Home News in Odia ୧୨୨ କୋଟିରୁ ଅଧିକ ସାଇବର ଠକେଇ

୧୨୨ କୋଟିରୁ ଅଧିକ ସାଇବର ଠକେଇ

ଭୁବନେଶ୍ୱର : ୨୦୧୮ ମସିହାରୁ ଚଳିତବର୍ଷ ଏପ୍ରିଲ ମାସ ମଧ୍ୟରେ ସାଇବର ଅପରାଧୀମାନେ ଓଡ଼ିଶାରୁ ୧୨୨ କୋଟିରୁ ଅଧିକ ଟଙ୍କା ଠକି ନେଲେଣି । ତେବେ ଏଥିମଧ୍ୟରୁ ସାଇବର ପୋଲିସ ୩ କୋଟି ଟଙ୍କାରୁ କମ୍‍ ଅର୍ଥ ଫେରାଇ ଆଣିବାରେ ସକ୍ଷମ ହୋଇଛି ।

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୮ରୁ ୨୦୨୨ ଏପ୍ରିଲ ଶେଷ ସୁଦ୍ଧା ରାଜ୍ୟରୁ ମୋଟ ୧୨୨,୪୮,୧୮,୦୫୨ ଟଙ୍କା ଠକେଇ ହୋଇଥିବା ବେଳେ ସେଥିମଧ୍ୟରୁ ୨,୮୭,୯୪,୮୯୬ ଟଙ୍କା ଉଦ୍ଧାର ହୋଇଛି ।

ଏହି ମାମଲାରେ ୨୪ଜଣ ଆନ୍ତଃରାଜ୍ୟ ଠକଙ୍କୁ ଗିରଫ କରାଯାଇଛି । ସେହିଭଳି ଏହି ସମୟସୀମା ମଧ୍ୟରେ ମହିଳାଙ୍କ ସମ୍ମାନହାନି ସୂଚକ ସାଇବର ଅପରାଧରେ ମୋଟ ୧୦୩୪ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ସେହିଭଳି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ସାଇବର ଅପରାଧ ସଂକ୍ରାନ୍ତରେ ପଚାରିଥିବା ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ସାଇବର ଅପରାଧ ବୃଦ୍ଧି ଏକ ଆନ୍ତର୍ଜାତିକ ସମସ୍ୟା । ରାଜ୍ୟରେ ଏହା ବଢ଼ି ଚାଲିଛି । କମ୍ପ୍ୟୁଟର ବ୍ୟବହାରର ଦ୍ରୁତ ଅଭିବୃଦ୍ଧି, ଇଣ୍ଟରନେଟର ପ୍ରବେଶ, ସୋସିଆଲ ମିଡିଆ ଏବଂ ଇ-କମର୍ସର ବ୍ୟାପକ ବ୍ୟବହାର ଯୋଗୁଁ ଏଭଳି ଅପରାଧ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟରେ ୧୯୩୧ଟି ସାଇବର ଅପରାଧ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ଏଥିରେ ୩୬୬ଜଣ ଗିରଫ ହୋଇଛନ୍ତି । (ତଥ୍ୟ)