Home General ୨୦ବର୍ଷରେ ୮ହଜାର କୋଟିର ସହାୟତା

୨୦ବର୍ଷରେ ୮ହଜାର କୋଟିର ସହାୟତା

ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷତିର ମୁକାବିଲା ପାଇଁ ଗତ ୨୦ବର୍ଷ ମଧ୍ୟରେ ଓଡିଶା କେନ୍ଦ୍ର ନିକଟରେ ୫୬ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଦାବି କରିଥିବାବେଳେ ଏଯାବତ୍‍ ଏ ବାବଦରେ ୮ହଜାର କୋଟି ଟଙ୍କା ମଧ୍ୟ ମିଳିନାହିଁ । ଲଗାତାର ବନ୍ୟା, ବାତ୍ୟା, ମରୁଡି ଆଦି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଓଡିଶାର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇପଡୁଥିବାବେଳେ ସ୍ଥିତି ସୁଧାରିବାପାଇଁ ଯେତେ ସହାୟତା ମିଳିବାକଥା ତାହା କେନ୍ଦ୍ରରୁ ଆସିପାରୁ ନାହିଁ ।

୨୦୦୦ ମସିହାରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୩ବର୍ଷକୁ ଛାଡିଦେଲେ ଅନ୍ୟ ସବୁବର୍ଷରେ ଓଡିଶାରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ୨୦ବର୍ଷ ଭିତରେ ୧୫ଟି ପ୍ରଳୟଙ୍କରୀ ବନ୍ୟା ସହିତ ୬ଟି ଭୟଙ୍କର ମରୁଡି ଓ ଆଉ ୬ଟି ସାଂଘତିକ ବାତ୍ୟାକୁ ଓଡିଶା ମୁକାବିଲା କରିଛି ।

୨୦୧୯ ମଇ ମାସରେ ସାଂଘାତିକ ବାତ୍ୟା ଫନି ଓଡିଶାକୁ ଶକ୍ତି ଧକ୍କା ଦେଇଥିଲା । ଏହା ପରେ ପରେ ଅମ୍ଫାନ ଓ ଏବେ ୟସ୍‍ ଭଳି ବଡ ବାତ୍ୟା ଓଡିଶାକୁ ଦୋହଲାଇ ଦେଇଛି । ଫନି ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସି ବାତ୍ୟା ଜନିତ ପରିସ୍ଥିତି ମୁକାବିଲା କରିବାରେ ରାଜ୍ୟ ସରକାର ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭୂୟସୀ ପ୍ରଶଂସା କରିଥିଲେ । ସେତେବେଳେ ବିଭିନ୍ନ ଜାତୀୟ ଓ ଆର୍ନ୍ତଜାତିକ ସଂଗଠନ ଓଡିଶାର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ପ୍ରଶଂସାରେ ପୋତି ପକାଇଥିଲେ ।

ସେ ସମୟରେ ଓଡିଶାକୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଫୋକସ୍‍ଡ ରାଜ୍ୟ ଘୋଷଣା କରିବାଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି ଉଠାଇବା ସଂଗେ ସଂଗେ ବିପର୍ଯ୍ୟୟ ମୁକାବିଲା ଲାଗି ସ୍ୱତନ୍ତ୍ର ଭିତ୍ତିଭୂମି ପ୍ରତିଷ୍ଠା ଲାଗି କେନ୍ଦ୍ର ଠାରୁ ୧୦ହଜାର କୋଟି ଟଙ୍କା ସହାୟତା ଲୋଡିଥିଲେ । ନୀତି ଆୟୋଗର ପୂର୍ବାଞ୍ଚଳ ଜୋନାଲ କମିଟି ବୈଠକରେ ବି ଏ ପ୍ରସଙ୍ଗ ଉଠିଥିଲା । କିନ୍ତୁ ଫନି ପରେ ଅମ୍ଫାନ ଯାଇ ୟସ ତାଣ୍ଡବ ରଚନା କରିସାରିଥିବାବେଳେ ଓଡିଶାର ଏହି ଦାବି ଏଯାବତ୍‍ କେନ୍ଦ୍ର ସଚିବାଳୟର ନଥିପତ୍ରରେ ବାନ୍ଧିହୋଇ ରହିଯାଇଛି ବୋଲି ଅଭିଯୋଗ ହେଉଛି ।

ଏଠାରେ ଉଲ୍ଲେଖନୀୟ ଯେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସଙ୍ଗରେ ୨୦୦୦ରୁ ଏଯାବତ୍‍ ଓଡିଶା ୫୬,୧୧୮କୋଟି ଟଙ୍କାର ସହାୟତା ଲାଗି କେନ୍ଦ୍ର ନିକଟରେ ଦାବି କରିଥିବାବେଳେ ଏ ବାବଦରେ ମାତ୍ର ୭୫୭୮କୋଟି ଟଙ୍କା ମିଳିଛି । ଅର୍ଥାତ୍‍ ରାଜ୍ୟ ଯେତେ ଦାବି କରିଛି ତାହାର ପ୍ରାୟ ୮ଭାଗେରୁ ଭାଗେ ଅର୍ଥ ଆର୍ଥିକ ସହାୟତା କେନ୍ଦ୍ର ଯୋଗାଇଛି ।

୧୯୯୯ରେ ଓଡିଶାରେ ମହାବାତ୍ୟା ପ୍ରଳୟଙ୍କରୀ ତାଣ୍ଡବ ରଚିଥିଲା । ସେତେବେଳେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଓଡିଶାକୁ ବିଭିନ୍ନ ଉପାୟରେ ବ୍ୟାପକ ସହାୟତା ଯୋଗାଇଥିଲେ । ବିଶେଷକରି ଗରିବ ଲୋକଙ୍କୁ ମାଗଣାରେ ଘର ଯୋଗାଣ ଠାରୁ ଆରମ୍ଭକରି ରାସ୍ତାଘାଟ ନିର୍ମାଣ, ବିଦ୍ୟୁତକରଣ ଆଦି କାର୍ଯ୍ୟକ୍ରମ ଏଥିରେ ପ୍ରମୁଖ ଥିଲା ।

ଗବେଷକମାନେ କହୁଛନ୍ତି ଯେ ବିଗତ ୧୦୦ବର୍ଷ ମଧ୍ୟରେ ଓଡିଶା ୧୩୦ଟିରୁ ଅଧିକ ଝଡର ସାମ୍ନା କରିଛି । ବ୍ରିଟିଶ ସରକାର ସମୟରେ ଓଡିଶାର ଦୁର୍ଭିକ୍ଷ ଜନିତ ପରିସ୍ଥିତିକୁ ଅଣଦେଖା କରାଯାଉଥିବାରୁ ସେତେବେଳେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ବିଧାନ ପରିଷଦରେ ଅଶ୍ରୁତର୍ପଣ କରିଥିବାବେଳେ ମହାତ୍ମାଗାନ୍ଧୀ ଓଡିଶାରେ ବ୍ୟାପକ ରିଲିଫ କାମ ଚଳାଇଥିଲେ । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାକୃତିକ ବିପର୍ଯ୍ୟୟ ପ୍ରସଙ୍ଗରେ ଓଡିଶା ପାତର ଅନ୍ତର ନୀତିର ଶିକାର ହୋଇଆସୁଛି । (ତଥ୍ୟ)