Home General ହୀରାକୁଦ ନଦୀବନ୍ଧ ପାଇଁ ୫୫୫୪ ଥଇଥାନ

ହୀରାକୁଦ ନଦୀବନ୍ଧ ପାଇଁ ୫୫୫୪ ଥଇଥାନ

ଭୁବନେଶ୍ୱର : ହୀରାକୁଦ ନଦୀବନ୍ଧ ନିର୍ମାଣ ପାଇଁ ମୋଟ ୫୫୫୪ ବିସ୍ଥାପିତ ପରିବାରଙ୍କୁ ଥଇଥାନ କରାଯାଇଛି । ଏମାନେ ସମସ୍ତେ ସମ୍ବଲପୁର, ଝାରସୁଗୁଡା ଓ ବରଗଡ ଜିଲ୍ଲାର ।

ବିଜେପି ବିଧାୟକ ମୋହନ ଚରଣ ମାଝୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଣିଂ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ହୀରାକୁଦ ନଦୀବନ୍ଧ ପାଇଁ ବିସ୍ଥାପିତ ହୋଇଥିବା ପରିବାର ମଧ୍ୟରୁ ସମ୍ବଲପୁର ଜିଲ୍ଲାରୁ ୨୨୪୩ ପରିବାରଙ୍କୁ ଥଇଥାନ କରାଯାଇଛି । ଏମାନଙ୍କୁ ୧୮ଟି କ୍ୟାମ୍ପରେ ପୁନର୍ବାସ କରାଯାଇଛି ଏବଂ ୧୦୨୭ଟି ଜମିପଟ୍ଟା ପ୍ରଦାନ କରାଯାଇଛି ।

ସେହିଭଳି ଝାରସୁଗୁଡା ଜିଲ୍ଲାରେ ୧୮୮୯ ପରିବାରକୁ ଥଇଥାନ ସହିତ ସେମାନଙ୍କୁ ଘରଡିହ ପଟ୍ଟା ଦିଆଯାଇଛି । ଅନ୍ୟ ବିସ୍ଥାପିତ ପରିବାରମାନଙ୍କୁ ଥଇଥାନ ପାଇଁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ୍‍ ଜାରି କରାଯାଇଥିଲା । ଯାହାଦ୍ୱାରା ୨୦୨୦-୨୧ ବର୍ଷରେ ୬୭୬୭ଟି ଆବେଦନ ମିଳିଥିଲା । ତଦନ୍ତ ପରେ ଏଥିରୁ ୨୧୦୧ ଜଣ ଘରଡିହ ପଟ୍ଟା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବରଗଡ ଜିଲ୍ଲାରେ ୧୪୨୨ଟି ପରିବାର ଥଇଥାନ ହୋଇଥିବା ବେଳେ ସେମାନଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି ।

ଅନ୍ୟ ନଦୀବନ୍ଧ ଯୋଜନା ମଧ୍ୟରେ ମାଲକାନଗିରି ଜିଲ୍ଲାର ବାଲିମେଳା ଜଳ ବିଦ୍ୟୁତ୍‍ ପ୍ରକଳ୍ପ ପାଇଁ ୧୨ଶହ ପରିବାର ବିସ୍ଥାପିତ ହୋଇଥିବା ବେଳେ ସମସ୍ତଙ୍କୁ ସରକାରୀ ଯୋଜନା ଦ୍ୱାରା ଉପକୃତ କରାଯାଇଛି । ବଲାଙ୍ଗୀର ଜିଲ୍ଲାର ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ୯୨୧୨ ଜଣ ବିସ୍ଥାପିତ ହୋଇଥିବା ବେଳେ ୧୪୫୧ ଜଣଙ୍କୁ ଥଇଥାନ କରାଯାଇଛି ଏବଂ ୭୭୬୧ଜଣଙ୍କୁ ଥଇଥାନ ପାଇଁ ପଦକ୍ଷେପ ନିଆଯାଉଛି ।

ନୂଆପଡା ଜିଲ୍ଲାର ଖଡିଆଳ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୫୩୪୯ଜଣ ବିସ୍ଥାପିତ ହୋଇଥିବା ବେଳେ ୧୪୯ ପରିବାର ଥଇଥାନ ଅପେକ୍ଷାରେ ଅଛନ୍ତି । ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଲାଗି ୪୩୩୨ ପରିବାର ବିସ୍ଥାପିତ ହୋଇଥିଲା ବେଳେ ୫୭୨ ପରିବାର ଥଇଥାନ ଅପେକ୍ଷାରେ ରହିଛନ୍ତି ।

କେନ୍ଦୁଝର ଜିଲ୍ଲାର କାହ୍ନୁପୁର ଜଳସେଚନ ପ୍ରକଳ୍ପ ଲାଗି ୪୪୦୪ ପରିବାର ବିସ୍ଥାପିତ ହୋଇଥିଲା ବେଳେ ୨୮ ପରିବାର ଥଇଥାନ ପାଇଁ ଅପେକ୍ଷା କରିଛନ୍ତି । ବାଲେଶ୍ୱର ଜିଲ୍ଲାର ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପରେ ୨୨ ପରିବାର ବିସ୍ଥାପିତ ହୋଇଥିଲା ବେଳେ ୭ ପରିବାର ଥଇଥାନ ହୋଇପାରି ନାହାନ୍ତି ।

କୋରାପୁଟ ଜିଲ୍ଲାର ଅପରକୋଲାବ ନଦୀବନ୍ଧ ଯୋଜନାରେ ୩୩୧୮ ପରିବାର, ନବରଙ୍ଗପୁର ଜିଲ୍ଲାର ଅପର ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ୬୧୩୩ ପରିବାର ଓ ଦେବଗଡ ଜିଲ୍ଲାର ରେଙ୍ଗାଲି ନଦୀବନ୍ଧ ଯୋଜନା ପାଇଁ ୧୧,୭୭୨ ପରିବାର ବିସ୍ଥାପିତ ହୋଇଥିବା ବେଳେ ଏମାନେ ସମସ୍ତେ ଥଇଥାନ ହୋଇସାରିଛନ୍ତି । (ତଥ୍ୟ)