Home General ୧୦ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ

୧୦ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଆଜି ୧୦ଟି ଜିଲ୍ଲାରେ ରାତ୍ରିକାଳିନ କର୍ଫ୍ୟୁ ଜାରି କରିଛନ୍ତି । ଆସନ୍ତା ଏପ୍ରିଲ ୫ ତାରିଖରୁ ଏହା ଲାଗୁ ପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‍ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

କର୍ଫ୍ୟୁ ଘୋଷଣା ହୋଇଥିବା ୧୦ ଜିଲ୍ଲା ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି । ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ । କର୍ଫ୍ୟୁ ଜାରି ସମୟରେ ଆତଯାତ ଉପରେ କଟକଣା ଲାଗିଥିଲେ ମଧ୍ୟ ଜରୁରୀ ସେବା, ନିର୍ମାଣ ଆଦିକୁ ଏଥିରୁ ବାଦ୍‍ ଦିଆଯାଇଛି ।

ନିର୍ଦ୍ଦେଶନାମା ମୁତାବକ ବିଦ୍ୟୁତ୍‍, ଅଗ୍ନିଶମ, ଟେଲିଫୋନ, ଜଳଯୋଗାଣ ଭଳି ଜରୁରୀସେବା ଜାରି ରହିବ । ଔଷଧ ଦୋକାନ, ଡାକ୍ତରଖାନା, ଶିଳ୍ପସଂସ୍ଥା ଓ ନିର୍ମାଣ କାର୍ଯ୍ୟ ଚାଲିବା ସହିତ ପେଟ୍ରୋଲ ପମ୍ପ୍‍ ଓ ସିଏନଜି ଷ୍ଟେସନ ଖୋଲା ରହିବ, ଗଣମାଧ୍ୟମ ପ୍ରତିନିଧି ପରିଚୟପତ୍ର ଦେଖାଇ ଯା\’ଆସ କରିବେ ।

ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବା ସହିତ ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଏହା ବ୍ୟାପୁଥିବାରୁ ସରକାର ସେହିସବୁ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି । ଏହା ପୂର୍ବରୁ କରୋନା ସଂକ୍ରମଣ ପ୍ରତିହତ ଲାଗି ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଥିଲା । ଗତ ଦୁଇଦିନ ଧରି ଓଡ଼ିଶାରେ କରୋନା ସଂକ୍ରମଣ ସଂଖ୍ୟା ୪ଶହ ଉପରେ ରହିବା ପରେ ରାଜ୍ୟ ପ୍ରଶାସନ ତତ୍ପର ହୋଇ ଉଠିଛି । ଜିଲ୍ଲାସ୍ତରରେ କରୋନା ମୁକାବିଲା ପ୍ରସ୍ତୁତି ଲାଗି ନିର୍ଦ୍ଦେଶ ଦିଆଯିବା ସହିତ କୌଣସିଠାରେ ସଂକ୍ରମଣ ଦେଖାଗଲେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ପାଇଁ କୁହାଯାଇଛି ।