Home Judiciary ୧୨ବର୍ଷ ପରେ ଅନୁକମ୍ପା ନିଯୁକ୍ତି

୧୨ବର୍ଷ ପରେ ଅନୁକମ୍ପା ନିଯୁକ୍ତି

ଭୁବନେଶ୍ୱର : ସ୍ୱଳ୍ପ ରୋଜଗାରକ୍ଷମ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାର ଆର୍ଥିକ ଦୁର୍ଗତି ମଧ୍ୟ ଦେଇ ଗତି କରୁଥିବାବେଳେ ବିପନ୍ନ ପରିବାରକୁ ଅନୁକମ୍ପା ଦେଖାଇବା ପରିବର୍ତ୍ତେ ବହୁ କ୍ଷେତ୍ରରେ ବର୍ଷ ବର୍ଷ ଧରି ଅନୁକମ୍ପାମୂଳକ ନିଯୁକ୍ତି ଦିଆଯାଉନାହିଁ । ଫଳରେ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ସରକାର ଜନମଙ୍ଗଳ ପାଇଁ ଆଇନ୍‍ ପ୍ରଣୟନ କରୁଛନ୍ତି ତାହା ବାଟବଣା ହୋଇଯାଉଛି । ସୁପ୍ରିମ୍‍କୋର୍ଟ ଏଭଳି ଟିପଣୀ ଦେଇ ବିପନ୍ନ ପରିବାରର ଉତ୍ତରାଧିକାରୀଙ୍କୁ ସୀମିତ ସମୟ ମଧ୍ୟରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେବାରୁ ଏବେ ୧୨ବର୍ଷ ପରେ ସରକାରଙ୍କ ନିଦ ଭାଙ୍ଗୁଛି ।

ମାମଲାର ବିବରଣୀରୁ ପ୍ରକାଶ ଯେ ଓଡିଶା ସରକାରଙ୍କ ଅବକାରୀ ବିଭାଗରେ ଏଏସ୍‍ଆଇ ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କର ୨୦୧୦ ମସିହାରେ ମୃତ୍ୟୁ ଘଟିଥିଲା । ଏହାପରେ ତାଙ୍କ ପୁତ୍ର ପରିବାରର ସହମତି କ୍ରମେ ଅନୁକମ୍ପାମୂଳକ ନିଯୁକ୍ତି ଲାଗି ଆବେଦନ କରିଥିଲେ । ମୃତ କର୍ମଚାରୀଙ୍କ ବିଧବା ପତ୍ନୀ କାହିଁକି ସରକାରୀ ଚାକିରି କରିବେ ନାହିଁ ସେ ସଂକ୍ରାନ୍ତରେ ଖୋଳତାଡ କରି ବିଭାଗୀୟ କର୍ତ୍ତୃପକ୍ଷ ମେଡିକାଲ ବୋର୍ଡରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ଏବଂ ବିଧବା ପତ୍ନୀ ଜଣଙ୍କ ସରକାରୀ ଚାକିରି କରିବାପାଇଁ ସମ୍ପୂର୍ଣ୍ଣ ଅକ୍ଷମ ବୋଲି ମେଡିକାଲ ବୋର୍ଡ ରିପୋର୍ଟ ଦେଇଥିଲେ । ଏଥି ସହିତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚିଠି ଅନୁଯାୟୀ ସମ୍ପୃକ୍ତ ଜିଲ୍ଲାପାଳ ତଦନ୍ତ କରାଇ ମୃତ କର୍ମଚାରୀଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନୁହେଁ ବୋଲି ଉଲ୍ଲେଖ କରିଥିଲେ ।

ଇତି ମଧ୍ୟରେ ୧୯୯୦ ମସିହାର ଅନୁକମ୍ପାମୂଳକ ଆଇନ୍‍କୁ ଉଚ୍ଛେଦ କରି ରାଜ୍ୟ ସରକାର ୨୦୨୦ରେ ନୂଆ ଆଇନ୍‍ ଆଣିଛନ୍ତି । ପୁରୁଣା ଆଇନ୍‍ ଆଧାରରେ ଆବେଦନକାରୀଙ୍କୁ ତୃତୀୟଶ୍ରେଣୀ ପାହ୍ୟାରେ ନିଯୁକ୍ତି ଦିଆଯାଇ ପାରିବନାହିଁ ବୋଲି କୁହାଯିବାରେ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ହାଇକୋର୍ଟ ଆବେଦନକାରୀଙ୍କ ରିଟ୍‍ ପିଟିସନକୁ ଖାରଜ କରିଦେବାରେ ସେ ପୁଣି ସୁପ୍ରିମ୍‍କୋର୍ଟରେ ମାମଲା ରୁଜୁ କରିଥିଲେ ।

