Home General ହସ୍ତତନ୍ତକୁ ଅଧିକ ରିହାତି

ହସ୍ତତନ୍ତକୁ ଅଧିକ ରିହାତି

ଭୁବନେଶ୍ୱର : କରୋନା ଯୋଗୁଁ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଥିବା ହସ୍ତତନ୍ତ ବସ୍ତ୍ରର କାରବାର ବୃଦ୍ଧି ନିମେନ୍ତ ସ୍ୱତନ୍ତ୍ର ଭାବେ ରିହାତି ପ୍ରଦାନ ଲାଗି ଯୋଜନା ପ୍ରସ୍ତୁତ ହେଉଛି । ତଦନୁଯାୟୀ ବର୍ଷକୁ ୧୦୦ ଦିନ ବଦଳରେ ୧୫୦ ଦିନ ୧୦ପ୍ରତିଶତ ସ୍ୱତନ୍ତ୍ର ରିହାତି ମିଳିବ ।

କରୋନା କାଳରେ ବୟନ ଶିଳ୍ପର ଅବସ୍ଥା ସଂକ୍ରାନ୍ତରେ ବିଜେଡି ବିଧାୟକ ସଞ୍ଜିବ କୁମାର ମଲ୍ଲିକ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ । ମନ୍ତ୍ରୀ ତାଙ୍କ ଉପରେ ଉଲ୍ଲେଖ କରିଛନ୍ତି ଯେ କରୋନା ଯୋଗୁଁ ବୟନିକା, ଅମ୍ଲାନ, ସମ୍ବଲପୁରୀ ବସ୍ତ୍ର ଓ ପ୍ରାଥମିକ ବୁଣାକାର ସମବାୟ ସମିତିର ବ୍ୟବସାୟ ପ୍ରଭାବିତ ହୋଇଛି ।

ବୟନିକା କାରବାରର ହିସାବ ଦେଇ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୯ରେ ବୟନିକାର ବ୍ୟବସାୟ ପାଖାପାଖି ୧୧କୋଟି ଟଙ୍କା ଥିବାବେଳେ ୨୦୨୦ ମଇ ମାସରେ ଏହା ଅଢେଇ କୋଟି ଟଙ୍କାରୁ ସାମାନ୍ୟ ଅଧିକ ରହିଥିଲା । ସେହିଭଳି ୨୦୧୯ ଜୁନ୍‍ ମାସରେ ବୟନିକା ୮କୋଟି ୩୦ଲକ୍ଷ ଟଙ୍କାର ବ୍ୟବସାୟ କରିଥିବାବେଳେ ୨୦୨୦ ଜୁନ୍‍ ମାସରେ ତାହା ୪କୋଟିରୁ ସାମାନ୍ୟ ଅଧିକ ଥିଲା । ଜୁଲାଇ ମାସରେ ସ୍ଥିତି ଆହୁରି ଖରାପ ଥିଲା । ୨୦୧୯ ଜୁଲାଇରେ ପାଖାପାଖି ୫କୋଟି ଟଙ୍କାର ବ୍ୟବସାୟ କରିଥିବା ବୟନିକାର କାରବାର ୨୦୨୦ ଜୁଲାଇରେ ୨କୋଟି ବି ଟପିନଥିଲା ।

କେବଳ ବୟନିକା ନୁହେଁ ଅମ୍ଳାନ ବି ସମଦଶା ଭୋଗିଛି । ୨୦୧୯ ଜୁଲାଇମାସରେ ଅମ୍ଲାନର କାରବାର ୧୫ଲକ୍ଷ ୨୫ହଜାର ଟଙ୍କା ଥିବାବେଳେ ୨୦୨୦ ଜୁଲାଇରେ ଏଡା ୩ଲକ୍ଷ ୩୫ହଜାର ଟଙ୍କାକୁ ଖସି ଆସିଥିଲା । ସେହିଭଳି ସମ୍ବଲପୁରୀ ବସ୍ତ୍ରାଳୟ ଓ ପ୍ରାଥମିକ ବୁଣାକାର ସଂଘ କରୋନା ମାଡରେ ଘାଇଲା ହୋଇଥିଲେ ।

ତେବେ କରୋନା ହ୍ରାସ ପାଇବାପରେ ରାଜ୍ୟରେ ହସ୍ତତନ୍ତ ବସ୍ତ୍ରର ବିକ୍ରି ବୃଦ୍ଧି ଲାଗି ସରକାର କେତେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ରାଜ୍ୟର ପ୍ରମୁଖ ବିକ୍ରୟକାରୀ ସଂସ୍ଥାମାନଙ୍କୁ ସ୍ୱତନ୍ତ୍ର ଭାବରେ ୨୫କୋଟି ଟଙ୍କାର ଋଣ ବିନା ସୁଧରେ ଯୋଗାଇ ଦିଆଯାଇଛି । ଏଥି ସହିତ ଅଗ୍ରୀମ କଞ୍ଚାମାଲ ଯୋଗାଣ ସହିତ ପ୍ରସ୍ତୁତି ଖର୍ଚ୍ଚ ମଧ୍ୟ ଦିଆଯାଇଛି ।

ତେବେ ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ସମୟରେ ପ୍ରଭାବିତ ବ୍ୟବସାୟକୁ ପୂର୍ବାବସ୍ଥାକୁ ଫେରି ଆଣିବାପାଇଁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳାର ଆୟୋଜନ ତଥା ଅନ୍‍ଲାଇନ୍‍ ଜରିଆରେ ବିକ୍ରୟ ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here