Home General ହାତୀଙ୍କୁ ରୋକିବେ ମହୁମାଛି……

ହାତୀଙ୍କୁ ରୋକିବେ ମହୁମାଛି……

ଭୁବନେଶ୍ୱର : ଜନବସତିକୁ ପଶି ଆସି ବ୍ୟାପକ କ୍ଷୟକ୍ଷତି ଘଟାଉଥିବା ଜଙ୍ଗଲୀ ହାତୀମାନଙ୍କୁ ଅଟକାଇବେ ମହୁମାଛି । ହାତୀ-ମଣିଷ ସଂଘର୍ଷ ରୋକିବାପାଇଁ ଖୁବ୍‍ଶୀଘ୍ର ରାଜ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।

ଏହି ପ୍ରକଳ୍ପରେ କମ୍‍ ଖର୍ଚ୍ଚ ସହିତ ହାତୀ ଓ ମଣିଷଙ୍କର କୌଣସି କ୍ଷତି ନଘଟାଇ ଉଭୟଙ୍କ ମଧ୍ୟରେ ହେଉଥିବା ସଂଘର୍ଷକୁ ରୋକାଯାଇପାରିବ । ଏହି ପ୍ରକଳ୍ପରେ ମହୁ ବାକ୍ସ ବସାଇ ହାତୀମାନଙ୍କୁ ଜନପଦ ଭିତରକୁ ଆସିବାକୁ ଅଟକାଇବା ସହିତ ଧନଜୀବନ କ୍ଷତିକୁ ନିୟନ୍ତ୍ରଣ କରାଯାଇ ପାରିବ । ସଂଖ୍ୟାଧିକ ହାତୀ ମହୁମାଛିଙ୍କୁ ଡରି ଜଙ୍ଗଲକୁ ଫେରିଯାଉଥିବା ଦେଖିବାକୁ ମିଳୁଛି ।

ହାତୀମାନେ ଆତଯାତ ହେଉଥିବା ସ୍ଥାନରେ ମହୁବାକ୍ସ ଥିଲେ ସେମାନେ ଆଉ ଫସଲ କିମ୍ବା ଘରଦ୍ୱାର ନଷ୍ଟ କରିପାରୁ ନାହାନ୍ତି । କାରଣ ମହୁମାଛିମାନେ ହାତୀଙ୍କୁ ଦେଖିଲେ ସେମାନଙ୍କ ଆଖିପତାକୁ ବିନ୍ଧିବା ସହିତ ଶୁଣ୍ଢଭିତରେ ପଶି ବିନ୍ଧିଥାନ୍ତି । ମହୁମାଛିଙ୍କ ଏଭଳି ଆକ୍ରମଣରେ ହାତୀମାନେ କଲବଲ ହୋଇ ଜୀବନନେଇ ପଳାଇଥାନ୍ତି ।

ଏହି ଅଭିନବ ଯୋଜନା ଜରିଆରେ ହାତୀମାନଙ୍କୁ ଜନବସତି ଠାରୁ ଦୂରରେ ରଖାଯାଇ ପାରିବ । ଫଳରେ ସେମାନେ ଆଉ ମଣିଷଙ୍କୁ ଆକ୍ରମଣ କରିବାର ସୁଯୋଗ ପାଇବେ ନାହିଁ । ଖୁବ୍‍ ଶୀଘ୍ର ଖଦି ଏବଂ ଗ୍ରାମଦ୍ୟୋଗ କମିଶନ (କେଭିଆଇସି) ପକ୍ଷରୁ ଏହି ଅଭିନବ ପ୍ରକଳ୍ପକୁ ଓଡିଶା ସମେତ ହାତୀ-ମଣିଷ ସଂଘର୍ଷ ହେଉଥିବା ଅନ୍ୟ ରାଜ୍ୟରେ ଆରମ୍ଭ କରାଯିବ । କର୍ଣ୍ଣାଟକର ନଗରହୋଲ ଜାତୀୟ ଉଦ୍ୟାନ ଆଖପାଖରେ କେଭିଆସି ଅଧ୍ୟକ୍ଷ ବିନୟ କୁମାର ସକ୍ସସେନା ଗତ ମାସରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ଖଦି କମିଶନର ଅଧ୍ୟକ୍ଷ କହିଛନ୍ତି ଯେ ଏହି ପ୍ରକଳ୍ପ ପାଇଁ ବ୍ୟାପକ ସୁଯୋଗ ରହିଛି ଏବଂ ଖୁବ୍‍ଶୀଘ୍ର ହାତୀ ଆକ୍ରମଣର ସମ୍ମୁଖୀନ ହେଉଥିବା ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ, ଆସାମ, ତାମିଲନାଡୁ ଓ କେରଳରେ ଏହାର ପ୍ରଭାବ ଦେଖିବାକୁ ମିଳିବ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ି ପ୍ରକଳ୍ପର ସମୀକ୍ଷା କରିବା ସହିତ କହିଛନ୍ତି ଯେ ଏହି ପ୍ରକଳ୍ପ ଜରିଆରେ ହାତୀମାନଙ୍କୁ ଜନବସତି ଠାରୁ ଦୂରେଇ ରଖିବାରେ ଉତ୍ସାହଜନକ ସଫଳତା ମିଳିପାରିଛି । ସମଗ୍ର ଦେଶରେ କୃଷି ଏବଂ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଏହାକୁ କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ, ଆସାମ, ତାମିଲନାଡୁ ଏବଂ କେରଳ ହାତୀ-ମଣିଷ ସଂଘର୍ଷର ପ୍ରମୁଖ ସ୍ଥାନ ପାଲିଥିବାବେଳେ କେଭିଆଇସି ପକ୍ଷରୁ ପର୍ଯ୍ୟାୟକ୍ରମେ ଏହିସବୁ ରାଜ୍ୟରେ ପ୍ରକଳ୍ପ କାର୍ଯ୍ୟକାରୀ ଲାଗି ଯୋଜନା ହୋଇଛି । ସମଗ୍ର ଦେଶରେ ୨୦୧୫ ପରଠାରୁ ହାତୀ ଆକ୍ରମଣରେ ପ୍ରାୟ ୨୪୦୦ ଲୋକ ପ୍ରାଣ ହରାଇଲେଣି । କେଭିଆସି ଅଧ୍ୟକ୍ଷ ପ୍ରକଳ୍ପ ସଂକ୍ରାନ୍ତରେ କହିଛନ୍ତି ଯେ ସମ୍ପୃକ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ମହୁଚାଷ ସଂକ୍ରାନ୍ତରେ ତାଲିମ ପ୍ରଦାନ ସହିତ ମହୁବାକ୍ସ ଯୋଗାଇ ଦିଆଯିବ ଯାହାକୁ ସେମାନେ ମହୁ ଉତ୍ପାଦନ ସହିତ ବଣୁଆ ପଶୁଙ୍କୁ ରୋକିବାରେ ବ୍ୟବହାର କରିପାରିବେ । (ତଥ୍ୟ)

LEAVE A REPLY

Please enter your comment!
Please enter your name here