Home Judiciary ହାଇକୋର୍ଟରେ ୧୨ ବିଚାରପତି ପଦବୀ ଖାଲି

ହାଇକୋର୍ଟରେ ୧୨ ବିଚାରପତି ପଦବୀ ଖାଲି

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟରେ ଏବେ ଅନ୍ୟୁନ ୧୨ଟି ବିଚାରପତି ପଦବୀ ଖାଲି ପଡ଼ିଥିବା ବେଳେ ଚଳିତବର୍ଷ ଆଉ ଦୁଇଜଣ ବିଚାରପତି ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଯଦି ଜୁଲାଇ ମାସ ପୂର୍ବରୁ ନୂଆ ବିଚାରପତି ନିଯୁକ୍ତ ନ ହୁଅନ୍ତି ତେବେ ଖାଲି ପଡ଼ୁଥିବା ବିଚାରପତି ପଦବୀ ସଂଖ୍ୟା ୧୪କୁ ବଢ଼ିଯାଇପାରେ ।

ଓଡ଼ିଶା ହାଇକୋର୍ଟ ପାଇଁ ୨୭ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ରହିଥିବା ବେଳେ ଏବେ ଏଠାରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ୧୫ ଜଣ କାର୍ଯ୍ୟରତ ବିଚାରପତି ଅଛନ୍ତି । ଏହି ବିଚାରପତିମାନଙ୍କ ମଧ୍ୟରୁ ଜଣେ ଆଗାମୀ ଜୁନ୍‍ ମାସରେ ଓ ଅନ୍ୟ ଜଣେ ଜୁଲାଇ ମାସରେ ଅବସର ଗ୍ରହଣ କରିବାକୁ ଥିବା ବେଳେ ୨୦୨୨ ମସିହାରେ ଆଉ ଦୁଇଜଣ ଅବସର ନେବାକୁ ଯାଉଛନ୍ତି ।

ଓଡ଼ିଶା ହାଇକୋର୍ଟରେ ଆଜିସୁଦ୍ଧା ୧,୭୨,୧୨୩ଟି ମାମଲା ରହିଥିବା ନ୍ୟାସନାଲ ଜୁଡ଼ିସିଆଲ୍‍ ଡାଟା ଗ୍ରୀଡ୍‍ ତଥ୍ୟରୁ ଜଣାପଡ଼ିଛି । ଏଥିମଧ୍ୟରୁ ୧,୧୯,୦୭୭ଟି ସିଭିଲ୍‍ ମାମଲା ହୋଇଥିବା ବେଳେ ୫୩,୦୪୬ଟି ଅପରାଧିକ ମାମଲା ଅଛି ।

ବରିଷ୍ଠ ଆଇନ୍‍ଜୀବୀମାନେ କହୁଛନ୍ତି ଯେ ଓଡ଼ିଶା ହାଇକୋର୍ଟରେ ଯେତେ ମାମଲା ବିଚାର ପ୍ରତୀକ୍ଷାରେ ରହିଛି ତାହାର ଫଇସଲା ପାଇଁ ମଞ୍ଜୁରୀପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ଅନ୍ୟୁନ ୪୨କୁ ବୃଦ୍ଧି କରାଯିବା ଆବଶ୍ୟକ । ବିଚାରପତି ପଦବୀ ବୃଦ୍ଧି କରାଯିବା ତ ଦୂରର କଥା ଗତ ୧୦ ବର୍ଷ ମଧ୍ୟରେ କେବେ ହେଲେ ବି ସମସ୍ତ ମଞ୍ଜୁରୀପ୍ରାପ୍ତ ପଦବୀ ପୂରଣ ହୋଇନାହିଁ ।

