Home Administration ସ୍ୱେଚ୍ଛାକୃତ ଅବସର ଦେବାକୁ କୁନ୍ଥୁ କୁନ୍ଥୁ

ସ୍ୱେଚ୍ଛାକୃତ ଅବସର ଦେବାକୁ କୁନ୍ଥୁ କୁନ୍ଥୁ

ଭୁବନେଶ୍ୱର : ଆର୍ଥିକ କଟକଣା ଓ ଅନ୍ୟାନ୍ୟ କାରଣ ଯୋଗୁଁ ବିଭିନ୍ନ ପାହ୍ୟାର ବହୁ ସରକାରୀ ପଦ ପଦବୀରେ ନିଯୁକ୍ତି ଦିଆଯାଇ ପାରୁନଥିବାବେଳେ ରୋଗବ୍ୟାଧି ଓ ଅନ୍ୟାନ୍ୟ ବ୍ୟକ୍ତିଗତ କାରଣରୁ ସରକାରୀ କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଅବସର ଦେବାପାଇଁ କର୍ତ୍ତୃପକ୍ଷ କୁନ୍ଥୁ କୁନ୍ଥୁ ହେଉଛନ୍ତି । ଫଳରେ ସ୍ୱେଚ୍ଛାକୃତ ଅବସର ପାଇବାପାଇଁ ଅନେକ କର୍ମଚାରୀଙ୍କୁ ଆର୍ଥିକ ତଣ୍ଡ ଗଣି ଆଇନ୍‍ ଅଦାଲତର ଦ୍ୱାରସ୍ଥ ହେବାକୁ ପଡୁଛି ।

ଓଡିଶା ସରକାରଙ୍କ ପେନ୍‍ସନ ଆଇନ୍‍ରେ ୪୨ ଧାରାରେ ସ୍ୱେଚ୍ଛାକୃତ ଅବସର ଗ୍ରହଣର ବ୍ୟବସ୍ଥା ରହିଛି । ଜଣେ କର୍ମଚାରୀ ଏଥିପାଇଁ ଆବେଦନ କରିବାର ତିନିମାସ ମଧ୍ୟରେ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବାକଥା । ତେବେ ଯେଉଁ କର୍ମଚାରୀମାନଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କିମ୍ବା ଫୌଜଦାରୀମାମଲା ଆଦି ରହିଥାଏ ସେମାନଙ୍କୁ କର୍ତ୍ତୃପକ୍ଷ ସ୍ୱେଚ୍ଛାକୃତ ଅବସର ଦିଅନ୍ତି ନାହିଁ ।

ସରକାରୀକଳରୁ ଅମଲାତନ୍ତ୍ରର ବୋଝ କମାଇବାପାଇଁ ରାଜ୍ୟ ସରକାର ବି ସ୍ୱେଚ୍ଛାକୃତ ଅବସର ଯୋଜନା ଲାଗୁ କରି ଗୋଟିଏ ସମୟରେ ଏଥିପାଇଁ ଆକର୍ଷଣୀୟ ପ୍ରୋତ୍ସାହନ ଦେଉଥିଲେ । କିନ୍ତୁ ଏବେ ଆଉ ଏଭଳି କିଛି ସୁବିଧା ନାହିଁ । କିନ୍ତୁ ପେନ୍‍ସନ ଆଇନ୍‍ର ୪୨ଧାରା ମୁତାବକ ୨୦ବର୍ଷ ସରକାରୀ ଚାକିରି କରିବାପରେ ଜଣେ ସ୍ୱେଛାକୃତ ଅବସର ନେଇପାରିବେ ଏବଂ ସମ୍ପୃକ୍ତ କର୍ମଚାରୀଙ୍କୁ ଆଇନାନୁଯାୟୀ ଆବଶକୀୟ ଅବସରକାଳୀନ ସୁବିଧା ଦିଆଯିବା କଥା ।

