Home Administration ହୋଲ୍ଡିଂ ଟିକସକୁ ନେଇ ତୀବ୍ର ପ୍ରତିକ୍ରିୟା

ହୋଲ୍ଡିଂ ଟିକସକୁ ନେଇ ତୀବ୍ର ପ୍ରତିକ୍ରିୟା

463
0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବାସଗୃହ ଓ ବ୍ୟବସାୟ ପ୍ରତିଷ୍ଠାନ ଆଦି କରିଥିବା ଲୋକ ଓ ସଂସ୍ଥା ଦେଇଆସୁଥିବା ହୋଲ୍ଡିଂ ଟିକସର ପରିମାଣ ହଠାତ୍‍ ବୃଦ୍ଧି କରାଯିବାରେ ସାଧାରଣ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । କେବଳ ବିରୋଧୀ ଦଳ ନୁହଁନ୍ତି ସରକାରୀ ଦଳର ନେତା, କର୍ମୀ ଓ ସମର୍ଥକମାନେ ସ୍ୱୀକାର କରୁଛନ୍ତି ଯେ ନିର୍ବାଚିତ ପରିଷଦ ନ ଥିବା ବେଳେ ଯେପରି ହଠାତ୍‍ ହୋଲ୍ଡିଂ ଟିକସ ବହୁଗୁଣ ବୃଦ୍ଧି କରାଯାଇଛି ତାହା ଆଗାମୀ ବିଏମ୍‍ସି ନିର୍ବାଚନରେ ପ୍ରତିକୂଳ ପ୍ରଭାବ ପକାଇପାରେ ।

ଇତିମଧ୍ୟରେ ବିଜେପି, କଂଗ୍ରେସ ଏବଂ ବାମପନ୍ଥୀଙ୍କ ସମେତ ଅନ୍ୟ ରାଜନୈତିକ ଦଳମାନେ ବିଏମ୍‍ସିର ହୋଲ୍ଡିଂ ଟିକସକୁ ବିରୋଧ କରିବା ସହ ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି । ତେଣେ ବିଏମ୍‍ସିର ଅଧିକାରୀମାନେ କହିଛନ୍ତି ଯେ ଲୋକେ ବହୁ ଖୁସିରେ ସ୍ୱେଚ୍ଛାକୃତ ଭାବେ ବର୍ଦ୍ଧିତ ହାରର ଟିକସ ପୈଠ କରିବାରେ ଲାଗିଛନ୍ତି । ଅନ୍‍ଲାଇନ୍‍ରେ ଅନେକ ଲୋକ ହୋଲ୍ଡିଂ ଟିକସ ଦେଉଥିବା ବେଳେ ବିଏମ୍‍ସି ପକ୍ଷରୁ ଟିକସ ସଂଗ୍ରହ ପାଇଁ କରାଯାଉଥିବା ମେଳା ବି ବେଶ୍‍ ଉତ୍ସାହପଦ ହେଉଛି ।

ହୋଲ୍ଡିଂ ଟିକସ ଖିଲାପକାରୀଙ୍କଠାରୁ ଏହି ଅର୍ଥ ଆଦାୟ ଲାଗି ବିଏମ୍‍ସି କର୍ତ୍ତୃପକ୍ଷ ପୂର୍ବରୁ କିନ୍ନରମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ଯେଉଁମାନେ ମୋଟା ଅଙ୍କର ଟିକସ ଦେଇନାହାନ୍ତି ସେମାନଙ୍କ ଦ୍ୱାରକୁ କିନ୍ନରମାନେ ଯାଇ ଟିକସ ଆଦାୟ କରୁଛନ୍ତି । ଏ ପରିସ୍ଥିତିରେ ବର୍ଷ ବର୍ଷ ଧରି ଟିକସ ପୈଠ ନ କରିଥିବା ଅନେକ ବ୍ୟକ୍ତି ଛାନିଆରେ ଟିକସ ଦେଉଛନ୍ତି । ତେଣେ ଉଚ୍ଚ ଆୟକାରୀ ବର୍ଗର କିଛି ବ୍ୟକ୍ତି ଯେଉଁମାନଙ୍କୁ ବର୍ଦ୍ଧିତ ଟିକସ ବୋଝ ବାଧୁନାହିଁ ସେମାନେ ଅତି ହାଲୁକା ଭାବେ ଏହା ପୈଠ କରୁଛନ୍ତି । ବିବାହ ପଞ୍ଜିକରଣ କ୍ଷେତ୍ରରେ ହୋଲ୍ଡିଂ ଟିକସ ଖିଲାପୀ ବାଧକ ହେଉଥିବାରୁ ଆଉ କେତେକ ବାଧ୍ୟହୋଇ ବର୍ଦ୍ଧିତ ହାରରେ ହୋଲ୍ଡିଂ ଟିକସ ପୈଠକ କରୁଥିଲେ ମଧ୍ୟ ଖୋଲାଖୋଲି ବିରୋଧ କରୁଛନ୍ତି ।

