Home General ହସ୍ତଶିଳ୍ପ ତାଲିକାରେ ଜନଜାତି ଚିତ୍ରକଳା

ହସ୍ତଶିଳ୍ପ ତାଲିକାରେ ଜନଜାତି ଚିତ୍ରକଳା

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ପୂର୍ବରୁ ହସ୍ତଶିଳ୍ପକ୍ଷେତ୍ରରେ ସମୁଦାୟ ୫୦ ଗୋଟି କ୍ରାଫଫ ବା ହସ୍ତଶିଳ୍ପକୁ ଅନୁମୋଦିତ ହସ୍ତଶିଳ୍ପରେ ତାଲିକାଭୁକ୍ତ କରାଯାଇଥିଲା । ଏହି ୫୦ଗୋଟି ହସ୍ତଶିଳ୍ପ ସହିତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରସ୍ତାବିତ ଆଉ ଗୋଟିଏ ହସ୍ତଶିଳ୍ପ-ଜନଜାତି ଚିତ୍ରକଳାକୁ ତାଲିକାଭୁକ୍ତ କରାଯାଇଛି ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ପ୍ରକାଶ କରିଛନ୍ତି ।

ଏହି ହସ୍ତଶିଳ୍ପଗୁଡ଼ିକୁ ତାଲିକାଭୁକ୍ତ କରିବା ନିମନ୍ତେ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ରଙ୍କ ସୁପାରିଶ କ୍ରମେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଦେଇଥିବା ପ୍ରସ୍ତାବକୁ ମନ୍ତ୍ରୀ ଶ୍ରୀମତୀ ସାହୁ ଅନୁମୋଦନ କରିଛନ୍ତି ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ଚାନ୍ଦୁଆ, ଆର୍ଟ ଲେଦର, ଆର୍ଟ-ଟେକ୍ସଟାଇଲ୍‌ (ଟାଏ ଆଣ୍ଡ ଡାଏ), ଆର୍ଟିଫିସିଆଲ୍‌ ବୋନ୍‌ସାଇ, ସୁନ୍ଦର ଜୋତା, କଳାତ୍ମକ ମ୍ୟାଟ୍‌, ବାଟିକ୍‌ ପ୍ରିଣ୍ଟିଂ, ବେଟେଲ୍‌-ନଟ୍‌-କ୍ରାଫଫ, ବ୍ରାସ୍‌ ଓ ବେଲ୍‌ ମେଟାଲ, ବେତ ଓ ବାଉଁଶ, ମାଟି ଖେଳଣା, କ୍ଲଥ୍‌ ଫ୍ଲାୱାର, କୋକୋନଟ୍‌ ସେଲ୍‌, କତାଶିଳ୍ପ, କଷ୍ଟୁ୍ୟମ୍‌ ଜୁଏଲାରି, ଡୋକ୍ରା କାଷ୍ଟିଂ, ଦରି କାପ୍ରେଟ୍‌, ଏମ୍ବ୍ରଡରି, ଜେମ୍‌ଷ୍ଟୋନ୍‌ ପ୍ରସେସିଂ, ଗୋଲ୍‌ଡେନ୍‌ ଗ୍ରାସ୍‌, ଗୋପା କ୍ରାଫଫ, ଶିଙ୍ଗ କାମ, ଜାଇଖଡ଼ି କାମ, ଝୋଟଶିଳ୍ପ, କେଓଡ଼ା ପତ୍ର ଶିଳ୍ପ, ଲାଖଶିଳ୍ପ, ଧାତୁଶିଳ୍ପ, ପ୍ରାକୃତିକ ଫାଇବର କ୍ରାଫଫ, ଧାନଶିଳ୍ପ, ତାଳପତ୍ର ଶିଳ୍ପ, ତାଳପତ୍ର ଖୋଦେଇ, କାଗଜକାମ, ପଟ୍ଟ ଓ ଟସର ଚିତ୍ରକଳା, ରୁଟ୍‌ କ୍ରାଫଫ, ସବାଇ ଘାସ ଶିଳ୍ପ, ଶାମୁକା ଶିଳ୍ପ, ତାରକସୀ କାମ, ସଫଫ ଟଏଜ୍‌, ସୋଲାପିଠ, ପଥର ଖୋଦେଇ, ନଡ଼ାଶିଳ୍ପ, ଟେରାକୋଟା ଓ ମାଟିଶିଳ୍ପ, ଥିଏଟ୍ରିକାଲ୍‌ ଡ୍ରେସ୍‌, ଜନଜାତି ଅଳଙ୍କାର, କାଠ ଖୋଦେଇ, କାଠଶିଳ୍ପ, କାଠରେ ତିଆରି କେ„ଇ, ଉଲ୍‌ର କାର୍ପେଟ, ଜରିକାମ, କ୍ଲଥ୍‌ ପ୍ୟାଚ୍‌ ୱାର୍କ ଆଦି ୫୦ଟି ହସ୍ତଶିଳ୍ପ ଅନ୍ତର୍ଭୁକ୍ତ ହୋଇଛି ।

ଏହି ଜନଜାତି ଚିତ୍ରକଳା ହସ୍ତଶିଳ୍ପରେ ନଅଗୋଟି ଚିତ୍ରକଳାକୁ ସାମିଲ କରାଯାଇଛି । ସେଗୁଡ଼ିକ ହେଉଛି ଲାଂଜିଆ ସଉରା ଚିତ୍ରକଳା, ସଉରା ଚିତ୍ରକଳା, ଗଣ୍ଡ ଚିତ୍ରକଳା, ଡଙ୍ଗରିଆ କନ୍ଧ ଚିତ୍ରକଳା, କୁଟିଆ କନ୍ଧ ଚିତ୍ରକଳା, ସାନ୍ତାଳ ଚିତ୍ରକଳା, କୋହ୍ଲ ଚିତ୍ରକଳା, ଜୁଆଙ୍ଗ ଚିତ୍ରକଳା ଏବଂ ଓରାଓଁ ଚିତ୍ରକଳା । ଏହି ଜନଜାତି ଚିତ୍ରକଳାକୁ ମିଶାଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସମୁଦାୟ ୫୧ଟି ହସ୍ତଶିଳ୍ପକୁ ତାଲିକାଭୁକ୍ତ କରିଛି ।