Home Education ୟୁଟ୍ୟୁବ ପାଠପଢା ପାଇଁ ସ୍ମାର୍ଟଫୋନ୍‍ ଚିନ୍ତା

ୟୁଟ୍ୟୁବ ପାଠପଢା ପାଇଁ ସ୍ମାର୍ଟଫୋନ୍‍ ଚିନ୍ତା

ଭୁବନେଶ୍ୱର : ଆସନ୍ତା ୨୧ ତାରିଖରୁ ନବମ ଓ ଦଶମଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବ ଜରିଆରେ ସିଧାସଳଖ ପଢାଇବାପାଇଁ ସ୍ଥିର ହୋଇଥିବାବେଳେ ଏଥିପାଇଁ ପୂର୍ବ କସରତ ଆରମ୍ଭ ହୋଇଛି । ତେବେ ସ୍ମାର୍ଟଫୋନ୍‍ ଓ ଇଣ୍ଟରନେଟ୍‍ ସୁବିଧା ଅଳ୍ପ ସଂଖ୍ୟାକ ପିଲାଙ୍କ ନିକଟରେ ଥିବାବେଳେ ଏଥିରୁ କେତେ ସୁଫଳ ମିଳିବ ତାହାକୁ ନେଇ ଶିକ୍ଷାବିତ୍‍ମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ରାଜ୍ୟର ମାତ୍ର ୨୮ପ୍ରତିଶତ ଛାତ୍ରଛାତ୍ରୀଙ୍କ ନିକଟରେ ସ୍ମାର୍ଟଫୋନ୍‍ ଉପଲବ୍ଧ ଥିବା ଖୋଦ୍‍ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧାନସଭାରେ ସୂଚନା ଦିଆଯାଇଥିଲା । ଏଥିରେ ଦର୍ଶାଯାଇଥିଲା ଯେ ଆଉ ୫୪ପ୍ରତିଶତ ଛାତ୍ରଛାତ୍ରୀଙ୍କ ନିକଟରେ ଯେଉଁ ଫୋନ୍‍ ରହିଛି ସେଥିରେ ସ୍ମାର୍ଟ ବ୍ୟବସ୍ଥା ନାହିଁ । ତେବେ ଉପଲବ୍ଧ ଥିବା ସ୍ମାର୍ଟଫୋନ୍‍ରେ କେତେ ସଂଖ୍ୟାରେ ଇଣ୍ଟରନେଟ୍‍ ସଂଯୋଗ ରହିଛି ତାହାର କୌଣସି ସୂଚନା ନାହିଁ । ନିକଟରେ ଗୋଟିଏ ବେସରକାରୀ ସଂସ୍ଥା କରିଥିବା ସର୍ଭେରୁ ସ୍ମାର୍ଟଫୋନ୍‍ ଉପଲବ୍ଧତା ୩୨ ପ୍ରତିଶତ ଥିବା ଜଣାଯାଇଛି ।

ସୂଚନା ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞଙ୍କ ମତରେ ୟୁଟ୍ୟୁବ ଜରିଆରେ ସିଧାସଳଖଲ ପାଠପଢିବା ପାଇଁ ନିରବଚ୍ଛିନ୍ନ ଇଣ୍ଟରନେଟ୍‍ ସଂଯୋଗ ସହିତ ଏହାର ବେଗ ଅତି କମ୍‍ରେ ୫୧୨ରୁ ଏକ ଏମ୍‍ବି ରହିବା ଆବଶ୍ୟକ । ଅଧିକ ବେଗ ରହିଲେ ଛବି ଓ ଶବ୍ଦର ଗୁଣମାନ ଆହୁରି ଭଲ ରହିବ । ସେହିଭଳି ଏଥିପାଇଁ ମଧ୍ୟମ ଧରଣର ସ୍ମାର୍ଟଫୋନ୍‍ ଦରକାର ।

ହେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ଗ୍ରାମାଞ୍ଚଳ ତ ଦୂରରକଥା ଖୋଦ୍‍ ରାଜଧାନୀରେ ଇଣ୍ଟରନେଟ୍‍ର ବେଗ ଓ ନିରବଚ୍ଛିନ୍ନ ସେବା ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି । ଏଥିପାଇଁ ଜଣେ ଜଣେ ବ୍ୟକ୍ତି ଏକାଧିକ କମ୍ପାନୀର ସଂଯୋଗ ରଖିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଗାଁ ଗହଳରେ ସ୍ଥିତି କିଭଳି ଥିବା ତାହା ସହଜରେ ଅନୁମେୟ । ଯଦି ପାଠପଢା ମଝିରେ ଇଣ୍ଟରନେଟ୍‍ ଏପଟ ସେପଟ ହେଲା ତେବେ ପିଲାଙ୍କ ପାଠପଢାରେ ଘୋର ବ୍ୟାଘାତ ସୃଷ୍ଟି ହେବ ।

ଏଠାରେ ଉଲ୍ଲେଖନୀୟ ଯେ ଗତବର୍ଷ ଛାତ୍ରଛାତ୍ରୀଙ୍କ ଜୁମ୍‍, ଗୁଗୁଲ୍‍ ଆପ୍‍ ଭଳି ବ୍ୟବସ୍ଥାରେ ଶିକ୍ଷକ ଶିକ୍ଷୟତ୍ରୀମାନେ ପାଠ ପଢାଇଥିଲେ । ଏଥି ସହିତ ଦୂରଦର୍ଶନ ଓ ଆକାଶବାଣୀ ଜରିଆରେ ବି ଶିକ୍ଷାଦାନ ହୋଇଥିଲ । ହେଲେ ଚଳିତବର୍ଷ ୟୁଟ୍ୟୁବ ଜରିଆରେ ସିଧାସଳଖ ପଢାଇବାକୁ ସ୍ଥିର ହୋଇଛି । ଦଶମଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ସିଲାବସ୍‍ରୁ ୩୦ପ୍ରତିଶତ କମ୍‍କରି ପାଠ ପଢାଯିବ । ଜୁଲାଇ ଶେଷ ସୁଦ୍ଧା ଦଶମଶ୍ରେଣୀର ପିଲାମାନେ ୨୧ଟି ଗଣିତ, ୧୭ଟି ଇଂରାଜୀ, ୧୫ଟି ଓଡିଆ, ୯ଟିକରି ହିନ୍ଦୀ, ଇତିହାସ/ରାଜନୀତି ଏବଂ ୮ଟି କରି ସଂସ୍କୃତ ଏବଂ ଭୂଗୋଳ/ଅର୍ଥନୀତି କ୍ଲାସ କରିବେ ।

ନବମଶ୍ରେଣୀର ପିଲାମାନେ ଉତ୍କର୍ଷ ପାଠ୍ୟକ୍ରମ ଅନୁଯାୟୀ ପଢିବେ । ତେବେ ଏଥିପାଇଁ ପିଲାଙ୍କ ନିକଟରେ ସ୍ମାର୍ଟଫୋନ୍‍ ଓ ଇଣ୍ଟରନେଟ୍‍ ସଂଯୋଗ ନିହାତି ଆବଶ୍ୟକ ହୋଇଥିବାବେଳେ କେତେ ପିଲା ଏଥିରୁ ଉପକୃତ ହେବେ ତାହାକୁ ନେଇ ଶିକ୍ଷାବିତ୍‍ ଓ ଅଭିଭାବକମାନେ ସନ୍ଦେହରେ ଅଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here