ନୂଆ ଆଇନ୍‍ ଆସିବା ପୂର୍ବରୁ ସମ୍ପୃକ୍ତ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଏବଂ ତାଙ୍କ ପୁତ୍ର ସେ ସମୟରେ ଅନୁକମ୍ପାମୂଳକ ନିଯୁକ୍ତି ଲାଗି ଆବେଦନ କରିଥିବା ପରିପ୍ରେକ୍ଷୀରେ ତାଙ୍କ ନିଯୁକ୍ତି ୨୦୨୦ର ନୂଆ ଆଇନ୍‍ ନୁହେଁ ବରଂ ୧୯୯୦ ର ପୁରୁଣା ଆଇନ୍‍ର ବ୍ୟବସ୍ଥାନୁଯାୟୀ କରାଯିବା ଉଚିତ୍‍ ବୋଲି ସୁପ୍ରିମ୍‍କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିବା ସହିତ ଆବେଦନକାରୀଙ୍କୁ ୪ସପ୍ତାହ ମଧ୍ୟରେ ନିଯୁକ୍ତି ଦେବାଲାଗି ପଦକ୍ଷେପ ନେବାକୁ କହିଛନ୍ତି ।

ସୁପ୍ରିମ୍‍କୋର୍ଟଙ୍କ ରାୟ ହସ୍ତଗତ ହେବାପରେ ଏବେ ଅବକାରୀ ବିଭାଗ ଏକ ଦୀର୍ଘ ଆଦେଶନାମା ଜାରି କରି ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନକାରୀଙ୍କୁ ତୃତୀୟଶ୍ରେଣୀ ପଦବୀରେ ନିଯୁକ୍ତି ଦେବାଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ୧୨ବର୍ଷ ଧରି ଚାକିରି ଖଣ୍ଡେ ପାଇଁ ବାର ଦ୍ୱାର ଶୁଣ୍ଢିପିଣ୍ଡା ହେଉଥିବା ମଳୟା ନନ୍ଦ ସେଠୀଙ୍କ ନିଯୁକ୍ତି ମାର୍ଗ ସୁଗମ ହୋଇଛି ।

ଏହି ରାୟରେ ସୁପ୍ରିମ୍‍କୋର୍ଟ ଉଲ୍ଲେଖ କରିଛନ୍ତି ଯେ ବର୍ଷ ବର୍ଷ ଧରି ବିଭିନ୍ନ ଆଳ ଦେଖାଇ ଅନୁକମ୍ପାମୂଳକ ନିଯୁକ୍ତି ଆବେଦନଗୁଡିକୁ ପକାଇ ରଖାଯିବା ଫଳରେ ବାଧ୍ୟହୋଇ ଆବେଦନକାରୀମାନେ ହାଇକୋର୍ଟର ଦ୍ୱାରସ୍ଥ ହେଉଛନ୍ତି ଏବଂ ହାଇକୋର୍ଟ ନିଯୁକ୍ତି ସଂକ୍ରାନ୍ତରେ ବିଚାର କରିବାପାଇଁ ଆଦେଶ ଦେଲେ ତାହାକୁ ବହୁ କ୍ଷେତ୍ରରେ ବିଭିନ୍ନ ଆଳ ଦେଖାଇ ନାକଚ କରିଦିଆଯାଉଛି । ଫଳରେ ପୁଣି ସେମାନଙ୍କୁ ଆଇନ୍‍ ଅଦାଲତକୁ ଦଉଡିବାକୁ ପଡୁଛି । କେତେକ କ୍ଷେତ୍ରରେ ଦୁଇ ଦଶନ୍ଧି ଧରି ଏଭଳି ଦଉଡ ଧାପଡ ଚାଲୁଥିବା କଥା ସୁପ୍ରିମ୍‍କୋର୍ଟ ଉଲ୍ଲେଖ କରିବା ସହିତ ଏଭଳି ଗଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । (ତଥ୍ୟ)