ବିଭିନ୍ନ ରୋଗବ୍ୟାଧି ଭୋଗୁଥିବା କିଛି କର୍ମଚାରୀ ଠିକଣା ଭାବେ ସେମାନଙ୍କ ସରକାରୀ ଦାୟିତ୍ୱ ନିର୍ବାହ କରିପାରୁ ନଥିବାରୁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାକୁ ଚାହିଁବା ସ୍ୱାଭାବିକ । ଏ କ୍ଷେତ୍ରରେ ଏଭଳି କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଅବସର ଦେଇ ସେମାନଙ୍କ ସ୍ଥାନରେ ନୂଆ କର୍ମଚାରୀ ନିଯୁକ୍ତ କରାଗଲେ ସରକାରୀ କାମ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ଦୂର ହୋଇପାରିବ । କିନ୍ତୁ ରୋଗବ୍ୟାଧିରେ ସଢୁଥିବା ଏଭଳି କର୍ମଚାରୀଙ୍କୁ ଦାୟିତ୍ୱମୁକ୍ତ କରିବା ପରିବର୍ତ୍ତେ ସେମାନଙ୍କ ସ୍ୱେଚ୍ଛାକୃତ ଅବସରଗ୍ରହଣ ଆବେଦନକୁ କର୍ମଚାରୀ ସଙ୍କଟ ଆଳରେ ଅନେକ କ୍ଷେତ୍ରରେ ନାକଚ କରିଦିଆଯାଉଛି । ଏହା ଫଳରେ ସ୍ୱାସ୍ଥ୍ୟଗତ କାରଣରୁ ଠିକଣା ଭାବେ ଦାୟିତ୍ୱ ନିର୍ବାହ କରିପାରୁନଥିଲେ ମଧ୍ୟ ସମ୍ପୃକ୍ତ କର୍ମଚାରୀଙ୍କୁ ଏକ ପ୍ରକାର ବିନା କାମରେ ରାଜକୋଷରୁ ବେତନ ଦିଆଯାଉଛି ।

ବିଶେଷକରି ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗର ବିଭିନ୍ନ ନିର୍ଦ୍ଦେଶାଳୟ ଓ କ୍ଷେତ୍ର ଦପ୍ତରମାନଙ୍କରେ କର୍ମଚାରୀ ଅଭାବ ଆଳ ଦେଖାଇ ଆବେଦନପତ୍ରଗୁଡିକୁ ନାକଚ କରାଯାଉଥିବା ଘେନି ଅନେକ ଅଭିଯୋଗ ଆସୁଛି । ଏ କ୍ଷେତ୍ରରେ ସ୍ୱେଚ୍ଛାକୃତ ଅବସର ନେଇନପାରି ହଇରାଣ ହରକତ ହେଉଥିବା ରୋଗଗ୍ରସ୍ତ କର୍ମଚାରୀମାନେ ବୋଝ ଉପରେ ଲଳିତା ବିଡା ଭଳି ମୋଟା ଅଙ୍କର ଅର୍ଥ ଶ୍ରାଦ୍ଧ କରି ଆଇନ୍‍ ଅଦାଲତରେ ମାମଲା ରୁଜୁ କରିବାକୁ ବାଧ୍ୟ ହେଉଛନ୍ତି ଏବଂ ଏଭଳି ମାମଲା ପରିଚାଳନା ପାଇଁ ସରକାରଙ୍କୁ ବିପୁଳ ସମ୍ବଳ ଓ ସମୟ ଅପଚୟ କରିବାକୁ ପଡୁଛି ।

ବିଭିନ୍ନ କର୍ମଚାରୀ ସଂଗଠନର ନେତାମାନେ କହୁଛନ୍ତି ଯେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କିମ୍ବା ଫୌଜଦାରୀମାମଲା ନଥିଲେ କୌଣସି କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ନଦେଇ ଜୋର ଜବରଦସ୍ତ ଚାକିରିରେ ରଖାଯାଇ ପାରିବନାହିଁ । ଏହି ଆଇନ୍‍ଗତ ବ୍ୟବସ୍ଥା କର୍ତ୍ତୃପକ୍ଷଙ୍କୁ ଜଣାଥିଲେ ମଧ୍ୟ ବହୁ କ୍ଷେତ୍ରରେ ମାସ ମାସ ଧରି ଆବେଦନପତ୍ରକୁ ପକାଇ ରଖାଯାଉଛି ଏବଂ ଅନେକ କ୍ଷେତ୍ରରେ କର୍ମଚାରୀ ମରୁଡି କାରଣ ଦର୍ଶାଇ ଏଗୁଡିକ ନାକଚ କରାଯାଉଛି । ଏହା ଆଇନ୍‍ର ପରିପନ୍ଥୀ ବୋଲି ଜାଣି ମଧ୍ୟ ଯେଉଁମାନେ ସ୍ୱେଚ୍ଛାକୃତ ଅବସର କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ସେମାନଙ୍କ ଉପରେ ଆଇନ୍‍ ଅଦାଲତର ଦୃଷ୍ଟାନ୍ତମୂଳକ ଛାଟ ଲାଗିବାର ଆବଶ୍ୟକତା ରହିଥିବା କୁହାଯାଉଛି । (ତଥ୍ୟ)