Home General ୧୪ରେ ଆସୁଛି “ମନ ମୋ ନେଇ ଗଲୁରେ”

୧୪ରେ ଆସୁଛି “ମନ ମୋ ନେଇ ଗଲୁରେ”

ଭୁବନେଶ୍ୱର : ଦଶହରା ସିନେ ବଜାରରେ ଧମାକା କରିବାକୁ ପ୍ରେକ୍ଷାଳୟକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁ ରେ’ । ସୁମା ରିଅଲ୍ ମିଡିଆର ଦ୍ୱିତୀୟ ଅବଦାନରେ ପ୍ରସ୍ତୁତ ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର ବିଭିନ୍ନ ହଲ୍‌ରେ ଆସନ୍ତା ୧୪ରେ ମୁକ୍ତିଲାଭ କରୁଛି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆଇବିସିଏସ୍ କ୍ୟାମ୍ପସ୍ ସମ୍ମିଳନୀ କକ୍ଷରେ ଏହାର ଅଡିଓ ରିଲିଜ୍ ହୋଇଯାଇଛି । ଏହି ଅବସରରେ ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା ହୋଇଛି ।ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଳଚ୍ଚିତ୍ରର ସଫଳତା କାମନା ପୂର୍ବକ ଅଡିଓ ରିଲିଜ୍ କରିଥିଲେ । ଏଥି ସହିତ ସୁମା ରିଅଲ୍ ମିଡିଆର ମ୍ୟୁଜିକ୍ ଚ୍ୟାନେଲ୍ ‘ଏସ୍‌ଆର୍‌ଏମ୍‌’ର ଲୋଗୋ ମଧ୍ୟ ଉନ୍ମୋଚନ କରିଥିଲେ ।

ପ୍ରାରମ୍ଭିକ କାର୍ଯ୍ୟକ୍ରମ ପରେ ସିନେ ନିର୍ମାଣ ଟିମ୍ ଚଳଚ୍ଚିତ୍ର ସମ୍ପର୍କରେ ଅନୁଭୂତି ବଖାଣି ଥିଲେ । ଏହି ଅବସରରେ ସୁମା ରିଅଲ୍ ମିଡିଆର ସିଇଓ ତଥା ସିନେମାର ପ୍ରଯୋଜକ ସୁନୀଲ ଦାସ କହିଥିଲେ ଯେ ପ୍ରଫେସର ନାୟକଙ୍କ ପ୍ରେରଣା ଓ ତତ୍ୱ୍ୱାବଧାନରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଛି । ଏହା ସଂସ୍ଥାର ଦ୍ୱିତୀୟ ଚଳଚ୍ଚିତ୍ର । ପ୍ରଥମ ଚଳଚ୍ଚିତ୍ର ଥିଲା ‘ଫେରିଆ’ । ଯାହକିି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ୬ଟି ପୁରସ୍କାର ପାଇବା ସହ ସଫଳତା ସାଉଁଟି ଥିଲା ।

ଚଳଚ୍ଚିିତ୍ରର କାହାଣୀକାର ଦିଲ୍ଲୀପ କୁମାର ଦାସ କହିଛନ୍ତି, ଏଥିରେ ଅନେକ ସାମାଜିକ ବାର୍ତା ରହିଛି । ତା’ ସହିତ କଲେଜ ଜୀବନରେ ପିଲାମାନେ କିପରି ଚାକଚକ୍ୟ ଭିତରେ ନିଜ ଭବିଷ୍ୟତ ସହ ଖେଳନ୍ତି, ତାହା ଚିତ୍ରଣ କରାଯାଇଛି । ଯାହାକୁ ଦେଖି ସେନ୍‌ସର୍ ବୋର୍ଡ ସଦସ୍ୟ ବହୁ ପ୍ରଶଂସା କରିଛନ୍ତି । ସିନେମାର ନିର୍ଦ୍ଦେଶକ ତଥା ଓଲିଉଡ ଗିମିକ୍ ମାଷ୍ଟର୍ ଡ. ସଞ୍ଜୟ ନାୟକ କହିଛନ୍ତି, ଚଳଚ୍ଚିତ୍ରର ପ୍ରତ୍ୟେକ ଦିଗକୁ ଗୁରୁତ୍ୱ ଦିଆଯାଇଛି । କଳାକାର ଚୟନ, ସଙ୍ଗୀତ, କାହାଣୀ, ପୋଷାକ, ଲୋକେସନ୍ ଓ ନିର୍ଦ୍ଦେଶନା ସବୁ ଦିଗପ୍ରତି ଧ୍ୟାନ ଦିଆଯାଇଛି ।

