Home Finance ୧୧୨୬.୬୭ କୋଟିର ରେକର୍ଡ ଜିଏସ୍‌ଟି

୧୧୨୬.୬୭ କୋଟିର ରେକର୍ଡ ଜିଏସ୍‌ଟି

ଭୁବନେଶ୍ୱର : ଜିଏସ୍‌ଟି ପ୍ରଚଳନ ହେବା ପରଠାରୁ ଚଳିତ ଆର୍ଥିକ ବର୍ଷର ଅପ୍ରେଲ ମାସରେ ଓଡ଼ିଶା ୧୧୨୬.୬୭ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ସଂଗ୍ରହ କରି ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିପାରିଛି । ୨୦୧୯ ମସିହା ଏହି ସମୟରେ ରାଜ୍ୟ ଜିଏସ୍‌ଟି ସଂଗ୍ରହ ପରିମାଣ ୯୨୭.୬୦ କୋଟି ଟଙ୍କା ଥିବାବେଳେ ୨୦୨୦ ମସିହା ଅପ୍ରେଲ ମାସରେ ଏହା ଥିଲା ମାତ୍ର ୩୬୦.୩୬ କୋଟି ଟଙ୍କା । ଏହା ପୂର୍ବରୁ ୨୦୨୧ ମସିହା ମାର୍ଚ୍ଚ ମାସରେ ସର୍ବାଧିକ ରାଜ୍ୟ ଜିଏସ୍‌ଟି ୯୫୪.୬୨ କୋଟି ଟଙ୍କା ସଂଗୃହୀତ ହୋଇଥିଲା ।

ଚଳିତ ବର୍ଷ ଅପ୍ରେଲ ମାସରେ ଏତେ ଅଧିକ ପରିମାଣର ରାଜ୍ୟ ଜିଏସ୍‌ଟି ସଂଗ୍ରହ ପଛରେ ରହିଥିବା କାରଣଗୁଡ଼ିକ ମଧ୍ୟରେ ରହିଛି ଟିକସ ପଇଠରେ ଉନ୍ନତି, ଲୌହ ଇସ୍ପାତ କ୍ଷେତ୍ରରୁ ଅଧିକ ସଂଗ୍ରହ ଏବଂ ସର୍ବୋପରି ଟିକସ ଅଧିକାରୀଙ୍କ ଦ୍ୱାରା ରିଟର୍ଣ୍ଣ ଯାଞ୍ଚ କରଯାଇ ଦେୟ ଜିଏସ୍‌ଟି ଆଦାୟ, କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସ୍‌ଟି), ସମନ୍ୱିତ ଜିଏସ୍‌ଟି (ଆଇଜିଏସ୍‌ଟି) ଓ ଅତିରିକ୍ତ ଟିକସ ବାବଦରେ ମଧ୍ୟ ଯଥାକ୍ରମେ ୯୫୨.୪୩ କୋଟି, ୧୧୫୭.୦୫ କୋଟି ଓ ୬୧୩.୩୩ କୋଟି ଟଙ୍କା ସଂଗୃହୀତ ହୋଇଥିବା ମୋଟ୍‌ ଜିଏସ୍‌ଟି ପରିମାଣ ହେଉଛି ୩୮୪୯.୪୮ କୋଟି ଟଙ୍କା, ଯାହା କି ଏଯାବତ୍‌ ଏକ ସର୍ବକାଳୀନ ରେକର୍ଡ । ୨୦୧୯ ମସିହା ଅପ୍ରେଲ ମାସରେ ଏହି ପରିମାଣ ୨୯୫୫.୬୦ କୋଟି ଟଙ୍କା ଥିବାବେଳେ କୋଭିଡ୍‌ ପ୍ରଭାବିତ ୨୦୨୦ ମସିହା ଅପ୍ରେଲ ମାସରେ ଏହା ଥିଲା ୭୭୪.୨୯ କୋଟି ଟଙ୍କା ।

ଭାଟ୍‌ ପଇଠ କରୁଥିବା ସମସ୍ତ ବ୍ୟବସାୟୀମାନେ ଯେହେତୁ ୨୦୨୧ ମସିହା ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ସେହି ମାର୍ଚ୍ଚ ମାସରେ ଟିକସ ପଇଠ କରି ସାରିଥିଲେ ବାକି ୫ ଦିନର ଟିକସ ୨୦୨୧ ମସିହା ଅପ୍ରେଲ ମାସରେ ସଂଗୃହୀତ ହୋଇଥିଲା, ଯାହାକି ୨୧୮.୯୫ କୋଟି ଟଙ୍କା । ୨୦୨୦ ମସିହା ଅପ୍ରେଲ ମାସରେ ଏହି ପରିମାଣ ୧୩୦.୧୧ କୋଟି ଟଙ୍କା ଥିବାବେଳେ ୨୦୧୯ ମସିହା ଅପ୍ରେଲ ମାସରେ ଏହା ଥିଲା ୧୮୩.୯୨ କୋଟି ଟଙ୍କା ।

