Home General ହୋର୍ଡିଂ କେତେ ସୁରକ୍ଷିତ ?

ହୋର୍ଡିଂ କେତେ ସୁରକ୍ଷିତ ?

ଭୁବନେଶ୍ୱର : ଘୂର୍ଣ୍ଣିଝଡ ଯୋଗୁଁ ମୁମ୍ବାଇରେ ବିଜ୍ଞାପନ ହୋର୍ଡିଂ ଭୁଷୁଡି ବ୍ୟାପକ ଧନଜୀବନ ହାନି ହୋଇଥିବା ପରିପ୍ରେକ୍ଷୀରେ ଓଡିଶାରେ ଏବେ ଏଥିପାଇଁ ଆତଙ୍କ ସୃଷ୍ଟି ହୋଇଛି । ବିଶେଷକରି ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ପୁରୀ ଓ ବ୍ରହ୍ମପୁର ସମେତ ରାଜ୍ୟର ବଡ ବଡ ସହର ଏମିତିକି ଜାତୀୟ ରାଜପଥ କଡରେ ଥିବା ବିଜ୍ଞାପନ ହୋର୍ଡିଂଗୁଡିକ ଯୋଗୁଁ ଯଦି ମୁମ୍ବାଇ ଘଟଣାର ପୁନରାବୃତ୍ତି ଘଟେ ସେଥିପାଇଁ କିଏ ଦାୟୀ ରହିବ ବୋଲି ଏବେ ପ୍ରଶ୍ନବାଚୀ ଉଠିଛି ।

ଏଠାରେ ଉଲ୍ଲେଖନୀୟ ଯେ ବର୍ଷା ସହ ଝଡତୋଫାନ ଯୋଗୁଁ ମୁମ୍ବାଇରେ ବଡ ବଡ ବିଜ୍ଞାପନ ହୋର୍ଡିଂ ଭୁଷୁଡି ପଡିବାରୁ ପ୍ରାୟ ୧୦ଜଣ ଲୋକ ତାହା ତଳେ ଚାପିହୋଇ ମରିଥିବାବେଳେ ଅନେକ ଆହତ ବ୍ୟକ୍ତି ଏବେ ବି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି । ଏହାଛଡା ହୋର୍ଡିଂ ଭୁଷୁଡି ପଡିବାରୁ ବହୁ ସଂଖ୍ୟକ ମୋଟରଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ସହରାଞ୍ଚଳରେ ଲାଗୁଥିବା ହୋର୍ଡିଂରୁ ପୌରସଂସ୍ଥାମାନେ ମୋଟା ଅଙ୍କର ରାଜସ୍ୱ ପାଉଛନ୍ତି । ଅଥଚ ଏହି ହୋର୍ଡିଂଗୁଡିକ କେତେଦୂର ନିରାପଦ ତାହାର ନିୟମିତ ଯାଞ୍ଚ ହେଉନାହିଁ । ମୁମ୍ବାଇ ଘଟଣା ପରେ କଟକ ମହାନଗର ନିଗମ କର୍ତ୍ତୃପକ୍ଷ ଏକ କମିଟି ଗଠନକରି ଏଠାରେ ଥିବା ହୋର୍ଡିଂଗୁଡିକର ନିରାପତ୍ତା ଯାଞ୍ଚ ଆରମ୍ଭ କରିଛନ୍ତି । ତେବେ ସମଗ୍ର ରାଜ୍ୟରେ ହଜାର ହଜାର ସଂଖ୍ୟକ ବଡ ବଡ ହୋର୍ଡିଂଷ୍ଟାଣ୍ଡ ଥିବାରୁ ସମସ୍ତ ସ୍ଥାନରେ ଯାଞ୍ଚ ଲାଗି ବ୍ୟବସ୍ଥା କରିବାକୁ ଦାବି ହେଉଛି ।

ଏଠାରେ ଉଲ୍ଲେଖନୀୟ ଯେ ବିଭିନ୍ନ ବିଜ୍ଞାପନ ସଂସ୍ଥା ଓ କର୍ପୋରେଟହାଉସ୍‍ ସହରାଞ୍ଚଳ ସମେତ ଜାତୀୟ ଓ ରାଜପଥ କଡରେ ବଡ ବଡ ବିଜ୍ଞାପନ ପ୍ରଦର୍ଶନ ଲାଗି ସୁଉଚ୍ଚ ହୋର୍ଡିଂଷ୍ଟାଣ୍ଡମାନ ନିର୍ମାଣ କରିଛନ୍ତି । ଏମିତିକି କେତେକ କୋଠାବାଡି ଉପରେ ବି ହୋର୍ଡିଂଷ୍ଟାଣ୍ଡମାନ ବସାଯାଇଛି । ନିର୍ଦ୍ଧିଷ୍ଟ ସମୟପାଇଁ ବିଜ୍ଞାପନଦାତାମାନଙ୍କ ହୋର୍ଡିଂ ଲଗାଇ ଏହି ସଂସ୍ଥାମାନେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଏବେ ନିର୍ବାଚନଋତୁ ଚାଲିଥିବାରୁ ବିଭିନ୍ନ ଦଳ ଓ ପ୍ରାର୍ଥୀମାନେ ବି ଏହି ହୋର୍ଡିଂର ସାହାରା ନେଉଛନ୍ତି ।

