Home News in Odia ହକି ଖେଳାଳିଙ୍କୁ ଆର୍ଥିକ ପୁରସ୍କାର

ହକି ଖେଳାଳିଙ୍କୁ ଆର୍ଥିକ ପୁରସ୍କାର

ଭୁବନେଶ୍ୱର : ଟୋକିଓ ଅଲମ୍ପିକ୍ସରେ ଭାଗ ନେଇ ଓଡିଶା ଫେରିଥିବା ୪ ଓଡିଆ ହକି ଖେଳାଳିଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିବା ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି । ବ୍ରୋଞ୍ଚ ପଦକ ନେଇ ଫେରିଥିବା ପୁରୁଷ ହକିଦଳର ଦୁଇ ଖେଳାଳିଙ୍କୁ ଅଢେଇ କୋଟି ଟଙ୍କା ଲେଖାଁଏ ଓ ଦୁଇ ମହିଳା ହକି ଖେଳାଳିଙ୍କୁ ୫୦ଲକ୍ଷ ଟଙ୍କାଏ ପ୍ରଦାନ କରାଯାଇଛି ।

ପୁରସ୍କାର ରାଶି ପ୍ରଦାନ ସହିତ ପୁରୁଷ ହକି ଦଳର ଦୁଇ ତାରକା ଖେଳାଳିଙ୍କୁ ରାଜ୍ୟ ସରକାର ଡିଏସ୍‍ପି ପାହ୍ୟାରେ ନିଯୁକ୍ତି ପ୍ରଦାନ କରିଛନ୍ତି । ଏଥି ସହିତ ଖେଳାଳିମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର ଏହି ସହଯୋଗ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।

ବ୍ରୋଞ୍ଚ ମେଡାଲ ନେଇ ଫେରିଥିବା ଦୁଇ ହକି ଖେଳାଳି ହେଲେ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା । ସେହିଭଳି ଦୁଇ ମହିଳା ହକି ଖେଳାଳି ହେଲେ ଦିପଗ୍ରେସ ଏକ୍କା ଓ ନମିତା ଟପ୍ପୋ । ଯଦିଓ ମହିଳା ହକିଦଳ ଅଲମ୍ପିକ୍ସରେ କୌଣସି ପଦକ ଆଣିପାରି ନାହାନ୍ତି ତେବେ ଦୀର୍ଘଦିନ ପରେ ଭାରତୀୟ ମହିଳା ହକିଦଳ ଅଲମ୍ପିକ୍ସରେ ସେମିଫାଇନାଲ ଖେଳିବାକୁ ସକ୍ଷମ ହୋଇଥିଲେ ।

ଭାରତୀୟ ହକିଦଳ ମଧ୍ୟ ୪୧ବର୍ଷ ପରେ କୌଣସି ପଦକ ପାଇବାକୁ ସକ୍ଷମ ହୋଇଛି । ଭାରତୀୟ ଦଳରେ ଥିବା ଅମିତ ରୋହିଦାସଙ୍କ ଖେଳକୁ ଜାତୀୟ ଗଣମାଧ୍ୟମରେ ଭୁରି ଭୁରି ପ୍ରଶଂସା କରାଯାଇଥିବାବେଳେ ତାଙ୍କୁ ଜଣେ ସାଇଲେଣ୍ଟ ହିରୋ ବୋଲି ଆଖ୍ୟା ଦେଇଛି । ଦଳ ଯେଉଁ ପଦକ ହାତେଇଛି ସେଥବରେ ଅମିତଙ୍କ ଅବଦାନ ଢେର ଅଧିକ ବୋଲି କ୍ରୀଡା ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ପଦକ ନେଇ ସ୍ୱଦେଶ ଫେରିବାପରେ ପ୍ରଥମେ ଦିଲ୍ଲୀରେ ହକି ଖେଳାଳିକୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗତକାଲି ଓଡିଶାର ଖେଳାଳିମାନେ ଫେରିବାପରେ ମଧ୍ୟ ଭୁବନେଶ୍ୱର ବିମାନବନ୍ଦରରେ ସେମାନଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆଜି ଓଡିଶା ସରକାର ସେମାନଙ୍କୁ କଳିଙ୍ଗ ଷ୍ଟାଡିୟମ ଠାରେ ସମ୍ବର୍ଦ୍ଧିତ କରିଛନ୍ତି ।