Home General ୧୦ଟି ସହରରେ ଜଳ ସର୍ବେକ୍ଷଣ ପାଇଲଟ୍ ପ୍ରକଳ୍ପ

୧୦ଟି ସହରରେ ଜଳ ସର୍ବେକ୍ଷଣ ପାଇଲଟ୍ ପ୍ରକଳ୍ପ

305
0

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ସମେତ ଦେଶର ୧୦ଟି ସହରରେ ପେୟ (ପାନୀୟ) ଜଳ ସର୍ବେକ୍ଷଣ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଆଜି ମନ୍ତ୍ରଣାଳୟର ସଚିବ ଦୁର୍ଗା ଶଙ୍କର ମିଶ୍ର ଆଜି ଏହି ମିଶନର ଶୁଭାରମ୍ଭ କରିଛନ୍ତି।

ଶ୍ରୀ ମିଶ୍ର ଏହି ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ସହରାଞ୍ଚଳରେ ପାନୀୟ ଜଳର ଉପଯୁକ୍ତ ବିତରଣ ଓ ବର୍ଜ୍ୟଜଳର ପୁନଃଉପଯୋଗ ସମ୍ପର୍କରେ ସୂଚନା ସଂଗ୍ରହ କରିବା ତଥା ପ୍ରତିଯୋଗିତାମୂଳକ ପ୍ରକ୍ରିୟାରେ ଜଳର ପରିମାଣ ଓ ଗୁଣବତ୍ତା ସମ୍ପର୍କରେ ଜାଣିବା ଲାଗି ଜଳ ଉତ୍ସଗୁଡ଼ିକର ମ୍ୟାପିଂ କରିବା ଉଦ୍ଦେଶ୍ୟରେ ଏହି ସର୍ବେକ୍ଷଣ କରାଯିବ। ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଦଶଟି ସହର-ଭୁବନେଶ୍ୱର, ଆଗରା, ବଦଲାପୁର, ଚୁରୁ, କୋଚ୍ଚି, ମଦୁରାଇ, ପଟିଆଲା, ରୋହତକ, ସୁରତ ଏବଂ ତୁମକୁରରେ ପାଇଲଟ୍ ପ୍ରକଳ୍ପ ସ୍ବରୂପ ଏହି ସର୍ବେକ୍ଷଣ ଆୟୋଜନ କରାଯିବ। ଏଥିରୁ ମିଳିବାକୁ ଥିବା ଅଭିଜ୍ଞତା ଆଧାରରେ ସମସ୍ତ ଅମୃତ ସହରରେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯିବ।

ନାଗରିକ ଏବଂ ପୌରପାଳିକା ଅଧିକାରୀଙ୍କ ସହିତ ସାମ୍ନାସାମ୍ନୀ ସାକ୍ଷାତକାର ମାଧ୍ୟମରେ ପାନୀୟ ଜଳ, ବର୍ଜ୍ୟ ଜଳ ପରିଚାଳନା, ଅଣ ରାଜସ୍ୱ ଜଳ ଏବଂ ସହରର ତିନୋଟି ଜଳାଶୟର ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ଏହି ସର୍ବେକ୍ଷଣ ମଞ୍ଜୁରିପ୍ରାପ୍ତ ପ୍ରଶ୍ନାବଳୀ ଏବଂ ଅନକଲ ସାକ୍ଷାତକାର, ଜଳନମୁନା ସଂଗ୍ରହ ଏବଂ ପରୀକ୍ଷାଗାର ପରୀକ୍ଷଣ ଆଧାର ଏବଂ ଅଣରାଜସ୍ୱ ଜଳ ପାଇଁ କ୍ଷେତ୍ର ସର୍ବେକ୍ଷଣ ଆଧାରରେ କରାଯିବ।

ପ୍ରଯୁକ୍ତି ଆଧାରିତ ପ୍ଲାଟଫର୍ମ ଜରିଆରେ ମିଶନକୁ ଅନୁଧ୍ୟାନ କରାଯିବ। ଏହି ପ୍ଲାଟଫର୍ମର ଅଗ୍ରଗତି ଏବଂ ଫଳାଫଳ ଆଧାରରେ ହିତାଧିକାରୀଙ୍କ ନିରୀକ୍ଷଣ କରାଯିବ। ଏହି ପ୍ରକଳ୍ପ ଲାଗି ସରକାରଙ୍କ ପକ୍ଷରୁ ତିନୋଟି ପର୍ଯ୍ୟାୟରେ ଅର୍ଥ ୨୦:୪୦:୪୦ ଯୋଗାଇ ଦିଆଯିବ। ତୃତୀୟ କିସ୍ତି କାର୍ଯ୍ୟକାରିତା ଫଳାଫଳ ଆଧାରରେ ଜାରି କରାଯିବ ଏବଂ ପାଣ୍ଠି ଯୋଗାଣ ବିଶ୍ୱସନୀୟ କାର୍ଯ୍ୟକାରିତା ଆଧାରରେ କରାଯିବ।

ଜଳ ଜୀବନ ମିଶନ (ସହରାଞ୍ଚଳ) (ଜେଜେଏମ(ୟୁ)) ସମସ୍ତ ୪୩୭୮ ବୈଧାନିକ ସହରରେ ଟ୍ୟାପ ଯୋଗେ ସାର୍ବଜନୀନ ଜଳଯୋଗାଣ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି। ଏହା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ଅନୁକୂଳ। ଏହାର ଉଦ୍ଦେଶ୍ୟ ୫୦୦ ଅମୃତ ସହରରେ ସ୍ବେରେଜ ପରିଚାଳନା କରିବା ଯାହାଫଳରେ ଏସବୁ ସହରରେ ଜଳଯୋଗାଣକୁ ସୁରକ୍ଷିତ କରାଯାଇପାରିବ।

୫୦୦ ଅମୃତ ସହରରେ ସହରୀ ପରିବାରକୁ ନଳଯୋଗେ ପାନୀୟ ଜଳ ଉପଲବ୍ଧ କରାଇବାର ବ୍ୟବଧାନ ୨.୬୮ କୋଟି ରହିଛି ଏବଂ ସ୍ବେରେଜ ସଂଯୋଗ ଦେବାର ବ୍ୟବଧାନ ୨.୬ କୋଟି ରହିଛି। ଜଳ ଜୀବନ ମିଶନ (ସହରାଞ୍ଚଳ)ରେ ଏହି ବ୍ୟବଧାନକୁ ହ୍ରାସ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

LEAVE A REPLY

Please enter your comment!
Please enter your name here