Home Industry ୧୧ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପ ଅନୁମୋଦିତ

୧୧ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ(ସିଙ୍ଗିଲ୍ ୱିଣ୍ଡୋ) କମିଟି  ବୈଠକରେ ୧୧ ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ  ନିତୀଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୨୨୫୩.୧୫ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୩,୮୧୭ ଜଣଙ୍କ ନିମନ୍ତେ  ପ୍ରତକ୍ଷ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।

ଡ଼ିଜିଟାଲ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ  ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ  ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର  ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସଂପର୍କିତ ବିଷୟ ଉପସ୍ଥାପନ ପୂର୍ବକ  କହିଥିଲେ ଯେ ପ୍ରକଳ୍ପ ଗୁଡିକ  ମୁଖ୍ୟତଃ  ଆଲୁମିନିଅମ୍‌ ଓ ଷ୍ଟିଲ୍‌ ଡ଼ାଉନଷ୍ଟ୍ରିମ୍‌, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଖାଦ୍ୟ ପ୍ରକ୍ରିୟାକରଣ, ତୈଳ ଓ ଗ୍ୟାସ୍‌, ବୈଦୁତିକ ପଦାର୍ଥ ଉତ୍ପାଦନ ଏବଂ ମାନୁଫାକ୍‌ଚରିଂ ସେକ୍ଟର ଅନ୍ତର୍ଭୁକ୍ତ । ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟର ଆର୍ଥିକ  ପ୍ରଗତିରେ ସହାୟକ ହେବ ।  

ପ୍ରକଳ୍ପ ଗୁଡିକୁ ନୀତିଗତ ଅନୁମୋଦନ  ଦେଇ ସେଗୁଡିକର ତ୍ୱରିତ କ୍ଷେତ୍ରାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ  କରିଥିଲେ । ଏଥି ପାଇଁ  ସମସ୍ତ ପ୍ରକାର ପ୍ରଶାସନିକ  ସହଯୋଗ  ଯୋଗାଇ ଦେବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ  ବିଭାଗମାନଙ୍କୁ  ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ପ୍ରକାର ଶିଳ୍ପ ପାଇଁ ଆବଶ୍ୟକୀୟ ଜମି ଓ ଜଳର  ସଠିକ୍‌ ଅନୁଶୀଳନ କରି ତଦନୁଯାୟୀ ବ୍ୟବସ୍ଥା କରିବାକୁ  ନିର୍ଦ୍ଦେଶ ଦେଇଥିଲେ ।  

ପ୍ରତିଷ୍ଠା ହେବାକୁ ଥିବା  ଏହି ଶିଳ୍ପାନୁଷ୍ଠାନମାନେ ଯେପରି  ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବେ ତାହା ନିଶ୍ଚିତ କରାଇବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକର ସମୟାନୁବନ୍ଧିତ ନିର୍ମାଣ ଏବଂ ଉତ୍ପାଦନ ଆରମ୍ଭ ଉପରେ ଦୃଷ୍ଟି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଇପିକଲ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସବୁ ଶିଳ୍ପାନୁଷ୍ଠାନରେ  ଓଡ଼ିଶାରୁ କୌଶଳ ପ୍ରାପ୍ତ(ସ୍କିଲ୍ଡ୍‌ ଇନ୍‌ ଓଡିଶା) ଯୁବକଯୁବତୀମାନଙ୍କର ନିଯୁକ୍ତି ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା,ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ  ଶ୍ରୀ ଦେଓ ରଂଜନ କୁମାର ସିଂ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ, ଇପିକଲ୍‌ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପିନ୍ଦର ସିଂ ପୁନିଆଙ୍କ ସମେତ ସଂପୃକ୍ତ  ବିଭାଗର  ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ  ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।