Home Energy ଓରେଡା କରିଛି ୧୬୩୦ ସୌର ଶକ୍ତି ପ୍ରକଳ୍ପ

ଓରେଡା କରିଛି ୧୬୩୦ ସୌର ଶକ୍ତି ପ୍ରକଳ୍ପ

ଭୁବନେଶ୍ୱର : ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ମାଧ୍ୟମରେ ରାଜ୍ୟର ୧୬୩୦ଟି ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରାଯାଇଛି । ଏଥି ମଧ୍ୟରେ ସର୍ବାଧିକ ୭୬୬ଟି ଆବାସିକ ବିଦ୍ୟାଳୟ ରହିଛି ।

ବିଜେଡି ବିଧାୟକ ପ୍ରଫୁଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓରେଡା ସ୍ଥାପନ କରିଥିବା ୧୬୩୦ ଟି ପ୍ରକଳ୍ପର ସୌରଶକ୍ତି କ୍ଷମତା ହେଉଛି ୧୬,୫୬୭.୧୯ କିଲୋୱାଟ । ଏଥି ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ୧୭୫ଟି ଥାନା, ୮ଟି ପ୍ରାଥମିକ ଚିକିତ୍ସାଳୟ, ୩୧୩ଟି ଅଗ୍ନିଶମ କେନ୍ଦ୍ର, ୧୯୦ଟି ପଞ୍ଚାୟତ ସମିତି କାର୍ଯ୍ୟାଳୟ, ୧୦ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୪୦ଟି ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଓଏମ୍‍ସି ଦ୍ୱାରା ପରିଚାଳିତ ୯ଟି ଖଣି ରହିଛି ।

ସେହିଭଳି ଓପିଟିସିଏଲ୍‍ ଦ୍ୱାରା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସର୍ବମୋଟ୍‍ ୧୦୬ଟି ସ୍ଥାନରେ ସୌର ପାନେଲ ସ୍ଥାପନ କରାଯାଇଛି । ଏହାର ବିଦ୍ୟୁତ୍‍ ଉତ୍ପାଦନ ପରିମାଣ ୬୩୫ କିଲୋୱାଟ । ଓପିଟିସିଏଲ୍‍ ଭୁବନେଶ୍ୱର ଠାରେ ଥିବା ନିଜସ୍ୱ ମୁଖ୍ୟ କାର୍ଯ୍ୟାଳୟ କୋଠାରେ ୧୫୩ କିଲୋୱାଟ ଶକ୍ତି ସମ୍ପନ୍ନ ସୌର ପାନେଲ ସ୍ଥାପନ କରିଛି । ଗ୍ରିଡ୍‍କୋ ଦ୍ୱାରା ୬୫ଟି ସରକାରୀ କୋଠା ତଥା ଶିକ୍ଷାନୁଷ୍ଠାନ କୋଠା ଉପରେ ମୋଟ୍‍ ୪ମେଗାୱାଟ କ୍ଷମତା ବିଶିଷ୍ଟ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ ହୋଇଛି । (ତଥ୍ୟ)