Home General ହାତୀ ଉଦ୍ଧାର ଖବର ସଂଗ୍ରହବେଳେ ସାମ୍ବାଦିକ ମୃତ

ହାତୀ ଉଦ୍ଧାର ଖବର ସଂଗ୍ରହବେଳେ ସାମ୍ବାଦିକ ମୃତ

ଭୁବନେଶ୍ୱର : ମୁଣ୍ଡୁଳି ବ୍ୟାରେଜରେ ଫସିଥିବା ହାତୀ ଉଦ୍ଧାର ସମୟର ଖବର ସଂଗ୍ରହବେଳେ ମହାନଦୀରେ ଓଡ୍ରାଫ ଟିମ୍‍ର ବୋଟ୍‍ ଓଲଟିବାରୁ ସେଥିରେ ଥିବା ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସ ପ୍ରାଣ ହରାଇଛନ୍ତି । ତେବେ ଏଥିରେ ଥିବା ୫ଜଣ ଓଡ୍ରାଫ ଟିମ୍‍ ସଦସ୍ୟଙ୍କ ମଧ୍ୟରୁ ବି ଜଣେ ନିଖୋଜ ଅଛନ୍ତି ।

ଗୋଟିଏ ଦନ୍ତାହାତୀ ଗତ କାଲିଠାରୁ ମହାନଦୀର ମୁଣ୍ଡୁଳି ବ୍ୟାରେଜ ନିକଟରେ ଫସି ରହିଥିବାରୁ ତାକୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟରେ ଓଡ୍ରାଫ ଟିମ୍‍ ମୁତୟନ ହୋଇଥିଲେ । ତେବେ ଓଡ୍ରାଫ ଟିମ୍‍ ରବର ବୋଟ୍‍ ସହାୟତାରେ ହାତୀ ନିକଟକୁ ଯିବାବେଳେ ସେମାନଙ୍କ ସହିତ ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ପ୍ରଭାତ ମଧ୍ୟ ଖବର ସଂଗ୍ରହ ପାଇଁ ଯାଇଥିଲେ ।

ବୋଟ୍‍ଟି ହାତୀ ନିକଟରେ ପହଞ୍ଚିବାପରେ ହଠାତ ସୁଅ ମୁହଁରେ ପଡି ଯାଇଥିଲା । ଓଡ୍ରାଫ ଟିମ୍‍ ସଦସ୍ୟ ବୋଟ୍‍ ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ସିଧାସଳଖ ଯାଇ ବ୍ୟାରେଜ ଖମ୍ବରେ ପିଟିହେବା ସହିତ ଓଲଟି ପଡିଥିଲା । ତେବେ ବୋଟ୍‍ଟି ଓଲଟିବା ସମୟରେ ପୋଲ ଉପରେ ଥିବା ଲୋକେ ସଂଗେ ସଂଗେ ଉଦ୍ଧାର ପାଇଁ ଦଉଡି ଓ ଜାଲ ଆଦି ତଳକୁ ପକାଇଥିଲେ ।

ଅଳ୍ପ କେତେଜଣ ଦଉଡି ସହାୟତାରେ ଉଦ୍ଧାର ହୋଇଥିବାବେଳେ ଅନ୍ୟମାନେ କିନ୍ତୁ ନଦୀର ପ୍ରଖର ସୁଅରେ ଭାସି ଯାଇଥିଲେ । ଦେଶୀ ଡଙ୍ଗା ସାହାଯ୍ୟରେ ଏମାନଙ୍କୁ କିଛି ସମୟ ପରେ ଉଦ୍ଧାର କରାଯାଇଥିଲା । ମିଳିଥିବା ଖବର ଅନୁଯାୟୀ ସାମ୍ବାଦିକ ଶ୍ରୀ ଦାସ ଚେତାଶୂନ୍ୟ ଅବସ୍ଥାରେ ନଦୀ ମଧ୍ୟରୁ ଉଦ୍ଧାର ହେବାପରେ ଅନ୍ୟମାନଙ୍କ ସହିତ ତାଙ୍କୁ ମଧ୍ୟ ତୁରନ୍ତ ଚିକିତ୍ସା ପାଇଁ ଏସ୍‍ସିବି ପଠାଯାଇଥିଲା । ଏସ୍‍ସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସାମ୍ବାଦିକ ଅରିନ୍ଦମଙ୍କୁ ମୃତ ଘୋଷଣା କରିଥିଲେ ।

ଶ୍ରୀ ମହାରଣାଙ୍କ ସୂଚନା ଅନୁଯାୟୀ ଓଟିଭି କ୍ୟାମେରାମ୍ୟାନ ପ୍ରଭାତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ମେଡିସିନ୍‍ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେହିଭଳି ଏସ୍‍ସିବିରେ ପହଞ୍ଚିଥିବା ଓଡ୍ରାଫ ଟିମ୍‍ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

LEAVE A REPLY

Please enter your comment!
Please enter your name here