Home Education ୟୁଟ୍ୟୁବରେ ପଢିଛନ୍ତି ୩୩.୫୨ ପ୍ରତିଶତ

ୟୁଟ୍ୟୁବରେ ପଢିଛନ୍ତି ୩୩.୫୨ ପ୍ରତିଶତ

ଭୁବନେଶ୍ୱର : କୋଭିଡ ସମୟରେ ୟୁଟ୍ୟୁବ ଜରିଆରେ ୩୩.୫୨ ପ୍ରତିଶତ ପିଲା ପାଠ ପଢି ପାରିଛନ୍ତି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ କୋଭିଡ ସମୟରେ ୟୁଟ୍ୟୁବ ଜରିଆରେ ଶିକ୍ଷାଦାନ ପାଇଁ ଯେଉଁ ଉଦ୍ୟମ ହୋଇଥିଲା ସେଥିରେ ରାଜ୍ୟର ହାରାହାରି ୩୩.୫୨ ପ୍ରତିଶତ ପିଲା ଶିକ୍ଷା ଗ୍ରହଣରେ ସଫଳ ହୋଇଥିଲେ । ଝାରସୁଗୁଡା ଜିଲ୍ଲାରେ ଅଷ୍ଟମ ଶ୍ରେଣୀର ୫୩.୨୦ ପ୍ରତିଶତ ଛାତ୍ରଛାତ୍ରୀ ୟୁଟ୍ୟୁବ ଦେଖିଥିବାବେଳେ ନବମ ଦଶମର ୪୯.୭୭ ପ୍ରତିଶତ ପିଲା ପଢିଥିଲେ । ସେହିଭଳି ସୁନ୍ଦରଗଡରେ ଏହି ସଂଖ୍ୟା ଯଥାକ୍ରମେ ୩୯.୩୯ ପ୍ରତିଶତ ଓ ୨୧.୦୭ ପ୍ରତିଶତ ରହିଥିଲା ।

ତେବେ ସୁନ୍ଦରଗଡ ଜିଲ୍ଲାରେ ୟୁଟ୍ୟୁବ ଜରିଆରେ ପିଲାଙ୍କୁ ପାଠ ପଢାଇବାପାଇଁ ୪୬,୮୦୦ଟଙ୍କା ବ୍ୟୟ ହୋଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । ଆଗାମୀ ଦିନରେ ଅନଲାଇନ୍‍ ଶିକ୍ଷା ପାଇଁ ଚଳିତବର୍ଷ ନିଆଯାଇଥିବା ପଦକ୍ଷେପ ଯେପରି ରେଡିଓ, ଟେଲିଭିଜନ, ୟୁଟ୍ୟୁବ ଏବଂ ଡିଜିଟାଲ ଶିକ୍ଷା ମାଧ୍ୟମରେ ଶିକ୍ଷା ଦାନ କରାଯିବ ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି । (ତଥ୍ୟ)