Home Administration ହାଥରସ ଘଟଣାରେ ଗୃହ ଅଚଳ

ହାଥରସ ଘଟଣାରେ ଗୃହ ଅଚଳ

293
0

ଉତ୍ତର ପ୍ରଦେଶର ହାଥରସ ଘଟଣାରେ ଆଜି ବିଧାନସଭାର ଗୃହ କାର୍ଯ୍ୟ ପ୍ରଥମାର୍ଦ୍ଧରେ ଏକ ପ୍ରକାର ଅଚଳ ରହିଛି । ଏହି ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟରେ ହଟ୍ଟଗୋଳ କରିବା ସହିତ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିବାରୁ ଗୃହକାର୍ଯ୍ୟ ବାରମ୍ବାର ମୁଲତବି ହେବା ସହିତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ । ହେଲେ ପରିସ୍ଥିତିରେ ସୁଧାର ନ ଆସିବାରୁ ବାଚସ୍ପତି ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି ।

ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ସାମାଜିକ ଗଣମାଧ୍ୟମରେ ବଲାଙ୍ଗୀର କଂଗ୍ରେସର ଦୁଇଟି ମୁଣ୍ଡ ବୋଲି ଖବର ଆସିଛି । ଏଥିରେ ଉଲ୍ଲେଖ ଅଛି ଯେ ବଲାଙ୍ଗୀରରେ କଂଗ୍ରେସ କୋଭିଡ ବିରୁଦ୍ଧରେ ଲଢେଇ କରୁଛି । ହେଲେ ବିଧାନସଭା ଭିତରେ କଂଗ୍ରେସ ନେତା କିଛି କହୁନାହାନ୍ତି । ଶ୍ରୀ ମିଶ୍ର କହିଥିଲେ ଯେ ଗୃହରେ ମୁଁ ବଲାଙ୍ଗୀରରେ କୋଭିଡ ପରିଚାଳନା କଥା ଉଠାଇଛି । ଭେଣ୍ଟିଲେଟର ଅଭାବ କଥା ବି ଗୃହରେ ଉଠିଛି ।

ହେଲେ ସେ ସାମ୍ବାଦିକ ଗୃହରେ ଉପସ୍ଥିତ ନଥାଇ କେମିତି ଜାଣିଲେ ଯେ କଂଗ୍ରେସ ବଲାଙ୍ଗୀର କୋଭିଡ ପରିଚାଳନା କଥା ଗୃହରେ ଉଠାଉ ନାହାନ୍ତି । ସେହି ସାମ୍ବାଦିକଙ୍କର ବିଧାନସଭା ଆସିବାକୁ ପାସ୍‍ ନାହିଁ । ଯେଉଁ ସାମ୍ବାଦିକମାନେ ବିଧାନସଭା ବିବରଣୀ ସଂଗ୍ରହ କରିବାକୁ ଆସୁନାହାନ୍ତି ସେମାନେ ଭୁଲ ରିପୋର୍ଟିଂ କରିବାକୁ ବାଚସ୍ପତି ବାରଣ କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ ।

ଏହି ସମୟରେ ଗୃହରେ ଉତ୍ତରପ୍ରଦେଶର ହାଥରସ ଘଟଣା ଉଠିଥିଲା । ଶ୍ରୀ ମିଶ୍ର କହିଥିଲେ ଯେ ହାଥରସ ଭଳି ଓଡିଶାରେ ମଧ୍ୟ ଶାସକ ଦଳ ବିରୋଧୀଙ୍କୁ ଡରାଇବା ଆରମ୍ଭ କରିଛନ୍ତି । ଉତ୍ତର ପ୍ରଦେଶରେ ଏଆଇସିିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପ୍ରୟଙ୍କା ଗାନ୍ଧୀଙ୍କୁ ମାଡ ମରାଯାଇଛି ଓ ଗିରଫ ବି କରାଯାଇଛି । ଏଥିରୁ ଜଣାପଡୁଛି ଗଣତନ୍ତ୍ର କେଉଁ ସ୍ତରକୁ ଗଲାଣି । କଂଗ୍ରେସ ସଦସ୍ୟମାନେ ଏହି ଘଟଣାକୁ ନେଇ ଗୃହରେ ହୋ ହଲ୍ଲା କରିଥିଲେ ।

ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ଲୋଗାନବାଜି କରିବା ସହିତ ରାହୁଲ ଓ ସୋନିଆଙ୍କ ଜିନ୍ଦାବାଦ ପକାଇ ଗୃହ ମଧ୍ୟଭାଗକୁ ଆସିଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି ଓ ମହମ୍ମଦ ମୋକିମ । କଂଗ୍ରେସ ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟକୁ ପ୍ରଥମେ ୧୦ ମିନିଟ୍‍ ପାଇଁ ବାଚସ୍ପତି ମୁଲତବି ଘୋଷଣା କରିଥିଲେ ।

ତେବେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ଗୃହରେ ପୁନର୍ବାର ହୋ ହଲ୍ଲା କରିଥିଲେ । କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ଉତ୍ତର ପ୍ରଦେଶ ପ୍ରସଙ୍ଗ ନେଇ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ଏଭଳି ହୋ ହଲ୍ଲା ମଧ୍ୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ କହିବା ପାଇଁ ଡାକିଥିଲେ ବାଚସ୍ପତି । ଶ୍ରୀ ନାୟକ କହିଥିଲେ ଯେ ଉତ୍ତର ପ୍ରଦେଶର ଦୁଇଦିନ ତଳର ଘଟଣାକୁ ନେଇ ବିଧାନସଭା କାର୍ଯ୍ୟ ବ୍ୟାହତ କରିବାର କୌଣସି ଯଥାର୍ଥତା ନାହିଁ । ସଂସଦରେ ଏହି ପ୍ରସଙ୍ଗ ଉଠାଇଥିଲେ ଚଳିଥାନ୍ତା । କଂଗ୍ରେସ ସମୟରେ ବି ଏମିତି ଘଟଣା ହୋଇଛି । ବିରୋଧୀ ଦଳ ନେତା ତାଙ୍କର ବକ୍ତବ୍ୟ ରଖୁଥିବା ବେଳେ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟରେ ହଟ୍ଟଗୋଳ ଜାରି ରଖିବାରୁ ବାସ୍ପତି ଗୃହକୁ ମୁଲତବି ରଖିଥିଲେ ।

ସର୍ବଦଳୀୟ ବୈଠକରେ ଯୋଗ ଦେବା ପାଇଁ ବାଚସ୍ପତି ବିରୋଧୀ ଦଳ ନେତା, ସଂସଦୀୟ ବ୍ୟାପାର ମନ୍ତ୍ରୀ, କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ଡାକିଥିଲେ । ସର୍ବଦଳୀୟ ବୈଠକ ପରେ ଗୃହ ସ୍ୱାଭାବିକ ନ ହେବାରୁ ବାଚସ୍ପତି ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି । 

LEAVE A REPLY

Please enter your comment!
Please enter your name here