Home Election ସ୍ୱାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି

ସ୍ୱାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର : ଚଳିତ ନିର୍ବାଚନରେ ଏକାଧିକ ବ୍ୟକ୍ତି ବିଧାନସଭା ନିର୍ବାଚନ ଲଢିବାକୁ ଆଗ୍ରହ ପ୍ରକାଶ କରିବା ସହିତ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ୨୦୧୯ ନିର୍ବାଚନ ତୁଳନାରେ ଏମାନଙ୍କ ସଂଖ୍ୟା ଢେର ବୃଦ୍ଧି ପାଇଛି ।

ଚଳିତ ନିର୍ବାଚନରେ ମୋଟ୍‍ ୧୨୮୫ ଜଣ ପ୍ରାର୍ଥୀ ବିଧାନସଭା ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ୪୨୫ ଜଣ ହେଉଛନ୍ତି ସ୍ୱାଧୀନ ପ୍ରାର୍ଥୀ । ଗତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ୨୯୮ । ପ୍ରାର୍ଥୀମାନଙ୍କ ସତ୍ୟପାଠ ବିଶ୍ଲେଷଣ କରି ଏହି ସୂଚନା ଦେଇଛନ୍ତି ଓଡିଶା ଇଲେକସନ ୱାଚ୍‍ ଓ ଏଡିଆର ।

ଏହି ସୂଚନା ଅନୁଯାୟୀ ଚଳିତ ନିର୍ବାଚନରେ ବିଧାନସଭା ଲଢେଇ ମଇଦାନକୁ ଓହ୍ଲାଇଥିବା ୪୨୫ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ୨୨ ପ୍ରତିଶତ ଅର୍ଥାତ୍‍ ୯୨ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଛି । ଗତ ନିର୍ବାଚନରେ ଏହି ହାର ୨୩ ପ୍ରତିଶତ ରହିଥିଲା । ସେହିଭଳି ଗତ ନିର୍ବାଚନରେ ୪୧ ଜଣ କୋଟିପତି ସ୍ୱାଧୀନ ପ୍ରାର୍ଥୀ ଥିବାବେଳେ ଚଳିତ ନିର୍ବାଚନରେ ୬୮ଜଣ କୋଟିପତି ସ୍ୱାଧୀନ ପ୍ରାର୍ଥୀଭାବେ ବିଧାନସଭା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତେବେ ଚଳିତବର୍ଷ ନିର୍ବାଚନରେ ସବୁଠାରୁ ଅଧିକ କୋଟିପତି ପ୍ରାର୍ଥୀ ବିଜେଡି ଦଳରେ ରହିଛନ୍ତି । ଦଳରୁ ଲଢୁଥିବା ୧୪୭ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୧୨୮ଜଣ ହେଉଛନ୍ତି କୋଟିପତି ।

କେବଳ କୋଟିପତି ପ୍ରାର୍ଥୀ ନୁହନ୍ତି ଚଳିତ ନିର୍ବାଚନରେ ଆଦୌ ପାଠଶାଠ ପଢିନଥିବା ଏବଂ ହାତରେ ପଇସାଟିଏ ନଥିବା ବ୍ୟକ୍ତି ମଧ୍ୟ ନିର୍ବାଚନ ଲଢିବାପାଇଁ ଆଗେଇ ଆସିଛନ୍ତି । ତୃତୀୟ ପର୍ଯ୍ୟାୟରେ ୪୨ଟି ବିଧାନସଭା ଆସନ ପାଇଁ ଲଢୁଥିବା ୩୮୩ ପ୍ରାର୍ଥୀଙ୍କ ମଧ୍ୟରୁ ଦୁଇଜଣ ଆଦୌ ପାଠଶାଠ ପଢିନଥିବା ସେମାନଙ୍କ ସତ୍ୟପାଠରେ ଉଲ୍ଲେଖ କରିଥିଲେ । ଆଉ ଦୁଇଜଣ ସାକ୍ଷର ବୋଲି ମଧ୍ୟ ନିଜକୁ ଦର୍ଶାଇଥିଲେ ।

ଚଳିତ ବିଧାନସଭା ନିର୍ବାଚନରେ ଶହ ଶହ କୋଟିପତି ପ୍ରାର୍ଥୀ ଲଢୁଥିବାବେଳେ ହାତରେ ଟଙ୍କାଟିଏ ନଥିବା ପ୍ରାର୍ଥୀ ମଧ୍ୟ ବିଧାନସଭା ଲଢିବାପାଇଁ ମନ ବଳାଇଛନ୍ତି । ଦୁଇଜଣ ପ୍ରାର୍ଥୀଙ୍କ ସତ୍ୟପାଠରୁ ଏହା ଜଣାଯାଇଛି । ଏହି ଦୁଇଜଣ ହେଲେ ଧାମନଗରରୁ ଲଢୁଥିବା ସ୍ୱାଧୀନ ପ୍ରାର୍ଥୀ ସଞ୍ଜୟ କୁମାର ଦାସ ଏବଂ କୋରେଇ ବିଧାନସଭା ଆସନରୁ ଆମ୍ବେଦକର ପାର୍ଟିରୁ ପ୍ରାର୍ଥୀ ହୋଇଥିବା ଗୋପାଳକୃଷ୍ଣ ମହାନ୍ତି । ଏମାନଙ୍କ ପାଖରେ କୌଣସି ସ୍ଥାବର କିମ୍ବା ଅସ୍ଥାବର ସମ୍ପତ୍ତି ନଥିବା ସେମାନେ ଉଲ୍ଲେଖ କରିଛନ୍ତି ।

ତେବେ ଚଳିତ ନିର୍ବାଚନରେ ବିଧାନସଭା ପାଇଁ ଲଢୁଥିବା ପ୍ରାର୍ଥୀ ମଧ୍ୟରେ ବିଜେପିର ଦିଲ୍ଲୀପ ରାୟ ସବୁଠାରୁ ଧନୀ ହୋଇଥିବାବେଳେ ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବିଜେଡି ପ୍ରାର୍ଥୀ ସନାତନ ମହାକୁଡ । ଦିଲ୍ଲୀପଙ୍କ ସମ୍ପତ୍ତି ପରିମାଣ ୩୦୦ କୋଟି ଟଙ୍କାରୁ ଅଧିକ ହୋଇଥିବାବେଳେ ସନାତନଙ୍କ ସମ୍ପତ୍ତି ପରିମାଣ ୨୦୦ କୋଟି ଟଙ୍କାରୁ ଅଧିକ ହୋଇଛି । ଲୋକସଭା ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିର ସଂତୃପ୍ତ ମିଶ୍ର ସବୁଠୁ ଧନୀ ପ୍ରାର୍ଥୀ । ତାଙ୍କ ସମ୍ପତ୍ତିର ପରିମାଣ ୪୦୦ କୋଟି ଟଙ୍କାରୁ ଅଧିକ ବୋଲି ଦର୍ଶାଯାଇଛି । (ତଥ୍ୟ)