Home General ହାତୀ ମୃତ୍ୟୁ ରୋକିବ ସେନସର ନେଟୱାର୍କ

ହାତୀ ମୃତ୍ୟୁ ରୋକିବ ସେନସର ନେଟୱାର୍କ

ଭୁବନେଶ୍ୱର : ରେଳ ଲାଇନ୍‍ ଦୁର୍ଘଟଣାରେ ହାତୀ ମୃତ୍ୟୁକୁ ରୋକିବ ସେନସର ନେଟୱାର୍କ ଜ୍ଞାନକୌଶଳ । ସେହିଭଳି ମତ୍ସ୍ୟଜୀବୀଙ୍କୁ ସହାୟକ ହେବ ସି ମୋବାଇଲ ନେଟୱାର୍କ । ମତ୍ସ୍ୟଜୀବୀ ଓ ହାତୀ ବସବାସ କରୁଥିବା ଓଡିଶା ଭଳି ଉପକୂଳ ରାଜ୍ୟ ପାଇଁ ଏଭଳି ଅଭିନବ ଜ୍ଞାନକୌଶଳ ବିକଶିତ କରିଥିବା ଦୁଇ ବୈଜ୍ଞାନିକଙ୍କ ମଧ୍ୟରେ ଜଣେ ହେଉଛନ୍ତି ଓଡିଆ

ଓଡିଆ ବୈଜ୍ଞାନିକ ପ୍ରଫେସର ସୁବ୍ରତ କର ତାଙ୍କର ସେନସର ନେଟୱାର୍କ ଜ୍ଞାନକୌଶଳ ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ପାଇଛନ୍ତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଟେଲିକମ୍‍ ସ୍କିଲ ଏକ୍ସିଲେନ୍ସି ପୁରସ୍କାର । ସେହିଭଳି ସି ମୋବାଇଲ ଆପ୍ଲିକେସନ ପ୍ରସ୍ତୁତ କରିଥିବା ବାଙ୍ଗାଲୋରର ଶ୍ରୀନିବାସ କରନାମଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି ।

ହାତୀ କରିଡର ଦେଇ ଯାଇଥିବା ରେଳଲାଇନ୍‍ରେ ରେଳଗାଡି ସହିତ ଧକ୍କାଖାଇ ହାତୀମାନେ ମୃତ୍ୟୁମୁଖରେ ପଡିଥାନ୍ତି । ଏହାକୁ ରୋକିବାପାଇଁ ଜଙ୍ଗଲ ଅଞ୍ଚଳରେ ମନ୍ଥର ଗତିରେ ରେଳଗାଡି ଚଳାଇବା ଠାରୁ ଆରମ୍ଭ ଯେତେସବୁ ପଦକ୍ଷେପ ନେଲେ ବି ଅନେକ ସମୟରେ ହାତୀ-ରେଳଗାଡି ମୁହାଁମୁହିଁ ହୋଇଯାଉଛନ୍ତି । ପ୍ରଫେସର କର ପ୍ରସ୍ତୁତ କରିଥିବା ସ୍ମାର୍ଟ ସଲ୍ୟୁସନ ଏଭଳି ଦୁର୍ଘଟଣାକୁ ରୋକିପାରିବ । ସେନସର ନେଟୱାର୍କ ଓ ଡିଭାଇସ୍‍ଗୁଡିକ ହାତୀମାନଙ୍କ ପ୍ରାକୃତିକ ଆତଯାତକୁ କ୍ଷତି ନପହଞ୍ଚାଇ ଏହା ସେମାନଙ୍କୁ ସୁରକ୍ଷା ଯୋଗାଇଦେବ । ଉତ୍ତରାଖଣ୍ଡର ରାଜାଜୀ ଜାତୀୟ ପାର୍କରେ ପାଇଲଟ ପ୍ରକଳ୍ପ ଭାବେ ଏହା କାର୍ଯ୍ୟକାରୀ ହେଉଛି ।

ସେହିଭଳି ପ୍ରଥମ ପୁରସ୍କାର ପାଇଥିବା ଶ୍ରୀ କରନାମ ଉଦ୍ଭାବନ କରିଥିବା ସି ମୋବାଇଲ ଆପ୍ଲିକେସନ ମତ୍ସ୍ୟବୀବୀମାନଙ୍କୁ ଅଧିକ ସୁରକ୍ଷିତ କରିପାରୁଛି । ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ଯେଉଁମାନେ କି ଜିଏସ୍‍ଏମ୍‍ ନେଟୱାର୍କ ବାହାରେ ରହିଯାଉଛନ୍ତି, ସେମାନେ ଏହି ନୂତନ ଜ୍ଞାନକୌଶଳ ଦ୍ୱାରା ପରସ୍ପର ମଧ୍ୟରେ କଥାବାର୍ତ୍ତା ହେବା ସହିତ ଗ୍ରୁପ୍‍ କଲ୍‍, ଏସ୍‍ଏମ୍‍ଏସ୍‍, ଲୋକେସନ ସର୍ଭିସ ଓ ଜରୁରୀ ସେବା ଆଦି ପାଇପାରିବେ । ଏହି ସେବା ଥିରୁଅନନ୍ତପୂରମ ଠାରୁ କାଲିକଟ ପର୍ଯ୍ୟନ୍ତ କେରଳ ଉପକୂଳରେ ୫୦୦ କିଲୋମିଟର ମଧ୍ୟରେ ଉପଲବ୍ଧ ହେଉଛି ଏବଂ ପ୍ରାୟ ୯୦୦ ବୋଟ୍‍ରେ ଏହା ଲଗାଯାଇଛି ।

ଦୁଇ ବୈଜ୍ଞାନିକଙ୍କୁ ସେମାନଙ୍କ ଏହି ଅଭିନବ ଉଦ୍ଭାବନ ପାଇଁ ଉଭୟ ଟେଲି ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ପୁରସ୍କାର ପ୍ରଦାନ ଅବସରରେ ବେଶ୍‍ ପ୍ରଶଂସା କରାଯାଇଛି । ପ୍ରଥମ ପୁରସ୍କାର ଭାବେ ଶ୍ରୀ କାରନାମଙ୍କୁ ନଗଦ ୫୦ହଜାର ଟଙ୍କା ଏବଂ ପ୍ରଫେସର କରଙ୍କୁ ଦ୍ୱିତୀୟ ପୁରସ୍କାର ଭାବେ ୩୦ହଜାର ଟଙ୍କା ପ୍ରଦାନ କରାଯାଇଛି ।