କରୋନା କାରଣରୁ ଦୀର୍ଘସମୟ ପ୍ରେକ୍ଷାଳୟ ବନ୍ଦ ରହିଥିଲା ।ଏବେ ସ୍ଥିତି କିଛିଟା ସାଧାରଣ ହେବାକୁ ଯାଉଛି । ତେଣୁ ଦଶହରାରେଏହି ଚଳଚ୍ଚିତ୍ର ବ୍ୟବସାୟିକ ସଫଳତା ପାଇବ ବୋଲି ଆଶା କରାଯାଏ । ସବୁ ରେକର୍ଡ ଭାଙ୍ଗି ଏକ ନୂଆ କୀର୍ତିମାନ ସ୍ଥାପନ ହେବ ବୋଲି ପୁରା ଟିମ୍ ଆଶାବାଦୀ ଅଛନ୍ତି । ସିନେମାର ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ କହିଛନ୍ତି, ମୋ କ୍ୟାରିଅରର ପ୍ରଥମ ସିନେମା ଦଶହରା ପୂଜାରେ ରିଲିଜ୍ ହେଉଛି । ଏଥିପାଇଁ ମୁଁ ଯେତିକି ଉତ୍ସାହିତ ତା’ଠୁ ବେଶି ଖୁସି ଦୀର୍ଘଦିନ ପରେ ପୁଣି ପ୍ରେକ୍ଷାଳୟ ପୂରି ଉଠିବାକୁ ଯାଉଛି ।

ସିନେମାର ଶୀର୍ଷକ ସଙ୍ଗୀତକୁ ମିଶାଇ ମୋଟ୍ ୪ଟି ଗୀତ ରହିଛି । ଚେଷ୍ଟା କରିଛି ପ୍ରତିଟି ଗୀତ ଭିନ୍ନ କରିବାକୁ । କାରଣ ଡ. ସଞ୍ଜୟ ନାୟକଙ୍କ ସିନେମା ମାନେ ଗୀତ ନିଶ୍ଚୟ ହିଟ୍ ଏବଂ ନିଆରା ହେବା ଆବଶ୍ୟକ । ତେଣୁ ସେହି ବିଶ୍ୱାସ ଓ ଭରସା ରଖି ଭଲପାଇବା ଦେବେ ବୋଲି ଆଶା । ଏହାର ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ତପୁ ନାୟକ, ପ୍ରମୋଦ ପରିଡ଼ା ଓ ନିଜେ ଡ. ସଞ୍ଜୟ ନାୟକ । ଗାଇଛନ୍ତି ହ୍ୟୁମାନ୍ ସାଗର, ଗୌରବ, କୁଲଦୀପ, ଅସୀମା ପଣ୍ଡା, ଅନ୍ତରା, ଜ୍ୟୋତିର୍ମୟୀ ଓ ପ୍ରଜ୍ଞା । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍‌-ଟୁବୁନ୍ ।

ମୁଖ୍ୟ ଭୂମିକାରେ ଜ୍ୟୋତି ଓ ଭୂମିକା ଥିଲାବେଳେ ଅନ୍ୟ ମାନଙ୍କ ମଧ୍ୟରେ କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ବିରାଜ ଦାସ, ଗୁଡ୍ଡୁ, ଦିଲ୍ଲୀପ ଦାସ, ବିଜୁ ବଡ଼ଜେନା, ପ୍ରଦ୍ୟୁମ୍ନ ଲେଙ୍କା, ପିନାକୀ ନାୟକ, ଧରିତ୍ରୀ ଓ ଅନ୍ୟମାନେ ରହିଛନ୍ତି । ଡ. ସଞ୍ଜୟ ନାୟକ ସିନେମାର ସଂଳାପ ସାଙ୍ଗକୁ ଚିତ୍ରନାଟ୍ୟ ମଧ୍ୟ ପ୍ରସ୍ତୁତ କରିଛନ୍ତି । କ୍ୟାମେରା ପରିଚାଳନା ଚେନ୍ନାଇର ଏସ୍‌. ରଞ୍ଜନ କରିଥିବା ବେଳେ ସମ୍ପାଦନା କରିଛନ୍ତି ରଞ୍ଜନ କୁମାର ଖଟେଇ ।

ଏହିି ଅଡିଓ ରିଲିଜ୍ ଉତ୍ସବରେ ଅନ୍ୟତମ ଅତିଥି ଭାବେ ସୁମା ରିଅଲ୍ ମିଡିଆର ସେଲ୍ସ ଆଣ୍ଡ୍ ମାର୍କେଟିଂ ଡାଇରେକ୍ଟର ହିମାଂଶୁ ହୋତା ଏବଂ ‘ନ୍ୟୁଜ୍‌-୭’ କାର୍ଯ୍ୟ ନିର୍ବାହୀ ସମ୍ପାଦକ ଦେବ ନାରାୟଣ ସେଠୀ ଓ ଅନ୍ୟମାନେ ଯୋଗଦେଇ ଚଳଚ୍ଚିତ୍ରର ସଫଳତା କାମନା କରିଥିଲେ ।