ପାଖାପାଖି ତିନିବର୍ଷ ହେବ ବିଏମ୍‍ସିର ନିର୍ବାଚିତ ପରିଷଦ ନାହିଁ । ଅଫିସରମାନେ ଏହି ଦାୟିତ୍ୱ ତୁଲାଉଛନ୍ତି । ତେବେ ବହୁ କ୍ଷେତ୍ରରେ ବିଜେଡିର ପୂର୍ବତନ କର୍ପୋରେଟରମାନେ ନିଜ ନିଜ ଅଞ୍ଚଳରେ ସେମାନଙ୍କର ଦବ୍‍ଦବା ରଖିଛନ୍ତି । ଏହି ପୂର୍ବତନ କର୍ପୋରେଟରମାନଙ୍କ ସହିତ ଅନ୍ୟ ଯେଉଁମାନେ ବିଜେଡି ଟିକେଟ୍‍ରେ ବିଏମ୍‍ସି ନିର୍ବାଚନ ଲଢ଼ିବା ପାଇଁ ଆଶାବାବନ୍ଧୀ ବସିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଏକାଥରରେ ହୋଲ୍ଡିଂ ଟିକସ ବହୁଗୁଣ ବୃଦ୍ଧିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏ ସଂକ୍ରାନ୍ତରେ ଅନେକ କ୍ଷେତ୍ରୀୟ ବିଜେଡି ନେତା ବିଧାୟକମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଗତ ସାଧାରଣ ନିର୍ବାଚନ ବେଳେ ବିଜେଡି ଖୋର୍ଦ୍ଧା ଲୋକସଭା ଆସନ ଅନ୍ତର୍ଭୁକ୍ତ ୭ଟିଯାକ ବିଧାନସଭା କ୍ଷେତ୍ରରେ ଜିଣିଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଲୋକସଭା ଆସନଟି ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ହାତକୁ ଯାଇଥିଲା । ବିଭିନ୍ନ ପ୍ରସଙ୍ଗରେ ଅପରାଜିତା ରାଜଧାନୀରେ ବ୍ୟାପକ ଜନସମ୍ପର୍କ ଯୋଡ଼ିବା ସଙ୍ଗେ ସଙ୍ଗେ ସରକାରଙ୍କୁ ଘେରୁଛନ୍ତି ।

ହୋଲ୍ଡିଂ ଟିକସ ବୃଦ୍ଧିକୁ ଅପରାଜିତାଙ୍କଠାରୁ ଆରମ୍ଭ କରି କଂଗ୍ରେସର ପଞ୍ଚାନନ କାନୁନ୍‍ଗୋ ଓ ସୁରେଶ କୁମାର ରାଉତରାୟଙ୍କ ପର୍ଯ୍ୟନ୍ତ ସମସ୍ତେ ବିରୋଧ କରୁଥିବା ପରିପ୍ରେକ୍ଷୀରେ ବିଏମ୍‍ସି ନିର୍ବାଚନରେ ଭୋଟ୍‍ ବ୍ୟାଙ୍କ ହାତଛଡ଼ା ନ କରିବା ଲାଗି ହୋଲ୍ଡିଂ ଟିକସ ହ୍ରାସ କରାଯାଇପାରେ ବୋଲି ବିଭିନ୍ନ ୱାର୍ଡରେ ଚର୍ଚ୍ଚା ଚାଲିଥିବା ପରିପ୍ରେକ୍ଷୀରେ ନିଷ୍ପତ୍ତି ରାଜ୍ୟ ସରକାର ଓ ବିଏମ୍‍ସି ଉପରେ ନିର୍ଭର କରୁଛି ।

LEAVE A REPLY

Please enter your comment!
Please enter your name here