ସଡକୁ ସୁରକ୍ଷା ସହ ଜଡିତ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷ ମତବ୍ୟକ୍ତ କରୁଛନ୍ତି ଯେ ଛକ ଜାଗା ଓ ଅନ୍ୟାନ୍ୟ ଦୁର୍ଘଟଣା ପ୍ରବଣ ସ୍ଥାନରେ ଥିବା ବିଜ୍ଞାପନ ହୋର୍ଡିଂଗୁଡିକ ଯୋଗୁଁ ବିପତ୍ତି ଘଟୁଛି । ଏହାଛଡା ବଡ ବଡ ହୋର୍ଡିଂଷ୍ଟାଣ୍ଡ ସବୁ ଯେଉଁ ଲୁହା ଖୁଣ୍ଟି ଉପରେ ରହିଛି ସେଗୁଡିକରୁ କିଏ କେତେ ଦୁର୍ବଳ ଓ କାହାର ମୂଳ ସବୁ କଳଙ୍କି ଖାଇଗଲାଣି ତାହାର ନିୟମିତ ଯାଞ୍ଚ ହେଉନାହିଁ । ଗତ କିଛିବର୍ଷ ଧରି ଓଡିଶାରେ ଘୂର୍ଣ୍ଣିଝଡ ସହ ବାତ୍ୟା ବିପତ୍ତି ରହୁଛି । ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି ଯେ ଖରାଦିନେ ବି ଘୂଣ୍ଣିଂଝଡ ଯୋଗୁଁ ୪୦ରୁ ୮୦ କିଲୋମିଟର ବେଗରେ ପବନ ବୋହୁଛି ।

ଅତୀତରେ ମହାବାତ୍ୟା ସମୟରେ ବିଭିନ୍ନ ସ୍ଥାନରେ ଅନେକ ହୋର୍ଡିଂ ଭାଙ୍ଗି ଯାଇଥିଲା । ତେବେ ସେ ସମୟରେ ମହାବାତ୍ୟା ଯୋଗୁଁ ରାସ୍ତାଘାଟରେ ଯାନ ବାହାନ ଚଳାଚଳ କରୁନଥିବାରୁ ହୋର୍ଡିଂ ପାଇଁ କାହାର ଜୀବନ ଯାଇନଥିଲା । ବହୁ ସ୍ଥାନରେ ୨୦୦ ଫୁଟ ଉଚ୍ଚାର ଏମିତିକି ୧୦୦ ଫୁଟ ଚଉଡାର ବିଶାଳକାୟ ହୋର୍ଡିଂ ଷ୍ଟାଣ୍ଡମାନ ରହିଛି । ଏଥିରୁ କେତେକରେ ସରକାରୀ ବିଜ୍ଞାପନ ମଧ୍ୟ ପ୍ରଦର୍ଶିତ ହୋଇଥାଏ ।ଏହି ହୋର୍ଡିଂଷ୍ଟାଣ୍ଡଗୁଡିକ ନିକଟରେ ବ୍ୟବସାୟ କରୁଥିବା ଛୋଟ ଛୋଟ ଦୋକାନୀମାନେ ଭୀତତ୍ରସ୍ତ ହେବା ସ୍ୱାଭାବି । ଏ ପରିପ୍ରେକ୍ଷୀରେ ହୋର୍ଡିଂଷ୍ଟାଣ୍ଡଗୁଡିକ ଯାନ ବାହାନ ଓ ଲୋକେ ଚଳାଚଳ କରୁଥିବା ସ୍ଥାନରୁ ନିରାପଦ ଦୂରତାରେ ରହିବା, ସେଗୁଡିକର ନିର୍ମାଣ ପଦ୍ଧତି ସୁଦୃଢ ହେବା ଏବଂ ନିୟମିତ ଭାବେ ଏହାର ନିରାପତ୍ତା ଯାଞ୍ଚଲାଗି ମତପ୍ରକାଶ ପାଉଛି । (ତଥ୍ୟ)