Home Health ୧୨ଟି ଜିଲ୍ଲାରେ ମିଶନ ଇନ୍ଦ୍ରଧନୁଷ ୪.୦

୧୨ଟି ଜିଲ୍ଲାରେ ମିଶନ ଇନ୍ଦ୍ରଧନୁଷ ୪.୦

ଭୁବନେଶ୍ୱର : ମିଶନ ଇନ୍ଦ୍ରଧନୁଷ ୪.୦ ଟିକାକରଣ ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଆଦୌ କିମ୍ବା ଅଧାରୁ ଟିକା ନେଇନଥିବା ପ୍ରତ୍ୟେକ ୦ରୁ ୨ ବର୍ଷ ମଧ୍ୟରେ ପିଲା ଓ ଗର୍ଭବତୀ ମହିଳାମାନଙ୍କର ତାଲିକା ପ୍ରସ୍ତୁତ କରିବା ଏବଂ ସେମାନଙ୍କ ଟିକାକରଣ କରିବା, ଯାହା ଦ୍ୱାରା ନିୟମିତ ଟିକାକରଣ କାର୍ଯ୍ୟକ୍ରମ ସଶକ୍ତ ହୋଇପାରିବ ।

ଏନ୍‌.ଏଫ୍‌.ଏଚ୍‌.ଏସ୍‌. ୫ (୨୦୨୦-୨୦୨୧ ମସିହା) ଅନୁଯାୟୀ ଓଡ଼ିଶା ରାଜ୍ୟର ସଂପୂର୍ଣ୍ଣ ଟିକାକରଣ ଆକଳନ ହେଉଛି ୯୦.୫ ପ୍ରତିଶତ ଯାହାକି ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ । ସମିଶ୍ରିତ ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଭାରତ ସରକାର ଓଡ଼ିଶାର ୧୨ଟି ଜିଲ୍ଲାକୁ ମିଶନ ଇନ୍ଦ୍ରଧନୁଷ ୪.୦ ଟିକାକରଣ ଅଭିଯାନ ୨୦୨୨ ପାଇଁ ଚିହ୍ନଟ କରିଛନ୍ତି । ସେହି ଜିଲ୍ଲାଗୁଡ଼ିକ ହେଉଛି କଟକ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ୫ଟି ମହାନଗର ନିଗମ ।

ମିଶନ ଇନ୍ଦ୍ରଧନୁଷ ୪.୦ ଟିକାକରଣ ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରଶିକ୍ଷଣ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ମୁଣ୍ଡଗଣତି, ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଅଣୁଯୋଜନ, ଟିକା ଓ ଅନ୍ୟାନ୍ୟ ଜିନିଷପତ୍ରର ସଠିକ୍‌ ଯୋଗାଣ, ନିରୀକ୍ଷଣ ଓ ରିପୋର୍ଟ ପ୍ରଦାନ । ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ସଭା ଜରିଆରେ ଏବଂ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ପ୍ରତିଟି କାର୍ଯ୍ୟର ତଦାରଖ କରାଯାଉଛି । ଯେଉଁଥିରେ କି ଅନ୍ୟାନ୍ୟ ସରକାରୀ ବିଭାଗମାନଙ୍କୁ ମଧ୍ୟ ସାମିଲ କରାଯାଇଛି ।

ମିଶନ ଇନ୍ଦ୍ରଧନୁଷ ୪.୦ ଟିକାକରଣ ଅଭିଯାନ ମାର୍ଚ୍ଚ ମାସଠାରୁ ମଇ ମାସ ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ ଏବଂ ପ୍ରତ୍ୟେକ ପର୍ଯ୍ୟାୟ ୭ ଦିନ ପର୍ଯ୍ୟନ୍ତ ଟିକାକରଣ କରାଯିବ । ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ମାସ ୭ ତାରିଖ, ଦ୍ୱିତୀୟ ପର୍ଯ୍ୟାୟ ଅପ୍ରେଲ ୪ ତାରିଖ ଓ ତୃତୀୟ ପର୍ଯ୍ୟାୟ ମଇ ମାସ ୨ ତାରିଖଠାରୁ ଆରମ୍ଭ ହେବ । କାର୍ଯ୍ୟକଳାପର ସମୟସୀମା, ଆର୍ଥିକ, ଆଇସିବିସିସି ତଥା ବିସ୍ତୃତ କାର୍ଯ୍ୟକ୍ରମର ସଂପୂର୍ଣ୍ଣ ଗାଇଡ଼୍‌ଲାଇନ୍‌ ୧୨ଟି ଜିଲ୍ଲାକୁ ପ୍ରଦାନ କରାଯାଇଛି । ଅଭିଯାନର ସଫଳତା ପାଇଁ ରାଜ୍ୟସ୍ତରୀୟ ନୋଡାଲ ଅଫିସରମାନଙ୍କୁ ଦାୟିତ୍ୱ ଦିଆଯାଇଛି, ଯେଉଁମାନେ ଜିଲ୍ଲାକୁ ଯାଇ ମିଶନ ଇନ୍ଦ୍ରଧନୁଷ ୪.୦ ଟିକାକରଣ ଅଭିଯାନକୁ ଅନୁଧ୍ୟାନ କରିବେ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଟାସ୍କାଫୋର୍ସ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନ୍ୟାନ୍ୟ ବିଭାଗ ଯଥା ପଞ୍ଚାୟତିରାଜ ଓ ପାନୀୟ ଜଳ, ମହିଳା ଓ ଶିଶୁ ବିକାଶ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଅନୁସୂଚିତ ଜନଜାତି, ଶ୍ରମ, ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

୧୨ଟି ଜିଲ୍ଲାର ୧୬୮ଟି ଗୋଷ୍ଠୀରେ ୧୦୯୯୭ ଜଣ ପିଲା (୦-୨ ବର୍ଷ), ୨୬୩୧ ଜଣ ଗର୍ଭବତୀ ମହିଳାମାନଙ୍କୁ ୪୬୨୫ଟି ଟିକାକରଣ ଅଧିବେଶନ ଜରିଆରେ ଟିକାକରଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଶ୍ୱସ୍ତରୀୟ ସଂଗଠନ ଯଥା ୟୁନିସେଫ୍‌, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଜେଏସ୍‌ଆଇ ଓ ୟୁଏନ୍‌ଡିପି ସହଯୋଗର ହାତ ବଢ଼ାଇଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ପାଣିଗ୍ରାହୀ ଏ ସଂପର୍କରେ ଆୟୋଜିତ ଏକ ଗଣମାଧ୍ୟମ ପାଇଁ ସଚେତନତାମୂଳକ ଆଭାସୀ କାର୍ଯ୍ୟକ୍ରମରେ ପ୍ରକାଶ କରିଛନ୍ତି ।