Home News in Odia ୨୦୨୧-୨୨ ଅବକାରୀ ଚଢଉକୁ ବଡ ସଫଳତା

୨୦୨୧-୨୨ ଅବକାରୀ ଚଢଉକୁ ବଡ ସଫଳତା

ଭୁବନେଶ୍ୱର : ଅବକାରୀ ବିଭାଗ ସକ୍ରିୟତା ଓ ବ୍ୟାପକ ଧରପଗଡ ଯୋଗୁଁ ଜବତ ସାମଗ୍ରୀ ସହିତ ମାମଲା ସଂଖ୍ୟା ଓ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗୋଟିଏ ବର୍ଷରେ ଜବତ ସାମଗ୍ରୀର ମୂଲ୍ୟ ୮୭ ପ୍ରତିଶତରୁ ଅଧିକ ବଢିଥିବାବେଳେ ମାମଲା ଓ ଗିରଫ ବ୍ୟକ୍ତିଙ୍କ ସଂଖ୍ୟାରେ ଯଥାକ୍ରମେ ୫୮ ଓ ୭୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି । ଅବକାରୀ କମିଶନର ଆଶିଷ କୁମାର ସିଂହ ଆଜି କରିଥିବା ସମୀକ୍ଷାରୁ ଏହା ଜଣାଯାଇଛି ।

୨୦୨୧-୨୨ ବର୍ଷର ଅବକାରୀ ଧରପଗଡ ନେଇ ଶ୍ରୀ ସିଂହ କରିଥିବା ସମୀକ୍ଷାରୁ ଜଣାଯାଇଛି ଯେ ୨୦୨୧-୨୨ ବର୍ଷରେ ଅବକାରୀ ବିଭାଗ ଜବତ କରିଥିବା ସାମଗ୍ରୀର ପରିମାଣ ୧୩୩ କୋଟି ଟଙ୍କା ରହିଛି । ୨୦୨୦-୨୧ ବର୍ଷରେ ଏହି ପରିମାଣ ୭୧ କୋଟି ଟଙ୍କା ରହିଥିଲା । ଏହି ବୃଦ୍ଧି ପରିମାଣ ୮୭.୩୨ ପ୍ରତିଶତ ।

କେବଳ ଜବତ ସାମଗ୍ରୀ ନୁହେଁ, ୨୦୨୧-୨୨ ବର୍ଷରେ ରେକର୍ଡ ସଂଖ୍ୟକ ୩୯,୭୪୧ ଟି ମାମଲା ରୁଜୁ ହୋଇଛି ଯାହାକି ପୂର୍ବବର୍ଷ ତୁଳନାରେ ୫୮ ପ୍ରତିଶତରୁ ଅଧିକ । ୨୦୨୦-୨୧ ବର୍ଷରେ ରୁଜୁ ମାମଲା ସଂଖ୍ୟା ୨୫,୦୭୦ ରହିଥିଲା । ସେହିଭଳି ୨୦୨୧-୨୨ ରେ ୩୨,୭୭୦ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି ଯାହା ପୂର୍ବବର୍ଷ ତୁଳନାରେ ୭୦ ପ୍ରତିଶତରୁ ଅଧିକ ରହିଛି । ପୂର୍ବବର୍ଷ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୧୯,୨୪୩ ଥିଲା ।

ତେବେ ନକଲି ବିଦେଶୀ ମଦ ଓ ଟିକସ ଫାଙ୍କି ବିଦେଶୀ ମଦ ଜବତରେ ଗୋଟିଏ ବର୍ଷରେ ରେକର୍ଡ ବୃଦ୍ଧି ପରିଲକ୍ଷିତ ହୋଇଛି । ଜବତ ହୋଇଥିବା ଟିକସ ଫାଙ୍କି ବିଦେଶୀ ମଦରେ ୭୩୯୦ ପ୍ରତିଶତ ଅଭିବୃଦ୍ଧି ଘଟିଛି । ୨୦୨୧-୨୨ ବର୍ଷରେ ଜବତ ହୋଇଥିବା ଟିକସ ଫାଙ୍କି ବିଦେଶୀ ମଦ ପରିମାଣ ୧୧,୬୬୯ ଲିଟର ଥିବାବେଳେ ପୂର୍ବବର୍ଷ ଅର୍ଥାତ୍‍ ୨୦୨୦-୨୧ ରେ ଏହି ପରିମାଣ ୧୫୫ ଲିଟର ରହିଥିଲା । ସେହିଭଳି ନକଲି ବିଦେଶୀ ମଦ ଜବତ କ୍ଷେତ୍ରରେ ୨୪୪୯ ପ୍ରତିଶତ ବୃଦ୍ଧି ଘଟିଛି । ୨୦୨୦-୨୧ ବର୍ଷରେ ମାତ୍ର ୪୦୦ ଲିଟର ନକଲି ବିଦେଶୀ ମଦ ଜବତ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ଏହା୧୦,୧୮୭ଲିଟରକୁ ଟପିଯାଇଛି ।