ହାଇକୋର୍ଟର ବିଚାରପତି ପଦବୀ ମୁଖ୍ୟତଃ ତିନୋଟି ସୂତ୍ରରୁ ପୂରଣ କରାଯାଇଥାଏ । ବିଭିନ୍ନ ମାନଦଣ୍ଡ ଆଧାରରେ ବରିଷ୍ଠ ଜିଲ୍ଲା ଜଜ୍‍ ପାହ୍ୟାରୁ ହାଇକୋର୍ଟ ବିଚାରପତି ନିଯୁକ୍ତି ପାଇଁ ବ୍ୟବସ୍ଥା ଥିବା ବେଳେ ଆଇନ୍‍ଜୀବୀମାନଙ୍କ ମଧ୍ୟରୁ ବିଚାରପତି ନିଯୁକ୍ତି କରାଯାଇଥାଏ । ଏହାଛଡ଼ା ଅନ୍ୟ ହାଇକୋର୍ଟରୁ ମଧ୍ୟ ବଦଳି କରାଯାଇ ବିଚାରପତି ପଦବୀ ପୂରଣ ହୋଇଥାଏ ।

ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ସବୁଜ ସଙ୍କେତ ପାଇବା ପରେ ଓଡ଼ିଶା ହାଇାକୋର୍ଟ ପକ୍ଷରୁ ସମ୍ଭାବ୍ୟ ବିଚାରପତିଙ୍କ ନାମ ପଠାଯାଇଥାଏ । ରାଜ୍ୟପାଳଙ୍କ ଅନୁମୋଦନ ପରେ ତାହା ସୁପ୍ରିମ୍‍କୋର୍ଟଙ୍କ କଲେଜିୟମ୍‍ ଦ୍ୱାରା ଗୃହୀତ ହେବାପରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ଓ ରାଷ୍ଟ୍ରପତିଙ୍କ ସ୍ୱୀକୃତି କ୍ରମେ ହାଇକୋର୍ଟ ବିଚାରପତି ନିଯୁକ୍ତି ପାଇଥାନ୍ତି । ଏହି ପ୍ରକ୍ରିୟା ବେଶ୍‍ ଲମ୍ବା ଓ ସମୟସାପେକ୍ଷ । ଏବେ ହାଇକୋର୍ଟ ବିଚାରପତିଙ୍କ ଅବସର ବୟସସୀମା ୬୨ ବର୍ଷ ଥିବା ବେଳେ ମୁଖ୍ୟ ବିଚାରପତିଙ୍କ କ୍ଷେତ୍ରରେ ଏହି ବୟସସୀମା ୬୫ ବର୍ଷ ରହିଛି ।

ଓଡ଼ିଶା ହାଇକୋର୍ଟରେ ମାମଲାର ଚାପା ଢେର୍‍ ଅଧିକ ଥିବା ବେଳେ ଉଚ୍ଛେଦ ହୋଇଥିବା ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣର ପ୍ରାୟ ୭୨ହଜାର ମାମଲା ଏଠାକୁ ସ୍ଥାନାନ୍ତରିତ ହେଲେ ଚଳିତବର୍ଷ ଶେଷ ବେଳକୁ ଓଡ଼ିଶା ହାଇକୋର୍ଟର ମାମଲା ସଂଖ୍ୟା ଅଢ଼େଇ ଲକ୍ଷରୁ ଅଧିକ ହୋଇଯିବ ବୋଲି ବରିଷ୍ଠ ଆଇନ୍‍ଜୀବୀମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । ଏବେସୁଦ୍ଧା ଓଡ଼ିଶା ହାଇକୋର୍ଟରେ ୫ରୁ ୧୦ ବର୍ଷର ପୁରୁଣା ୪୫,୬୬୫, ୧୦ରୁ ୨୦ ବର୍ଷ ପୁରୁଣା ୨୭,୮୪୧, ୨୦ରୁ ୩୦ ବର୍ଷ ପୁରୁଣା ୪,୪୨୧ ଓ ୩୦ ବର୍ଷରୁ ପୁରୁଣା ୮୩୩ ମାମଲା ବିଚାର ପାଇଁ ପଡ଼ି ରହିଥିବା ବେଳେ ଅନ୍ୟ ମାମଲାଗୁଡ଼ିକ ୫ ବର୍ଷରୁ କମ୍‍ ଅବଧିର ।