଟପ୍ ଗେଷ୍ଟ୍ ହାଉସ୍ଠାରେ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଡ୍ୟାମ୍ ନିର୍ମାଣରେ ନିୟୋଜିତ ଯନ୍ତ୍ରୀମାନଙ୍କ ସହ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କରି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟାନ୍ୱୟନ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡ୍ୟାମ୍ ନିକଟରେ ନିର୍ମାଣାଧିନ ଜାତୀୟ ରାଜପଥ ପୋଲ କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ଶେଷ କରିବା ପାଇଁ ମଧ୍ୟ ଜାତୀୟ ରାଜପଥ ଯନ୍ତ୍ରୀମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । 

ସମୀକ୍ଷା ବୈଠକ ପରେ ଏହି ଟିମ୍ ସ୍ଥାନୀୟ ବାସୁଦେବପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ସହ ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପର ସୁଫଳ ବିଷୟରେ ସିଧାସଳଖ ଆଲୋଚନା କରିଥିଲେ । ଏହି ସମୟରେ ଟିମ୍ ମଧ୍ୟ ମଧ୍ୟାହ୍ନ ଭୋଜନର ଗୁଣାତ୍ମକମାନ ଓ କ୍ରୀଡାଭିତ୍ତିଭୂମି ଯାଞ୍ଚ କରିଥିଲେ ।

ଗସ୍ତ ସମୟରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ କାନପୁର ଜଳ ସେଚନ ଡ୍ୟାମ୍ କେନ୍ଦୁଝର ଜିଲ୍ଲାବାସୀଙ୍କର ଦୀର୍ଘଦିନର ଆବଶ୍ୟକତା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହାର ନିର୍ମାଣକାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ୨୦୨୩ ମସିହା ଡିସେମ୍ବର ଶେଷସୁଦ୍ଧା ଡ୍ୟାମ୍ର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରାଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା କେନାଲ୍ ମାଧ୍ୟମରେ ପ୍ରାୟ ୩୦ ହଜାର ହେକ୍ଟର ଏବଂ ପାଇପ୍ ଯୋଗେ ଉଠା ଜଳସେଚନ ଦ୍ୱାରା ପ୍ରାୟ ୧୦ ହଜାର ହେକ୍ଟର ଏହିପରି ସମୁଦାୟ ୪୦ ହଜାର ହେକ୍ଟର ଜମି ଜଳସେଚିତ ହେବ । ଯୋଡା ବ୍ଲକ୍ର ବାସୁଦେବପୁରଠାରେ ବୈତରଣୀ ନଦୀଉପରେ ନିର୍ମାଣ ହେଉଥିବା ଏହି ଡ୍ୟାମ୍ ଦ୍ୱାରା ଚମ୍ପୁଆ, ଝୁମ୍ପୁରା, ପାଟଣା, କେନ୍ଦୁଝର ସଦର ଏବଂ ଯୋଡ଼ାବ୍ଲକ୍ ଅନ୍ତର୍ଗତ ୨୪୪ଟି ଗ୍ରାମର ଅଧିକାରୀମାନେ ଉପକୃତ ହେବେ ।

ଶ୍ରୀ ମହାପାତ୍ର ଆହୁରିମଧ୍ୟ କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲ୍ଲାର ପ୍ରତି ଘରକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଛି । ପରିପୃକ୍ତି ଭିତ୍ତିରେ ସବୁ ଗ୍ରାମ ଓ ସହରାଞ୍ଚଳ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟାନ୍ୱୟନ ହେଉଛି । ୨୦୨୩ ମସିହା ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଘରକୁ ପାଇପ୍ ଯୋଗେ ଜଳଯୋଗାଣ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । 

ବାସୁଦେବପୁର ସ୍ଥିତ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପରିଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି ବୋଲି ଶ୍ରୀ ମହାପାତ୍ର କହିଥିଲେ । ବିଦ୍ୟାଳୟରେ ଉନ୍ନତ୍ତମାନର ସ୍ମାର୍ଟ କ୍ଲାସ୍ ରୁମ୍, ବିଜ୍ଞାନ ପରୀକ୍ଷାଗାର, ପୁସ୍ତକାଗାର, ହଷ୍ଟେଲ୍, ଖେଳ ପଡ଼ିଆ ଏବଂ ସବୁଜ ସୁନ୍ଦର ବିଦ୍ୟାଳୟ ପରିସର ସୃଷ୍ଟି କରାଯାଇଛି । ଏହି ପ୍ରକଳ୍ପ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣକୁ ସମୃଦ୍ଧ କରିବା ସହ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି ।

ଜିଲ୍ଲାପାଳ ଆଶିଷ ଠାକରେ, ପୋଲିସ୍ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର, ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର, ଓଡ଼ିଶା ନିର୍ମାଣ ନିଗମ ପରିଚାଳନା ନିର୍ଦ୍ଦେଶକ ବିଭୁତି ଭୁଷଣ ଦାସ, ବନଖଣ୍ଡ ଅଧିକାରୀ ଧନରାଜ ଏଚ୍. ଡି., କାନପୁର ଜଳସେଚନ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ପ୍ରଶନ୍ନ କୁମାର ପାଣିଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ସମୀକ୍ଷା ନିମନ୍ତେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।