ସେହିଭଳି ଏହି ବର୍ଷକ ମଧ୍ୟରେ ଗଞ୍ଜେଇ, ଅଫିମ, ବ୍ରାଉନସୁଗାର ଆଦିର ଜବତ ପରିମାଣ ବଢିବା ସହିତ ଏଥିରେ ଜଡିତ ଲୋକଙ୍କ ଗିରଫଦାରୀ ସଂଖ୍ୟା ବଢି ବଢିଛି । ୨୦୨୧-୨୨ ବର୍ଷରେ ଅବକାରୀ ବିଭାଗ ଚଢଉ କରି ୩୦,୧୩୬ କିଲୋ ଗଞ୍ଜେଇ ଜବତ କରିଛି ଯାହାକି ପୂର୍ବବର୍ଷ ତୁଳନାରେ ୭୭ ପ୍ରତିଶତରୁ ଅଧିକ । ୨୦୨୦-୨୧ ବର୍ଷରେ ପାଖପାଖି ୧୭ହଜାର କିଲୋ ଗଞ୍ଜେଇ ଜବତ ହୋଇଥିଲା । ବ୍ରାଉନସୁଗାର ଜବତ ପରିମାଣ ମଧ୍ୟ ୨୧୯ ପ୍ରତିଶତ ବଢିଛି ।

୨୦୨୧-୨୨ ବର୍ଷରେ ୧୧,୬୬୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବାବେଳେ ଗତ ବର୍ଷ ଏହି ପରିମାଣ ୩୬୫୩ ଗ୍ରାମ ରହିଥିଲା । ତେବେ ଜବତ ଅଫିମ ପରିମାଣ ବର୍ଷ ମଧ୍ୟରେ ୯୨୭ ପ୍ରତିଶତ ବୃଦ୍ଧିପାଇଛି । ୨୦୨୧-୨୨ ରେ ରାଜ୍ୟରୁ ୭୬୦୦ ଗ୍ରାମ ଅଫିମ ଜବତ ହୋଇଥିବାବେଳେ ଗତ ଆର୍ଥିକ ବର୍ଷରେ ଏହି ପରିମାଣ ମାତ୍ର ୭୪୦ ଗ୍ରାମ ରହିଥିଲା ।

ତେବେ ଗଞ୍ଜେଇ ଚାଷକୁ ସମୂଳେ ଉତ୍ପାଟନ ପାଇଁ ଅବକାରୀ ବିଭାଗ ଅଣ୍ଟା ଭିଡିବା ଓ ଡ୍ରୋନ ଲଗାଇ ଆକାଶ ମାର୍ଗରୁ ଏହାକୁ ଠାବ କରୁଥିବାରୁ ରାଜ୍ୟରେ ଗଞ୍ଜେଇ ଚାଷ ବୃଦ୍ଧି ପାଇପାରି ନାହିଁ । ୨୦୨୧-୨୨ ବର୍ଷରେ ରାଜ୍ୟରୁ ୩,୨୯,୧୪,୦୩୨ଟି ଗଞ୍ଜେଇ ଗଛ ନଷ୍ଟ ହୋଇଥିବାବେଳେ ପୂର୍ବବର୍ଷ ଏହି ପରିମାଣ ୩,୨୫,୦୩,୬୬୪ ରହିଥିଲା ।

ନଷ୍ଟ ହୋଇଥିବା ଗଞ୍ଜେଇଗଛ ଗୁଡିକ କନ୍ଧମାଳ, ବୌଦ, ଗଜପତି, ଗଞ୍ଜାମ, ରାୟଗଡା, ମାଲକାନଗିରି, କୋରାପୁଟ, ଅନୁଗୁଳ ଏବଂ ସମ୍ବଲପୁର ଜିଲ୍ଲାରେ ଚାଷ ହୋଇଥିବା ଜଣଯାଇଛି । ବର୍ଷ ମଧ୍ୟରେ ରେକର୍ଡ ପରିମାଣ ଅବକାରୀ ସାମଗ୍ରୀ ଜବତ ହୋଇଥିବାବେଳେ ୨୦୨୨-୨୩ ବର୍ଷରେ ବି ବେଆଇନ୍‍ ନିଶା କାରବାର ବିରୁଦ୍ଧରେ ଅନୁରୂପ ଭାବେ ବ୍ୟାପକ ଚଢଉ ପାଇଁ ଶ୍ରୀ ସିଂହ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । (ତଥ୍ୟ)