Home Education ୧୮୩ ପ୍ରଫେସର ପଦବୀ ପାଇଁ ଆବେଦନ ଆହ୍ୱାନ

୧୮୩ ପ୍ରଫେସର ପଦବୀ ପାଇଁ ଆବେଦନ ଆହ୍ୱାନ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ୧୧ଟି ବିଶ୍ୱବିଦ୍ୟାଳୟ ପାଇଁ ୧୮୩ଜଣ ପ୍ରଫେସର ନିଯୁକ୍ତ ହେବେ । ସଂଶୋଧିତ ବିଶ୍ୱବିଦ୍ୟାଳୟ ଆଇନ୍‍ ଆଧାରରେ ଗତ ମାର୍ଚ୍ଚମାସରୁ ସରକାର ଓଡିଶା ଲୋକସେବା ଆୟୋଗକୁ ଏହି ପଦବୀଗୁଡିକ ଲାଗି ଯୋଗ୍ୟପ୍ରାର୍ଥୀ ଚୟନ ପାଇଁ କହିଥିଲେ ।

ଆୟୋଗ ପକ୍ଷରୁ ଇତି ମଧ୍ୟରେ ବିଶ୍ୱବିଦ୍ୟାଳୟଗୁଡିକର ପ୍ରଫେସର ପଦବୀ ପୂରଣ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆହ୍ୱାନ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୨୪ସୁଦ୍ଧା ଇଚ୍ଛୁକ ପ୍ରାର୍ଥୀମାନେ ଏଥିଲାଗି ଆବେଦନ କରିବେ । ତେବେ ଯେଉଁ ପ୍ରକ୍ରିୟାରେ ବିଭିନ୍ନ ବିଷୟ ଲାଗି ପ୍ରଫେସର ପ୍ରାର୍ଥୀ ଚୟନ କରାଯିବ ତାହା ଶେଷ ହେବାବେଳକୁ ୨୦୨୨ ମଧ୍ୟଭାଗ ହୋଇଯାଇପାରେ ବୋଲି ଅନୁମାନ କରାଯାଉଛି ।

ବିଶ୍ୱବିଦ୍ୟାଳୟ କିମ୍ବା କଲେଜଗୁଡିକରେ ୧୦ବର୍ଷର ଶିକ୍ଷକତା କିମ୍ବା ଖ୍ୟାତି ସମ୍ପନ୍ନ ଗବେଷଣାଗାରରେ ଅନୁରୂପ ଅବଧିର ଗବେଷଣା ଅଭିଜ୍ଞତା ଥିବା ପ୍ରାର୍ଥୀ ଏଥିଲାଗି ଆବେଦନ କରିପାରିବେ । ଏହି ପଦବୀପାଇଁ ସର୍ବୋଚ୍ଚ ବୟସସୀମା ରଖାଯାଇନାହିଁ । ତେବେ ବିଶ୍ୱବିଦ୍ୟାଳୟଗୁଡିକର ପ୍ରଫେସରମାନେ ଯେଉଁ ବୟସରେ ଅବସର ଗ୍ରହଣ କରନ୍ତି ଆବେଦନକାରୀ ପ୍ରାର୍ଥୀଙ୍କ ବୟସ ତାହାଠାରୁ କମ୍‍ ହୋଇଥିବା ଆବଶ୍ୟକ ।

ପ୍ରାର୍ଥୀଙ୍କର ଭଲ ଶିକ୍ଷାଗତ ରେକର୍ଡ ସହିତ ଅତି କମ୍‍ରେ ପି.ଏଚ୍‍ଡି ଥିବା ଆବଶ୍ୟକ । ତାଙ୍କର ୧୦ କିମ୍ବା ତଦୁର୍ଦ୍ଧ ଗବେଷଣା ନିବନ୍ଧ ପ୍ରକାଶ ପାଇଥିବ ଏବଂ ଗବେଷଣା ସ୍କୋର ଅତି କମ୍‍ରେ ୧୨୦ ଥିବା ଦରକାର । ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପୂରଣ ହେବାକୁ ଯାଉଥିବା ୧୮୩ଟି ପ୍ରଫେସର ପଦବୀ ମଧ୍ୟରୁ ୨୪ଟି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଅନ୍ୟ ବର୍ଗଗୁଡିକ ଲାଗି ରୋଷ୍ଟର ପଏଣ୍ଟ ଭାକେନ୍ସି ଆଧାରରେ ମଧ୍ୟ ସଂରକ୍ଷଣ ରହୁଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି ।

ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ବିଭିନ୍ନ ବିଷୟରେ ସର୍ବାଧିକ ୩୬ଟି ପ୍ରଫେସର ପଦବୀ ପୂରଣ ହେବାକୁ ଯାଉଥିବାବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟର ୨୬ଟି, ଗଙ୍ଗାଧରମେହେର ବିଶ୍ୱବିଦ୍ୟାଳୟର ୧୯, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୧୮, କଳାହାଣ୍ଡି ବିଶ୍ୱବିଦ୍ୟାଳୟର ୧୬ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୧୫ଟି ପ୍ରଫେସର ପଦବୀ ପୂରଣ ଲାଗି ପ୍ରକ୍ରିୟା ଚାଲିଛି । ଏହାଛଡା ସମ୍ବଲପୁର ବିଶ୍ୱବିଦ୍ୟାଳୟର ୧୩ଟି, ବ୍ରହ୍ମପୁର ଓ ଫକୀରମୋହ ବିଶ୍ୱବିଦ୍ୟାଳୟର ୧୨ଟି କରି, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୯ଟି ଓ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ୭ଟି ପ୍ରଫେସର ପଦବୀ ପୂରଣ ଲାଗି ଉଦ୍ୟମ ଚାଲିଛି ।

ଇତି ମଧ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ଲାଗି ଓଡିଶା ଲୋକସେବା ଆୟୋଗ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିଛି । ଏଠାରେ ଉଲ୍ଲେଖନୀୟ ଯେ ମିତବ୍ୟୟିତା ଆଳରେ ସରକାର ପଦବୀ ଉଚ୍ଛେଦ ସହ ନିଯୁକ୍ତି ଉପରେ ପୂର୍ବରୁ କଟକଣା ଜାରି କରିଥିଲେ । ତେବେ ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟଗୁଡିକୁ ନିର୍ଦ୍ଦିଷ୍ଟ ସଂଖ୍ୟକ ଶିକ୍ଷକ ପଦବୀ ପୂରଣପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ତ୍ରୁଟିପୂର୍ଣ୍ଣ ପଦ୍ଧତି ଯୋଗୁଁ ମାଲିମୋକଦ୍ଦମା ଚାଲିବାରୁ କେତେକ କ୍ଷେତ୍ରରେ ନିଯୁକ୍ତି ହୋଇପାରି ନାହିଁ । ଏବେ ଆୟୋଗର ସୁପାରିଶ ଭିତ୍ତିରେ ବିଶ୍ୱବିଦ୍ୟାଳୟଗୁଡିକ ପ୍ରଫେସର ପଦବୀ ପୂରଣ କରିବେ । (ତଥ୍ୟ)

LEAVE A REPLY

Please enter your comment!
Please enter your name here