ଭୁବନେଶ୍ଵର : ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ)ର ୧୧୭ତମ ବୈଠକ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏସଏଲଏସଡବ୍ଲ୍ୟୁସିଏ କମିଟି ଦ୍ୱାରା ୨୮୪୦.୭୩ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି, ଯାହା ଓଡ଼ିଶାବାସୀଙ୍କ ପାଇଁ ୩୭୨୧ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ତନ୍ମଧ୍ୟରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ରେ ଅଂଶଗ୍ରହଣ କରି ରାଜ୍ୟରେ ପୁଞ୍ଜିନିବେଶ ପ୍ରସ୍ତାବନା ଦେଇଥିବା ୯ଟି କମ୍ପାନୀ ଅନ୍ତର୍ଭୁକ୍ତ ରହିଛି ।
ନିବେଶ ଉଦ୍ଦେଶ୍ୟକୁ ବାସ୍ତବରେ ପରିଣତ କରିବା ଦିଗରେ ରାଜ୍ୟ ସରକାର ନିରବଚ୍ଛିନ୍ନ ପ୍ରୟାସ କରୁଛନ୍ତି । ଆଲୁମିନିୟମ ଓ ଆଲୁମିନିୟମ ଉପରେ ନିର୍ଭରଶୀଳ ସଂପୃକ୍ତ ଇସ୍ପାତ ଏବଂ ଇସ୍ପାତ ସହ ସଂଯୁକ୍ତ ଶିଳ୍ପ, ରାସାୟନିକ ଓ ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ୟାକେଜିଂ, ବୟନ ଓ ପୋଷାକ, ପର୍ଯ୍ୟଟନ ଏବଂ ଅକ୍ଷୟ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରରେ ଥିବା ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ମିଳିଛି । ବଲାଙ୍ଗୀର, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁମୋଦିତ ପ୍ରକଳ୍ପ ପ୍ରତିଷ୍ଠା କରାଯିବ ।
ବୈଠକରେ ୮୯୬.୯୮ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆର.ସି.ଆର ଷ୍ଟିଲ ୱାର୍କସ ପ୍ରାଇଭେଟ ଲିମିଟେଡର ପ୍ରସ୍ତାବକୁ ଏସଏଲଏସଡବ୍ଲୁସିଏ ଅନୁମୋଦନ କରିଛି । ଏଥିରେ ମୟୂରଭଞ୍ଜର ଜାମଦାଠାରେ ଏକ ଇସ୍ପାତ କାରଖାନା ସ୍ଥାପନ କରାଯିବା ସହ ରାଜ୍ୟରେ ପ୍ରାୟ ୭୫୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆଶା କରାଯାଉଛି । ସେହିପରି ରାୟଗଡ଼ା ଜିଲ୍ଲାରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ୍ ଏବଂ ସମ୍ବଲପୁରର ଲାପଙ୍ଗାସ୍ଥିତ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ର ସମ୍ପ୍ରସାରଣ ପ୍ରସ୍ତାବକୁ କମିଟି ଅନୁମୋଦନ କରିଛି, ଯେଉଁଥିରେ ମୋଟ ପ୍ରାୟ ୧୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି ଏବଂ ଏହି ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳରେ ୫୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆଶା କରାଯାଉଛି ।
ଗଞ୍ଜାମ ଜିଲ୍ଲାର ଚିଲିକା ହ୍ରଦ ସ୍ଥିତ ସୋମାଲୋ ଦ୍ୱୀପରେ ୨୨୮.୪୫ କୋଟି ଟଙ୍କା ବିନିଯୋଗରେ ଏକ ରିସୋର୍ଟ ପ୍ରତିଷ୍ଠା ପାଇଁ ମହିନ୍ଦ୍ରା ହୋଲିଡେଜ୍ ଆଣ୍ଡ ରିସର୍ଟସ୍ ଇଣ୍ଡିଆ ଲିମିଟେଡ୍ ପ୍ରକଳ୍ପ ପ୍ରସ୍ତାବକୁ ମଧ୍ୟ ଏସ୍ଏଲ୍ଏସ ଡବ୍ଲୁଏ ଅନୁମୋଦନ କରିଛି । ଏହି ପ୍ରକଳ୍ପ ଭାରତର ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି । ଆହୁରି ମଧ୍ୟ ରସାୟନ କ୍ଷେତ୍ରରେ କମିଟି ଆୟନ ଏକ୍ସଚେଞ୍ଜ (ଇଣ୍ଡିଆ) ଲିମିଟେଡ୍ ର ଏକ ପ୍ରକଳ୍ପକୁ କମିଟି ମଞ୍ଜୁରୀ ଦେଇଛି । ୩୦୩ କୋଟି ଟଙ୍କା ବିନିଯୋଗରେ ପାରାଦୀପରେ ୨୫୦୦୦ ମେଟ୍ରିକ୍ ଟନ୍ ଜଳ ବିଶୋଧନ କେମିକାଲ୍ ଏବଂ ୩୦,୦୦୦ ମେଟ୍ରିକ୍ ଟନ୍ ମନୋମର୍ ଓ ପଲିମର୍ସ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ କମ୍ପାନୀ ପ୍ରସ୍ତାବ ଦେଇଛି, ଯାହା ଓଡ଼ିଶାର ୧୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ।
ବୟନ ଓ ପୋଷାକ କ୍ଷେତ୍ରରେ ଇଣ୍ଡିଆନ୍ ଷ୍ଟିଚେସ ପ୍ରାଇଭେଟ୍ ଲିମିଟେଡ୍ ୧୦୦ କୋଟି ଟଙ୍କା ବିନିଯୋଗରେ ଏକ ଫେବ୍ରିକ୍ ପ୍ରୋସେସିଂ ପ୍ଲାଣ୍ଟ ସ୍ଥାପନ କରି ରାଜ୍ୟରେ ୧୦୦୦ ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଖୋର୍ଦ୍ଧାରେ ଫୁଡ୍ ପ୍ରୋସେସିଂ ଓ ପ୍ୟାକେଜିଂ ୟୁନିଟ୍ ସ୍ଥାପନ ପାଇଁ ତାଜ୍ ସାଟସ୍ ଲିମିଟେଡ୍ ର ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପରେ ୫୧ କୋଟି ଟଙ୍କା ବିନିଯୋଗ ହେବା ସହିତ ୨୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି ।
ଓଡ଼ିଶା ସରକାର ରାଜ୍ୟରେ ପୁଞ୍ଜିନିବେଶ ପାଇଁ ସର୍ବଦା ଶିଳ୍ପପତିମାନଙ୍କୁ ଉତ୍ସାହିତ ଓ ସ୍ୱାଗତ କରି ଆସୁଛନ୍ତି । ପୂର୍ବ ଭାରତରେ ପାଦ ଥାପିବା କିମ୍ବା ଏହି ଅଞ୍ଚଳରେ ନିଜର ପାଦ ବିସ୍ତାର କରିବାର ସୁଯୋଗକୁ ଅପେକ୍ଷା କରିଥିବା ନିବେଶକଙ୍କ ପାଇଁ ଏହାର ଶିଳ୍ପ ଅନୁକୂଳ ନୀତି ରାଜ୍ୟକୁ ଏକ ଅତ୍ୟନ୍ତ ଲାଭଦାୟକ ଗନ୍ତବ୍ୟସ୍ଥଳରେ ପରିଣତ କରିଛି ।