Home General ୨୦୧୮ରୁ ବିଧାନ ପରିଷଦ ପ୍ରସ୍ତାବ ଯାଇଛି

୨୦୧୮ରୁ ବିଧାନ ପରିଷଦ ପ୍ରସ୍ତାବ ଯାଇଛି

ଭୁବନେଶ୍ୱର : ଓଡିଶାରେ ବିଧାନ ପରିଷଦ ଗଠନ ସଂକ୍ରାନ୍ତୀୟ ପ୍ରସ୍ତାବ କେନ୍ଦ୍ର ସରକାର ପାଇନାହାନ୍ତି ବୋଲି ଆଇନ୍‍ ଓ ନ୍ୟାୟ ବିଭାଗ ମନ୍ତ୍ରୀ କିରଣ ରିଜ୍ଜୁ ରାଜ୍ୟ ସଭାରେ ସୂଚନା ଦେଇଥିବାବେଳେ ବାସ୍ତବରେ କିନ୍ତୁ ବିଧାନସଭା ସଚିବାଳୟ ଏ ସଂକ୍ରାନ୍ତରେ ୨୦୧୮ ସେପ୍ଟେମ୍ବର ୧୮ତାରିଖରେ କେନ୍ଦ୍ର ଆଇନ୍‍ ଓ ନ୍ୟାୟ ମନ୍ତ୍ରାଳୟ ସମେତ ଲୋକସଭା ଓ ରାଜ୍ୟସଭା ସଚିବାଳୟ ଏବଂ ଭାରତ ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗକୁ ପୃଥକ ପୃଥକ ଚିଠି ଲେଖି ଜଣାଇଛି ।

ଓଡିଶା ବିଧାନସଭା ସଚିିବାଳୟର ୧୮/୦୯/୨୦୧୮ ତାରିଖର ୮୮୫୮ ନମ୍ବର ଥିବା ଏ ସଂକ୍ରାନ୍ତୀୟ ଚିଠିଟି ବିଧାନସଭା ସଚିବ ଅମୀୟ କୁମାର ଷଡଙ୍ଗୀଙ୍କ ଦସ୍ତଖତରେ ଲୋକସଭାର ମହାସଚିବଙ୍କ ନିକଟକୁ ପଠାଯାଇଛି । ସେହିଦିନର ପତ୍ର କ୍ରମାଙ୍କ ୮୮୫୯ ଚିଠିଟି ରାଜ୍ୟସଭା ସଚିବାଳୟର ମହାସଚିବଙ୍କ ନିକଟକୁ ପ୍ରେରଣ କରାଯାଇଥିବାବେଳେ ୮୮୬୦ ନମ୍ବର ଚିଠିଟି କେନ୍ଦ୍ର ଆଇନ୍‍ ଓ ନ୍ୟାୟ ମନ୍ତ୍ରଣାଳୟର ସଚିବ ଏବଂ ୮୮୬୧ ନମ୍ବରର ଚିଠିଟି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବଙ୍କ ନିକଟକୁ ଓଡିଶା ବିଧାନସଭାର ସଚିବ ପଠାଇଛନ୍ତି ।

ଓଡିଶା ବିଧାନସଭା ସଚିବାଳୟ ପଠାଇଥିବା ଏହି ୪ଟି ଯାକ ଚିଠିର ବିଷୟବସ୍ତୁ ସମ୍ବିଧାନର ୧୬୯(୧) ଧାରା ଅନୁଯାୟୀ ଓଡିଶାରେ ବିଧାନ ପରିଷଦ ଗଠନ ସମ୍ପର୍କରେ ଓଡିଶା ବିଧାନସଭାରେ ପାରିତ ହୋଇଥିବା ପ୍ରସ୍ତାବ ବୋଲି ଉଲ୍ଲେଖ କରାଯାଇଛି ।

ଏହି ପତ୍ରଗୁଡିକରେ ବିଧାନସଭା ସଚିବ ଉଲ୍ଲେଖ କରିଛନ୍ତି ଯେ ୨୦୧୮ ସେପ୍ଟେମ୍ବର ୬ତାରିଖରେ ବିଧାନସଭାରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ବହୁ ମତରେ ପାରିତ ହୋଇଥିଲା । ଏଥିଲାଗି ସମ୍ବିଧାନରେ ସଂଶୋଧନ ଆଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୁହାଯାଇଥିଲା । ସେଦିନ ବିଧାନସଭାରେ ଏହି ସଙ୍କଳ୍ପ ପାରିତ କରାଇବା ଲାଗି ମତଦାନ କରାଯାଇଥିଲା । ମୋଟ୍‍ ୧୪୭ଜଣ ବିଧାୟକଙ୍କ ମଧ୍ୟରୁ ସେଦିନ ବିଧାନସଭାରେ ୧୦୪ଜଣ ବିଧାୟକ ଉପସ୍ଥିତ ରହି ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବାବେଳେ ପ୍ରସ୍ତାବ ବିରୁଦ୍ଧରେ ଗୋଟିଏ ହେଲେ ଭୋଟ ପଡିନଥିଲା ।

ଏହି ପ୍ରସଙ୍ଗକୁ ଘେନି ଏବେ ରାଜନୀତି ଜୋର ଧରିଛି । ଓଡିଶା ବିଧାନସଭାରେ ପାରିତ ପ୍ରସ୍ତାବ ବିଧାନସଭା ସଚିବାଳୟ ପକ୍ଷରୁ କେନ୍ଦ୍ର ଆଇନ୍‍ ଓ ନ୍ୟାୟ ମନ୍ତ୍ରଣାଳୟ ସମେତ ସଂସଦୀୟ ବ୍ୟାପାର ବିଭାଗ ଏବଂ ରାଜ୍ୟସଭା ଓ ଲୋକସଭା ସଚିବାଳୟକୁ ଜଣାଇ ଦିଆଯାଇଥିବାବେଳେ ଆଇନ୍‍ ଓ ନ୍ୟାୟ ବିଭାଗର କେନ୍ଦ୍ରମନ୍ତ୍ରୀ ଶ୍ରୀ ରିଜ୍ଜୁ ଏହି ପ୍ରସ୍ତାବ କେନ୍ଦ୍ର ସରକାର ପାଇନାହାନ୍ତି ଓ ତାହା ସଂଗ୍ରହ କରିବାକୁ ଉଦ୍ୟମ ଚାଲିଛି ବୋଲି କହିଥିଲେ ।

ତେବେ ଆନ୍ଧ୍ରପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତରପ୍ରଦେଶ ଭଳି ୬ଟି ରାଜ୍ୟରେ ବିଧାନ ପରିଷଦ ରହିଛି ଏବଂ ଆସାମ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ବିଧାନସଭାରେ ବିଧାନ ପରିଷଦ ଗଠନ ସଂକ୍ରାନ୍ତୀୟ ପ୍ରସ୍ତାବ ପାରିତ ହୋଇଥିବାବେଳେ ଓଡିଶା ବିଧାନସଭାରେ ଗୃହୀତ ଏ ସଂକ୍ରାନ୍ତୀୟ ପ୍ରସ୍ତାବ କେନ୍ଦ୍ରକୁ ପଠାଯାଇଥିଲେ ମଧ୍ୟ ସରକାର କିଭଳି ତାହା ପାଇନାହାନ୍ତି ସେ ପ୍ରସଙ୍ଗ ଅନେକଙ୍କୁ ବିସ୍ମିତ କରିଛି । (ତଥ୍ୟ)