Home General ସ୍ୱୟଂ ସହାୟିକା ଗୋଷ୍ଠିକୁ ୯୦୦ କୋଟି ସହାୟତା

ସ୍ୱୟଂ ସହାୟିକା ଗୋଷ୍ଠିକୁ ୯୦୦ କୋଟି ସହାୟତା

ଭୁବନେଶ୍ୱର : ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠିଗୁଡିକ ଅନୁଷ୍ଠାନ ବିକାଶ, ଦକ୍ଷତା ବିକାଶ ସହିତ ଜୀବନ ଜୀବିକା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ୯୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ସହାୟତା ଆକାରରେ ପାଇଛନ୍ତି । ଏଥି ସହିତ ସୁଧ ଫେରସ୍ତ ବାବଦରେ ବି ସରକାର ୨ଶହ କୋଟି ଟଙ୍କାରୁ ଅଧିକ ଅର୍ଥ ଯୋଗାଇ ଦେଇଛନ୍ତି ।

ରାଜ୍ୟରେ ଏବେ ୬,୦୨,୦୧୩ ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଥିବାବେଳେ ଏଥିରେ ୭୦ଲକ୍ଷ ମହିଳା ସଦସ୍ୟା କାର୍ଯ୍ୟ କରୁଛନ୍ତି । ଏମାନଙ୍କର ଦକ୍ଷତା ବିକାଶ ଜରିଆରେ ରୋଜଗାରକ୍ଷମ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ଅନୁଷ୍ଠାନ ବିକାଶ ଉପରେ ସର୍ବାଧିକ ଫୋକସ ରହୁଛି । ସେହିଭଳି ମହିଳାଗୋଷ୍ଠି ଗୁଡିକୁ ବ୍ୟାଙ୍କମାନେ ଯୋଗାଉଥିବା ଋଣର ସୁଧ ଅର୍ଥ ବି ରାଜ୍ୟ ସରକାର ବହନ କରୁଛନ୍ତି ।

ସରକାରୀ ସୂଚନା ଅନୁଯାୟୀ ୨୦୨୦-୨୧ ଆର୍ଥିକ ବର୍ଷରେ ସୁଧ ଫେରସ୍ତ ବାବଦରେ ୧୨୫କୋଟି ୫୪ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ରାଜ୍ୟ ସରକାର ଯୋଗାଇଛନ୍ତି । ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ଏହି ପରିମାଣ ୩୪କୋଟି ୫୮ଲକ୍ଷ ଟଙ୍କାକୁ ଟପିଗଲାଣି । ସେହିଭଳି ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ବ୍ଲକ ସ୍ତରୀୟ ମହାସଂଘଗୁଡିକୁ ଆବର୍ତ୍ତନ ପାଣ୍ଠି ଆକାରରେ ୮୪କୋଟି ୫୦ଲକ୍ଷ ଟଙ୍କା ଯୋଗାଇ ଦେଇସାରିଲେଣି ।

ସ୍ୱୟଂ ସହାୟକ ଅନୁଷ୍ଠାନଗୁଡିକର ବିକାଶ, ଦକ୍ଷତା ବୃଦ୍ଧି, ଗୋଷ୍ଠି ବିନିଯୋଗ, ଜୀବନ ଜୀବିକା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ୨୦୨୦-୨୧ ବର୍ଷରେ ୬୫୮କୋଟି ୮୨ଲକ୍ଷ ୫୪ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହି ପରିମାଣ ୨୮୩କୋଟି ୬୯ଲକ୍ଷ ଟଙ୍କାକୁ ଟପିଯାଇଛି ।

ରାଜ୍ୟ ସରକାର ଗତ ଆର୍ଥିକ ବର୍ଷରେ ସୁଧ ଫେରସ୍ତ ବାବଦରେ ୧୨୫କୋଟି ୫୪ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଯୋଗାଇ ଦେଇଥିବାବେଳେ ଏଥିରୁ ସିଂହଭାଗ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍‍ ପାଇଛି । ଏହି ବ୍ୟାଙ୍କ ସୁଧ ଆକାରରେ ସରକାରଙ୍କ ଠାରୁ ୪୭କୋଟି ଟଙ୍କାରୁ ଅଧିକ ପାଇପାରିଛି । ଏହା ପଛକୁ ଭାରତୀୟ ଷ୍ଟେଟବ୍ୟାଙ୍କ୍‍ ଓ ୟୁକୋବ୍ୟାଙ୍କ ଆଦି ରହିଛନ୍ତି । ତେବେ ରାଜ୍ୟରୁ କୋଟି କୋଟି ଟଙ୍କାର ଜମା ସଂଗ୍ରହ କରୁଥିବା ଘରୋଇ ବ୍ୟାଙ୍କ୍‍ଗୁଡିକ ମିଶନଶକ୍ତିକୁ ଋଣ ଦେବାରେ ପଛରେ ପଡିଛନ୍ତି । ଅନେକ ଘରୋଇ ବ୍ୟାଙ୍କ୍‍ ତ ଟଙ୍କାଟିଏ ବି ଋଣ ସହାୟତା ଯୋଗାଇ ନାହାନ୍ତି ।

ତେବେ ସ୍ୱୟଂ ସହାୟକ ଗୋଷ୍ଠିର ଅନୁଷ୍ଠାନ ବିକାଶ, ଜୀବନ ଜୀବିକା ଓ ଦକ୍ଷତା ବୃଦ୍ଧିପାଇଁ ଗତ ଆର୍ôଥକ ବର୍ଷରେ ଯେତିକି ଅର୍ଥ ପ୍ରଦାନ କରାଯାଇଛି ସେଥି ମଧ୍ୟରୁ ସବୁଠାରୁ ଅଧିକ ୪୩,୨୬,୯୭,୭୮୦ ଟଙ୍କା ଗଞ୍ଜାମ ଜିଲ୍ଲାକୁ ଯାଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ସର୍ବାଧିକ ୨୧,୧୮,୭୩,୩୭୯ ଟଙ୍କା ବାଲେଶ୍ୱର ଜିଲ୍ଲାକୁ ପ୍ରଦାନ କରାଯାଇଛି । ବ୍ଲକ ସ୍ତରୀୟ ମହାସଂଘକୁ ମିଳିଥିବା ୮୪କୋଟି ୫୦ଲକ୍ଷ ଟଙ୍କା ମଧ୍ୟରୁ ସର୍ବାଧିକ ୬କୋଟି ୫୦ଲକ୍ଷ ଟଙ୍କା ମୟୁରଭଞ୍ଜ ଜିଲ୍ଲାର ୨୬ଟି ମହାସଂଘକୁ ପ୍ରଦାନ କରାଯାଇଛି । ଏହା ପଛକୁ ଗଞ୍ଜାମ ଜିଲ୍ଲାର ୨୪ଟି ମହାସଂଘ ୬କୋଟି ଟଙ୍କା ନେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । (ତଥ୍ୟ)