Home Health ହୁ ହୁ ମାଡୁଛି କରୋନା

ହୁ ହୁ ମାଡୁଛି କରୋନା

143
0

ଭୁବନେଶ୍ୱର : ରାଜ୍ୟରେ କରୋନା ଏବେ ହୁ ହୁ ହୋଇ ମାଡୁଛି । ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୬ହଜାର ଅତିକ୍ରମ କରିଯାଇଥିବାବେଳେ ଖୋରଧା ଜିଲ୍ଲାରେ ଏହା ୧୧ଶହ ଟପିଛି । ଅଧିକାଂଶ ଜିଲ୍ଲାରେ ଏହା ତିନି ଅଙ୍କରେ ଥିବାବେଳେ ପଶ୍ଚିମଓଡିଶା ସଂକ୍ରମଣ ଏବେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଛି ।

ଏପ୍ରିଲ୍‍ ୨୦ତାରିଖରେ ରାଜ୍ୟରେ ୪୮୫୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗତକାଲି ଏହା ୬୧୬୪ରେ ପହଞ୍ଚିଛି । ଗୋଟିଏ ଦିନରେ ୧୩୧୩ ଜଣ ସଂକ୍ରମିତ ବୃଦ୍ଧି ସହିତ କରୋନା ପ୍ରତିଦିନ ରାଜ୍ୟରେ ନୂଆ ନୂଆ ରେକର୍ଡ କରିବାରେ ଲାଗିଛି । କରୋନାର ପ୍ରଥମ ଲହରରେ ବି ଗୋଟିଏ ଦିନରେ ଏତେ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉନଥିଲେ ।

ଗତ ୨୪ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ୬୧୬୪ ସଂକ୍ରମିତଙ୍କ ମଧ୍ୟରୁ ୩୫୭୫ କ୍ୱାରେଣ୍ଟାଇନ୍‍ରୁ ଚିହ୍ନଟ ହୋଇଥିବାବେଳେ ୨୫୮୯ ଲୋକାଲ କେଶ୍‍ । ସେହିଭଳି ଖୋରଧା ଜିଲ୍ଲାରେ ସର୍ବାଧିକ ୧୧୩୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ନୂଆପଡାରେ ୪୫୯, କଳାହାଣ୍ଡିରେ ୪୫୨, ସୁନ୍ଦରଗଡରେ ୪୨୭, କଟକରେ ୩୬୦, ଝାରସୁଗୁଡାରେ ୩୫୫, ପୁରୀରୁ ୨୮୬, ବରଗଡରେ ୨୩୬, ସମ୍ବଲପୁରରେ ୨୨୯, ବଲାଙ୍ଗିରରେ ୨୨୬, ନବରଙ୍ଗପୁରରେ ୨୦୭, କେନ୍ଦୁଝରରେ ୨୦୫ ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଯାଜପୁରରୁ ୧୫୪, ଅନୁଗୁଳ ଓ ମୟୁରଭଞ୍ଜରୁ ୧୩୬କରି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ ୧୩୫, ରାୟଗଡାରୁ ୧୦୫ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କରେ ସୀମିତ ଥିବାବେଳେ ସବୁଠାରୁ କମ୍‍ ୧୬ଜଣ ଚିହ୍ନଟ ହୋଇଛନ୍ତି ମାଲକାନଗିରି ଜିଲ୍ଲାରେ ।

ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୩,୮୮,୪୭୯ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରୁ ୩,୫୧,୩୮୬ଜଣ ସୁସ୍ଥହୋଇ ସାରିଲେଣି । ତେବେ ଦ୍ରୁତ ସଂକ୍ରମଣ ଯୋଗୁଁ ରାଜ୍ୟରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩୫ହଜାରକୁ ଅତିକ୍ରମ କରିଯାଇଛି ।

କରୋନାରେ ଆଉ ୭ଜଣ ମୃତ୍ୟୁ ପରେ ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୧୯୬୫ରେ ପହଞ୍ଚିଛି । ମୃତ୍ୟୁବରଣ କରିଥିବା ୭ଜଣଙ୍କ ମଧ୍ୟରେ ରାୟଗଡା ଓ ଗଞ୍ଜାମରୁ ୨ଜଣ କରି ଥିବାବେଳେ ଖୋରଧା, କନ୍ଧମାଳ ଓ କଳାହାଣ୍ଡିରୁ ଜଣେ କରି ଅଛନ୍ତି ।

ଗୋଟିଏ ଦିନରେ ପାଖାପାଖି ୪୫ହଜାର ନମୂନା ପରୀକ୍ଷା ସହିତ ରାଜ୍ୟରେ କରୋନା ପରୀକ୍ଷା ସଂଖ୍ୟା କୋଟିଏର ନିକଟବର୍ତ୍ତୀ ହୋଇଛି । ଆଜି ସୁଦ୍ଧା ରାଜ୍ୟରେ ୯୭,୫୧,୯୩୨ ଟି ନମୂନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୩.୯୮ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here