Home General ୧୪ଟି ବିଭାଗ ୫୦ ପ୍ରତିଶତ ଖର୍ଚ୍ଚ କରିପାରି ନାହାନ୍ତି

୧୪ଟି ବିଭାଗ ୫୦ ପ୍ରତିଶତ ଖର୍ଚ୍ଚ କରିପାରି ନାହାନ୍ତି

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷର ଜାନୁୟାରୀ ଶେଷ ସୁଦ୍ଧା ରାଜ୍ୟର ୧୪ଟି ବିଭାଗ ସେମାନଙ୍କ ପାଇଁ ବରାଦ ହୋଇଥିବା ଅର୍ଥରୁ ୫୦ପ୍ରତିଶତ ଖର୍ଚ୍ଚ କରିପାରି ନାହାନ୍ତି । ଏହି ବିଭାଗଗୁଡିକ ମଧ୍ୟରୁ ସବୁଠାରୁ କମ୍‍ ଅର୍ଥାତ୍‍ ୧୫.୦୭ ପ୍ରତିଶତ ଅର୍ଥ ଶକ୍ତି ବିଭାଗ ବ୍ୟୟ କରିଛି ।

ବଜେଟ୍‍ ଅର୍ଥ ସଂକ୍ରାନ୍ତରେ ବିଜେଡି ବିଧାୟକ ଭୂପିନ୍ଦର ସିଂହ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ୨୦୨୧-୨୨ ବର୍ଷର ଜାନୁୟାରୀ ଶେଷ ସୁଦ୍ଧା ୧୪ଟି ବିଭାଗ ସେମାନଙ୍କ ପାଇଁ ବରାଦ ଅର୍ଥର ୫୦ପ୍ରତିଶତ ବି ଖର୍ଚ୍ଚ କରିପାରି ନାହାନ୍ତି । ଏହିସବୁ ବିଭାଗଗୁଡିକ ହେଲା ବାଣିଜ୍ୟ, ଅନୁସୂଚିତ ଜାତି ଓ ଜନଜାତି, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା, କ୍ରୀଡା ଓ ଯୁବସେବା ବିଭାଗ, ଶିଳ୍ପ, ପରିବହନ, ଇସ୍ପାତ ଓ ଖଣି, ସୂଚନା ଓ ଲୋକସମ୍ପର୍କ, ବିଜ୍ଞାନ ଓ ବୈଷୟିକଜ୍ଞାନ, ଗ୍ରାମ୍ୟ ଉନ୍ନୟନ, ଶକ୍ତି, ପର୍ଯ୍ୟଟନ, ସମବାୟ ଓ ସରକାରୀ ଉଦ୍ୟୋଗ ବିଭାଗ ।

ସବୁଠାରୁ କମ୍‍ ଅର୍ଥ ଖର୍ଚ୍ଚ କରିଥିବା ଶକ୍ତି ବିଭାଗ ପାଇଁ ଚଳିତ ଆର୍ଥିକ ବର୍ଷରେ ୩୯୪୧.୯୬ କୋଟି ଟଙ୍କା ବରାଦ ହୋଇଥିବାବେଳେ ବିଭାଗ ମାତ୍ର ୫୯୩.୯୯ କୋଟି ଟଙ୍କା ବ୍ୟୟ କରିବାରେ ସକ୍ଷମ ହୋଇଛି । ଶିଳ୍ପ ବିଭାଗ ପାଇଁ ୪୩୦.୯୮ କୋଟି ଟଙ୍କା ବରାଦ ହୋଇଥିବାବେଳେ ବିଭାଗ ମାତ୍ର ୧୦୧.୩୫ କୋଟି ଟଙ୍କା ବ୍ୟୟ କରିଛି ଯାହାକି ବରାଦ ଅର୍ଥର ମାତ୍ର ୨୩.୫୨ ପ୍ରତିଶତ । ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୬୦୬୬.୨୪ କୋଟି ଟଙ୍କାର ବରାଦ ହୋଇଥିବାବେଳେ ବିଭାଗ ଖର୍ଚ୍ଚ କରିଛି ମାତ୍ର ୧୮୩୫.୯୨ ଟଙ୍କା, ଅର୍ଥାତ୍‍ ବରାଦ ଅର୍ଥର ୩୦.୨୬ ପ୍ରତିଶତ ଖର୍ଚ୍ଚ କରିବାରେ ସଫଳ ହୋଇଛି ।

ସେହିଭଳି ପରିବହନ ବିଭାଗ ୩୦.୫୭ ଅର୍ଥ ବ୍ୟୟ କରିଥିବାବେଳେ ଇସ୍ପାତ ଓ ଖଣି ବିଭାଗ ୪୫ ପ୍ରତିଶତ, କ୍ରୀଡା ଓ ଯୁବସେବା ବିଭାଗ ୪୨.୮୬ ପ୍ରତିଶତ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ୩୩.୯୬ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛି ।

ରାଜ୍ୟ ବିଧାନସଭା ପାଇଁ ବରାଦ ହୋଇଥିବା ୧୨୪.୦୯ କୋଟି ଟଙ୍କା ମଧ୍ୟରୁ ଖର୍ଚ୍ଚ ହୋଇଛି ମାତ୍ର ୪୨.୮୩ କୋଟି ଟଙ୍କା ଅର୍ଥାତ୍‍ ୩୪.୫୧ ଅର୍ଥ ବ୍ୟୟ କରିବାରେ ସଫଳ ହୋଇଛି । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପାଇଁ ୩୮୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବରାଦ ହୋଇଥିବାବେଳେ ବିଭାଗ ମାତ୍ର ୪୮.୩୪ ପ୍ରତିଶତ ଅର୍ଥ ବ୍ୟୟ କରିବାରେ ସଫଳ ହୋଇଛି । ଜାନୁୟାରୀ ଶେଷ ସୁଦ୍ଧା ବିଭାଗ ମାତ୍ର ୧୮୩୮.୪୪ କୋଟି ଟଙ୍କା ବ୍ୟୟ କରିବାରେ ସଫଳ ହୋଇଛି । (ତଥ୍ୟ)