ଫଳରେ ଏ କ୍ଷେତ୍ରରେ ୬୮.୨୮ ପ୍ରତିଶତ ଅଭିବୃଦ୍ଧ ଘଟିଛି । ଏଥି ମଧ୍ୟରୁ ପେଟ୍ରୋଲିୟମ୍‌ କ୍ଷେତ୍ରରୁ ହୋଇଥିବା ସଂଗ୍ରହରେ ୧୭୫.୩୧ ପ୍ରତିଶତ ଅଭିବୃଦ୍ଧି ଘଟି ଚଳିତ ବର୍ଷ ଅପ୍ରେଲ ମାସରେ ୧୬୬.୮୭ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ୨୦୨୦ ମସିହା ଅପ୍ରେଲ ମାସରେ ଏହି ଆଦାୟ ପରିମାଣ ଥିଲା ୬୦.୬୧ କୋଟି ଟଙ୍କା ।

ନିୟମିତ ସର୍ଭେ ଓ ପଂଜୀକରଣ ମାଧ୍ୟମରେ ଟିକସ ପରିସର ବୃଦ୍ଧି କରିବା ଦିଗରେ ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି ସଂସ୍ଥା ଅଧିକ ଗୁରୁତ୍ୱ ଦେଇ ଆସିଛି । ୨୦୨୦-୨୧ ଆର୍ଥିକ ବର୍ଷରେ ୫୨,୨୧୦ ଜଣ ଟିକସଦାତାଙ୍କୁ ଜିଏସ୍‌ଟି ପରିସରଭୁକ୍ତ କରାଯାଇଥିଲା ।

ନିର୍ଦ୍ଧାରିତ ତାରିଖ ମଧ୍ୟରେ ଯେପରି ଅତିକମ୍‌ରେ ୯୦ ପ୍ରତିଶତ ରିଟର୍ଣ୍ଣ ଦାଖଲ ହୋଇପାରିବ, ତାହା ସୁନିଶ୍ଚିତ କରିବା ପାଇଁ ସମସ୍ତ ସର୍କଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷରେ ଟିକସ ଦାଖଲ ଖିଲାପୀଙ୍କ ବିରୁଦ୍ଧରେ ୧,୨୯,୭୧୧ଟି ଜିଏସ୍‌ଟିଆର୍‌-୩ଏ ନୋଟିସ୍‌ ଜାରି କରାଯାଇଥିବାବେଳେ ଜିଏସ୍‌ଟି ଆଇନ୍‌ର ଧାରା ୬୨ ଅଧୀନରେ ୧୯,୨୬୮ଟି ଆସେସ୍‌ମେଣ୍ଟ କରାଯାଇଛି ।

୨୦୨୧ ମସିହା ଅପ୍ରେଲ ମାସରେ ୧୫.୨୮ ଲକ୍ଷ ଇ-େୱବିଲ୍‌ ନିର୍ଗମନ କରାଯାଇଥିବାବେଳେ ୨୦୧୯ ମସିହା ଅପ୍ରେଲ ମାସରେ ଏହି ସଂଖ୍ୟା ଥିଲା ୧୧.୯୧ ଲକ୍ଷ ଏବଂ କୋଭିଡ୍‌ ପ୍ରଭାବିତ ୨୦୨୦ ମସିହା ଅପ୍ରେଲ ମାସରେ ଏହା ମାତ୍ର ୩.୫୬ ଲକ୍ଷ ଥିଲା ।

ନିକଟରେ ଟିକସ ଅଧିକାରୀଙ୍କ ସମୀକ୍ଷା କରି ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି ଆୟୁକ୍ତ ସୁଶୀଲ କୁମାର ଲୋହାନୀ ତଥ୍ୟ ବିଶ୍ଳେଷଣ ବ୍ୟବସ୍ଥା ମାଧ୍ୟମରେ ଭୁଲ୍‌ ଭାବେ ଦାଖଲ ହୋଇଥିବା ରିଟର୍ଣ୍ଣଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକରୁ ଆଇନ୍‌ ଅନୁଯାୟୀ ଉପଯୁକ୍ତ ପରିମାଣର ଟିକସ ଆଦାୟ କରିବା ପାଇଁ କ୍ଷେତ୍ରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୁନଶ୍ଚ ସଚ୍ଚୋଟ ଟିକସଦାତାମାନେ ଯେପରି ଅଯଥାରେ ହଇରାଣ ହରକତ ନହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।