Home Election ସ୍ମିତା ମିଶ୍ର କଳିଙ୍ଗ ସେନାର ମେୟର ପ୍ରାର୍ଥୀ

ସ୍ମିତା ମିଶ୍ର କଳିଙ୍ଗ ସେନାର ମେୟର ପ୍ରାର୍ଥୀ

ଭୁବନେଶ୍ୱର : ଭୁବନେଶ୍ୱର ମେୟର ପଦ ପାଇଁ କଳିଙ୍ଗ ସେନା ଆଜି ତାହାର ପ୍ରାର୍ଥୀ ଘୋଷଣା କରିଛି । ଆଇନ୍‍ ଛାତ୍ରୀ ସ୍ମିତା ମିଶ୍ର ସେନାର ପ୍ରାର୍ଥୀ ଭାବେ ମେୟର ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରିବେ ବୋଲି ସେନା ସୁପ୍ରିମୋ ହେମନ୍ତ ରଥ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛି ।

ସୁଶ୍ରୀ ମିଶ୍ରଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରିବା ସମୟରେ ରଥ କହିଛନ୍ତି ଯେ କଳିଙ୍ଗସେନା ସବୁବେଳେ ପ୍ରାର୍ଥୀ ଚୟନ କ୍ଷେତ୍ରରେ ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦେଇଥାଏ । କାରଣ ଯୁବବର୍ଗ ହିଁ ହେଉଛନ୍ତି ଓଡିଶାର ଭବିଷ୍ୟତ । ତେଣୁ ସେହି ଆଧାରରେ ସୁଶ୍ରୀ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀଭାବେ ଚୟନ କରାଯାଇଛି ।

ସୁଶ୍ରୀ ମିଶ୍ର ଏମ୍‍ବିଏ ପାଠ୍ୟକ୍ରମ ସାରିବା ପରେ ଏବେ ଆଇନ୍‍ ଡ୍ରିଗୀ ପାଇଁ ଅଧ୍ୟୟନରତା । ଏହି ଉଚ୍ଚ ଶିକ୍ଷିତା ଛାତ୍ରୀଜଣଙ୍କୁ ରାଜଧାନୀର ସବୁ ବର୍ଗଙ୍କର ପସନ୍ଦ ହେବେ ବୋଲି ସେ ଆଶା କରିଛନ୍ତି । କଳୁଷିତ ରାଜନୀତିରୁ ଦୂରରେ ରହି ରାଜଧାନୀବାସୀଙ୍କ ସେବା ପାଇଁ ସେ ମନ ବଳାଇବା ପରେ କଳିଙ୍ଗସେନା ତାଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ସ୍ଥିର କରିଛି ।

ମେୟର ପଦବୀ ପାଇଁ ନାମ ଘୋଷଣା ପରେ ପରେ ଖୁବ୍‍ଶୀଘ୍ର ବିଭିନ୍ନ ୱାର୍ଡରେ କର୍ପୋରେଟର ପଦବୀ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି । ଏଥିପାଇଁ ଏକାଧିକ ଆବେଦନପତ୍ର ଆସିଥିବାବେଳେ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସହିତ ଉଚ୍ଚ ଶିକ୍ଷିତ ଯୁବବର୍ଗଙ୍କ ଉପରେ ଗୁରୁତ୍ୱ ଦିଆଯାଉଛି । ରାଜଧାନୀବାସୀଙ୍କ ଆଶା ଓ ଆଙ୍କାକ୍ଷା ପୂରଣ ପାଇଁ ଉଚ୍ଚଶିକ୍ଷିତ ଯୁବବର୍ଗଙ୍କର ଆବଶ୍ୟତା ଥିବାରୁ କଳିଙ୍ଗସେନା ଏଥିପ୍ରତି ବେଶ୍‍ ସଚେତନ ଥିବା ଶ୍ରୀ ରଥ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମେୟର ପ୍ରାର୍ଥୀନୀ ସ୍ମିତା ମିଶ୍ରଙ୍କ ସମେତ ଅନ୍ୟ ଦଳୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।