Home General ହାଇ ସିକ୍ୟୁରିଟି ନମ୍ବରପ୍ଲେଟ ସଂକ୍ରାନ୍ତରେ ଡିଲର ଅନ୍ଧାରରେ

ହାଇ ସିକ୍ୟୁରିଟି ନମ୍ବରପ୍ଲେଟ ସଂକ୍ରାନ୍ତରେ ଡିଲର ଅନ୍ଧାରରେ

ଭୁବନେଶ୍ୱର : କେଉଁ ଯାନବାହାନର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କେବେ ସୁଦ୍ଧା ଲଗାଯିବ ଓ ଏହା ନଲଗାଇଲେ କେତେ ଜୋରିମାନା ହେବ ସେଥିଘେନି ଗଣମାଧ୍ୟମରେ ତୁହାକୁ ତୁହା ଘୋଷଣା ପରେ ଅନେକ ଗାଡିମାଲିକ ସେମାନଙ୍କ ଡିଲରମାନଙ୍କ ସହିତ ଯୋଗାଯୋଗ କରୁଛନ୍ତି । କିନ୍ତୁ ଡିଲରମାନେ ଏହି ନମ୍ବରପ୍ଲେଟ ଯୋଗାଣ ସଂକ୍ରାନ୍ତରେ ପରବର୍ତ୍ତୀ ନିର୍ଦ୍ଦେଶନାମାକୁ ଅପେକ୍ଷା କରିଥିବାରୁ କୌଣସି ଗ୍ରାହକଙ୍କୁ କିଛି ନିର୍ଭରଯୋଗ୍ୟ ଉତ୍ତର ଦେଇପାରୁ ନାହାନ୍ତି ।

ଏବେ ରାଜ୍ୟରେ ତିନି ବର୍ଷ ତଳର ପ୍ରାୟ ୫୦ଲକ୍ଷ ଗାଡି ରାସ୍ତାରେ ଚାଲୁଛି । ଏ ସବୁର ନମ୍ବର ପ୍ଲେଟ ବଦଳିବା ସଂଗେ ସଂଗେ ପ୍ରତିଦିନ ବିକ୍ରି ହେଉଥିବା ନୂଆ ଗାଡି ଗୁଡିକର ମଧ୍ୟ ହାଇସିକ୍ୟୁରିଟି ନମ୍ବରପ୍ଲେଟ ଲଗାଯିବ । ତେବେ ପୁରୁଣା ଗାଡିଗୁଡିକର ହାଇସିକ୍ୟୁରିଟି ନମ୍ବରପ୍ଲେଟ ପାଇଁ କେତେ ପଇସା ଲାଗିବ ସେଥିଘେନି ଏଯାବତ୍‍ କିଛି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନାହିଁ ।

ଏଭଳି ସ୍ଥିତିରେ ସରକାରୀ ଭାବେ କୁହାଯାଉଛି ଯେ ହାଇସିକ୍ୟୁରିଟି ନମ୍ବରପ୍ଲେଟ ପାଇଁ କେବଳ ଅନ୍‍ଲାଇନ୍‍ରେ ଆବେଦନ କରିବାକୁ ପଡିବ ଏବଂ କେଉଁ ଆରଟିଓଙ୍କ ଇଲାକା ମଧ୍ୟରେ କେଉଁ କ୍ଷମତାପ୍ରାପ୍ତ ଡିଲର ଏହି ନମ୍ବରପ୍ଲେଟ ଯୋଗାଇବେ ତାହା ଜଣାପଡିବ । ଏହି ସୂଚନା ମିଳିବାପରେ ଅନେକ ପୁରୁଣା ଗାଡିମାଲିକ ଅନ୍‍ଲାଇନ୍‍ରେ ଡିଲରଙ୍କୁ ଖୋଜୁଥିବାବେଳେ କିଛି ନିର୍ଦ୍ଦିଷ୍ଟ ତଥ୍ୟ ମିଳୁନାହିଁ । ଫଳରେ ନିର୍ଦ୍ଧାରିତ ସମୟସୀମା ବେଳକୁ ହାଇସିକ୍ୟୁରିଟି ନମ୍ବରପ୍ଲେଟ ପାଇଁ ଯାହା ଦର ଧାର୍ଯ୍ୟ ହେବ ତାହା ବାଦ୍‍ ଦଲାଲମାନେ ମୋଟା ଅଙ୍କର ଫାଇଦା ଉଠାଇବା ଆଶଙ୍କା କରାଯାଉଛି ।

