Home Judiciary ହାଜର ହେବେ କେନ୍ଦୁଝର ଜିଲ୍ଲାପାଳ

ହାଜର ହେବେ କେନ୍ଦୁଝର ଜିଲ୍ଲାପାଳ

ଭୁବନେଶ୍ୱର : ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗରେ ଜଣେ ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କ ମାମଲାରେ ହାଇକୋର୍ଟ ଦେଇଥିବା ରାୟର ଅନୁପାଳନ କରିନଥିବାରୁ କେନ୍ଦୁଝର ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଓଡ଼ିଶା ହାଇକୋର୍ଟ ଏକ ଅନୁକମ୍ପାମୂଳକ ନିଯୁକ୍ତି ମାମଲାର ଶୁଣାଣି ପରେ ଆବେଦନକାରୀଙ୍କ ପ୍ରସଙ୍ଗକୁ ସୀମିତ ସମୟ ମଧ୍ୟରେ ବିଚାର କରି ନିଷ୍ପତ୍ତି ନେବାକୁ କେନ୍ଦୁଝର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନୁରୁପ ମାମଲାରେ ପୂର୍ବରୁ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ରାୟର ନଜିର ଆଧାରରେ ଜିଲ୍ଲାପାଳ ନିଷ୍ପତ୍ତି ନେବାକୁ କୁହାଯାଇଥିଲା ।

ଇତିମଧ୍ୟରେ ହାଇକୋର୍ଟଙ୍କ ରାୟ କାର୍ଯ୍ୟକାରୀ କରିବା ପରିବର୍ତ୍ତେ କେନ୍ଦୁଝର ଜିଲ୍ଲାପାଳ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଉପରେ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ ଲୋଡିଥିଲେ । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପାଖରୁ ସ୍ପଷ୍ଟୀକରଣ ମିଳି ନଥିବା ଯୁକ୍ତି ଦର୍ଶାଇ ଆବେଦନକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଦେବା ପ୍ରାର୍ଥନାକୁ ଜିଲ୍ଲାପାଳ ଖାରଜ କରିଦେଇଛନ୍ତି । ଏହି ପ୍ରସଙ୍ଗ ଆଜି ହାଇକୋର୍ଟରେ ଅନ୍ୟତମ ବିଚାରପତି ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠରେ ଉଠିଥିଲା ।

ଆବେଦନକାରୀ ଓ ସରକାରୀ ପକ୍ଷର ଯୁକ୍ତି ଶୁଣିବା ପରେ ବିଚାରପତି ଶ୍ରୀ ମହାପାତ୍ର ନ୍ୟାୟ ପାଳିକାର ନିର୍ଦ୍ଦେଶର ଗମ୍ଭିରତା ଦୃଷ୍ଟିରୁ କେନ୍ଦୁଝର ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ଆସନ୍ତା ୮ ତାରିଖ ସକାଳ ସାଢେ ୧୦ଟାବେଳେ ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣା ଏବେ ଆଇନଜୀବୀ ଓ ପ୍ରଶାସନିକ ଅଧିକାରୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଅନେକ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀମାନେ ନିଜେ ଲୋକଙ୍କ ଆପତ୍ତିଅଭିଯୋଗର ସମାଧାନ କରିବା ପରିବର୍ତ୍ତେ ଲୋକଙ୍କୁ କୋର୍ଟ କଚେରୀରେ ମାମଲା ରୁଜୁ କରିବା ପାଇଁ ପରୋକ୍ଷରେ ବାଧ୍ୟ କରୁଛନ୍ତି । ଅଭିଯୋଗ ଫଇସଲାରେ ବିଳମ୍ବ ଓ ତ୍ରୁଟି ବିଚ୍ୟୁତି ଯୋଗୁ ଆଇନ ଅଦାଲତ ଉପରେ ମାମଲାର ଚାପ ବୃଦ୍ଧି ପାଉଛି ବୋଲି ଅଭିଜ୍ଞ ଓକିଲମାନେ ମତବ୍ୟକ୍ତ କରୁଛନ୍ତି । କେବଳ ସେତିକି ନୁହେଁ ବହୁ କ୍ଷେତ୍ରରେ ଆଇନ ଅଦାଲତ ରାୟକୁ ଠିକଣା ଭାବେ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ତାହା ଉପରେ ଅପିଲମାନ ଦାଖଲ କରାଯାଉଛି ଏବଂ ବହୁ କ୍ଷେତ୍ରରେ ଆଇନ ଅଦାଲତର ନିର୍ଦ୍ଦେଶ ସୀମିତ ସମୟ ମଧ୍ୟରେ ପାଳନ ନକରି ବର୍ଷ ବର୍ଷ ଧରି ଗଡା ଯାଉଛି ।

ଆଉ କେତେକ କ୍ଷେତ୍ରରେ ଆଇନ ଅଦାଲତ ସରକାରୀ କର୍ତ୍ତୃପକ୍ଷଙ୍କୁ ଆବେଦନକାରୀଙ୍କ ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦେଉଥିବାବେଳେ ଏହାର ଠିକଣା ବିଚାର କରିବା ପରିବର୍ତ୍ତେ ଆଖିବୁଜା ନାକଚ କରିଦିଆଯାଉଥିବାରୁ ସମସ୍ୟାରେ ପଡୁଥିବା ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିବା ସଙ୍ଗେସଙ୍ଗେ ବ୍ୟାପକ ଖର୍ଚ୍ଚାନ୍ତ ହେଉଛନ୍ତି ।

ସାଧାରଣ ଲୋକ ତ ଦୂରର କଥା ସ୍ୱତନ୍ତ୍ର ଶାସନ ସଚିବ ଭାବେ ଅବସର ଗ୍ରହଣ କରିଥିବା ଜଣେ ବରିଷ୍ଠ ଓଏଏସ୍‍ ଅଫିସରଙ୍କ ସପକ୍ଷରେ ୪ବର୍ଷ ତଳେ ସ୍ୟାଟ୍‍ ଦେଇଥିବା ରାୟକୁ ହାଇକୋର୍ଟ କାଏମ ରଖିଥିଲେ ମଧ୍ୟ ଏଯାବତ୍‍ ତାହା କାର୍ଯ୍ୟକାରୀ ହେଉନଥିବାରୁ ସମ୍ପୂର୍ଣ୍ଣ ଅବସରପ୍ରାପ୍ତ କର୍ମଚାରୀ ଜଣକ ରାୟର ଅନୁପାଳନ ପାଇଁ ଅଦାଲତ ଅବମାନନା ସମେତ ଅନେକ ମାମଲା ରୁଜୁ କଲେଣି । ତେବେ ଅଦାଲତ ଅବମାନନା ମାମଲା ରୁଜୁ କଥା ଜଣାପଡିବା ପରେ ସାଧାରଣ ପ୍ରଶାସନ ବିଭାଗ ସମ୍ପୃକ୍ତ କର୍ମଚାରୀଙ୍କ ପ୍ରାପ୍ୟ ଦେବାପାଇଁ ଅର୍ଥ ବିଭାଗକୁ ଗତ ୧୭ ତାରିଖରୁ ଚିଠି ଲେଖିଥିଲେ ମଧ୍ୟ ତାହା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସାଧାରଣ ପ୍ରଶାସନ ଓ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ବିରୁଦ୍ଧରେ ସମ୍ପୃକ୍ତ ଅବସରପ୍ରାପ୍ତ ଅଫିସର ପୁଣି ମାମଲା ରୁଜୁ କରିବାକୁ ଯାଉଥିବା ଜଣାପଡିଛି । (ତଥ୍ୟ)