Home Administration ୧୬ରୁ ମୁଖ୍ୟ ସଚିବ ସମ୍ମିଳନୀ

୧୬ରୁ ମୁଖ୍ୟ ସଚିବ ସମ୍ମିଳନୀ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଆସନ୍ତା ୧୬ ଏବଂ ୧୭ତାରିଖରେ ହିମାଚଳପ୍ରଦେଶର ଧର୍ମଶାଳା ଠାରେ ଆୟୋଜିତ ମୁଖ୍ୟ ଶାସନ ସଚିବ ସମ୍ମିଳନୀରେ ଯୋଗଦେବେ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ପାଇଁ ଦେଶର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏହା ହେଉଛି ଏହି ଧରଣର ପ୍ରଥମ ସମ୍ମିଳନୀ ।

ଏହି ସମ୍ମିଳନୀରେ ଶିକ୍ଷା, ସହରାଞ୍ଚଳ ପ୍ରଶାସନ ଏବଂ କୃଷି ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀକୁ ସମ୍ବୋଧିତ କରିବେ । ଓଡିଶାରୁ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜିବ ଚୋପ୍ରା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ପ୍ରମୁଖ ଯୋଗଦେବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାର ପ୍ରମୁଖ ସଚିବ ଶ୍ରୀ ସେଠୀ ସମ୍ମିଳନୀରେ ଶିକ୍ଷା ବ୍ୟବସ୍ଥା ଓ ଜାତୀୟ ଶିକ୍ଷା ନୀତିର ପ୍ରଣୟନ ସଂକ୍ରାନ୍ତରେ ସବିଶେଷ ବିବରଣୀ ଉପସ୍ଥାପନ କରିବେ ବୋଲି ଜଣାଯାଇଛି ।

ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଯୋଗଦେବେ । କେନ୍ଦ୍ର କାର୍ମିକ ମନ୍ତ୍ରୀ ଜିତେନ୍ଦ୍ର ସିଂହ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ.ମିଶ୍ର, କ୍ୟାବିନେଟ ସଚିବ ରାଜୀବ ଗୌବା, ନୀତି ଆୟୋଗ ସିଇଓ ଅମିତାଭ କାନ୍ତ, କେନ୍ଦ୍ର କାର୍ମିକ ଓ ତାଲିମ ସଚିବ ଏସ୍‍.ରାଧା ଚୌହାନ ଏବଂ ଅନ୍ୟ ସଚିବମାନେ ଉପସ୍ଥିତ ରହିବେ । ମୁଖ୍ୟ ସଚିବମାନଙ୍କ ସମ୍ମିଳନୀରେ ମୁଖ୍ୟତଃ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଜୋର ଦିଆଯିବ ।

ସମ୍ମିଳନୀରେ ଦେଶର ବରିଷ୍ଠ ଅଧିକାରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ଏହାର ସମାଧାନ ଉପରେ ଚର୍ଚ୍ଚା ହେବ । ଏଥି ସହିତ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଉପୁଜୁଥିବା ମତପାର୍ଥକ୍ୟକୁ କିଭଳି ସମାଧାନ କରାଯାଇ ପାରିବ ସେ ସଂକ୍ରାନ୍ତରେ ଆଲୋଚନା ହେବ ।

ଏହି ସମ୍ମିଳନୀରେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଉଥିବାରୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଥିବା ଅଗ୍ରଗାମୀ ଯୋଜନାଗୁଡିକ ଯେଭଳି ସୁଚାରୁ ରୂପେ କାର୍ଯ୍ୟକାରୀ ହେବ ସେଥିପାଇଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ରାଜ୍ୟମାନଙ୍କକୁ ପରାମର୍ଶ ଦେବେ ।

ରାଜ୍ୟ ସରକାରଙ୍କ ସହରାଞ୍ଚଳ ପ୍ରଶାସନ ଯେଭଳି ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ତାହା ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିବାରୁ ଏହି ସଫଳତା ମଧ୍ୟ ସମ୍ମିଳନୀରେ ଉପସ୍ଥାପନ କରାଯିବବୋଲି ଜଣାଯାଇଛି । ଅନୁରୂପ ଭାବେ ପ୍ରଧାନମନ୍ତ୍ରୀଙ୍କ ଅଗ୍ରାଧିକାର ପ୍ରକଳ୍ପ ‘କୃଷକଙ୍କ ଆୟ ଦୁଇଗୁଣା’ ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ ହେଉଛି । ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଓଡିଶା ଚାଷୀୟ ଆୟ ଦୁଇଗୁଣା ହୋଇଥିବାରୁ ମଧ୍ୟ ରାଜ୍ୟକୁ ପ୍ରଶଂସା କରାଯାଇଛି । ଏହି ସମ୍ମିଳନୀରେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା ଯୋଗଦେବେ ଯିଏ କି ରାଜ୍ୟ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ ଅନେକ ଚାଷୀ ଅନୁକୂଳ ଯୋଜନା କାର୍ଯ୍ୟକାରୀ କରିଥିଲେ ।

ପ୍ରତିବର୍ଷ ପୁଲିସ୍‍ ମହାନିର୍ଦ୍ଦେଶକ ସମ୍ମଳନୀ ଯେଭଳି ଆୟୋଜିତ ହୋଇଥାଏ ସେହି ଢାଞ୍ଚାରେ ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀ ଆୟୋଜିତ ହୋଇଛି । ଏହି ଦୁଇ ଦିନିଆ ସମ୍ମିଳନୀକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ନୀତିଆୟୋଗ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ଧରଣର ସମ୍ମିଳନୀ ଉଭୟ ଓ କେନ୍ଦ୍ର ଓ ରାଜ୍ୟମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ପ୍ରଶାସନିକ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । (ତଥ୍ୟ)