୨୦୧୯ ମସିହା ପୂର୍ବରୁ ପଞ୍ଜିକୃତ ସମସ୍ତ ଗାଡିର ହାଇସିକ୍ୟୁରିଟି ପଞ୍ଜିକରଣ ପ୍ଲେଟ ଲଗାଯିବା ବାଧ୍ୟତାମୂଳକ । ଏହା ପରଠାରୁ କିଣାଯାଉଥିବା ଗାଡିଗୁଡିକ ପାଇଁ ଏଭଳି ନମ୍ବରପ୍ଲେଟ ଡିଲରମାନେ ଯୋଗାଉଛନ୍ତି । ୨୦୧୯ ପୂର୍ବରୁ ଯେତେ ଡିଲର ଗାଡିମୋଟର ବିକୁଥିଲେ ଇତି ମଧ୍ୟରେ ସେମାନଙ୍କ ମଧ୍ୟରୁ କେତେ ଡିଲର ତାଙ୍କ ସଂସ୍ଥା ବନ୍ଦ କରିଦେଇଛନ୍ତି । ଏମିତିକି କେତେକ ଗାଡି କମ୍ପାନୀ ମଧ୍ୟ ବନ୍ଦ ହୋଇଯାଇଥିବାବେଳେ ସେମାନଙ୍କ ତିଆରି ୨୦୧୯ ପୂର୍ବର ବହୁ ଗାଡି ବି ରାସ୍ତାରେ ଚାଲୁଛି । ଏଭଳି ମୋଟରଗାଡି ଯେଉଁମାନେ ବ୍ୟବହାର କରୁଛନ୍ତି ଏବେ ସେମାନଙ୍କର ଚିନ୍ତା ବେଶି ବଢିଯାଇଥିବାବେଳେ ସେମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ କେଉଁଠୁ କିଛି ତଥ୍ୟ ମିଳିପାରୁନାହିଁ ।

ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍‍ ଗାଡିରେ ଲଗାଇବାକୁ ବାଧ୍ୟତାମୂଳକ କରିବା ପଛରେ ଜାତୀୟ ନିଷ୍ପତ୍ତି ରହିଛି । ଏହା ଫଳରେ ଟ୍ରାଫିକ ଉଲ୍ଲଙ୍ଘନ ଓ ଅନ୍ୟାନ୍ୟ ବେଆଇନ୍‍ କାରବାରରେ ଲିପ୍ତ ଗାଡିଗୁଡିକୁ ସହଜରେ ଧରାଯାଇ ପାରିବ ଏବଂ ଅପରାଧ ଓ ଦୁର୍ଘଟଣା କମାଇବା କ୍ଷେତ୍ରରେ ଏହା ମଧ୍ୟ ସହାୟକ ହେବ ବୋଲି ବିଭାଗୀୟ ବରିଷ୍ଠ ଅଧିକାରୀମାନେ କହୁଛନ୍ତି ।

ଏ ପରିପ୍ରେକ୍ଷୀରେ କେଉଁ ଆରଟିଓଙ୍କ ଇଲାକାରେ କେଉଁ କେଉଁ ସଂସ୍ଥା କି ପ୍ରକାର ଗାଡି ପାଇଁ କେତେ ଦାମ୍‍ରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ କେତେଦିନ ମଧ୍ୟରେ ଯୋଗାଇବେ ସେଥିଘେନି ପରିବହନ ବିଭାଗ କର୍ତ୍ତୃପକ୍ଷ ଗଣମାଧ୍ୟମରେ ତୁରନ୍ତ ସ୍ପଷ୍ଟ ଘୋଷଣା କରିବାଲାଗି ଦାବି ହେଉଛି । ଯେଉଁ ଡିଲରମାନେ ଏହାର ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ ତାହା ମଧ୍ୟ କର୍ତ୍ତୃପକ୍ଷ ଜଣାଇଦେବା ଆବଶ୍ୟକ । ନହେଲେ ଅତୀତରେ ପ୍ରଦ୍ୟୁଷଣ ସାର୍ଟିଫିକେଟ ପାଇଁ ଗାଡିମାଲିକାମାନେ ଯେଭଳି ହଇରାଣ ହରକତ ହୋଇ ଦିନ ଦିନ ଧରି ଲମ୍ବାଧାଡିରେ ଛିଡା ହେବାସହ ଦଲାଲମାନଙ୍କୁ ପୋଷିଲେ ସେଭଳି ଘଟଣାର ପୁନରାବୃତ୍ତି ହେବା ଆଶଙ୍କା କରାଯାଉଛି । (ତଥ୍ୟ)