Home General ସ୍ମାର୍ଟସିଟି ରାସ୍ତା ଲୋକଙ୍କୁ ଅଡୁଆ

ସ୍ମାର୍ଟସିଟି ରାସ୍ତା ଲୋକଙ୍କୁ ଅଡୁଆ

ଭୁବନେଶ୍ୱର : ରାଜଧାନୀବାସୀଙ୍କୁ ଏବେ ସ୍ମାର୍ଟସିଟି ରାସ୍ତା ଅଡୁଆ ହୋଇଛି । ବ୍ୟବସାୟ ପ୍ରତିଷ୍ଠାନ ସମ୍ମୁଖରେ ଥିବା ରାସ୍ତାରେ ଟାଇଲ ବିଛାଇ ତାହାକୁ ସଙ୍କୁଚିତ କରିଦେବା ଯୋଗୁଁ ଲୋକେ ଗାଡିମୋଟର ରଖିବା ତ ଦୂରରକଥା ଛିଡା ହେବାକୁ ସ୍ଥାନଟିକେ ପାଉ ନାହାନ୍ତି ।

ଭୁବନେଶ୍ୱର ସ୍ମାର୍ଟସିଟି କର୍ତ୍ତୃପକ୍ଷ ଶିଶୁଭବନ ଠାରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାର ଦୁଇପଟେ ସୌନ୍ଦର୍ଯ୍ୟକରଣ କରୁଛନ୍ତି । ଅଧିକାଂଶ ସ୍ଥାନରେ ପିଚୁ ରାସ୍ତାକୁ ତାଡି ତାହା ଉପରେ ଟାଇଲ ବିଛାଉଥିବାରୁ ସଡକ ସଙ୍କୁଚିତ ହୋଇଯାଇଛି । ମଝିରେ ମଝିରେ କିଛି ସ୍ଥାନ ପାର୍କିଂ ପାଇଁ ଛଡାଯାଇଛି । ଶ୍ରୀୟା ଛକରୁ ଶିଶୁଭବନ ପର୍ଯ୍ୟନ୍ତ ଏକାଧିକ ବ୍ୟବସାୟ ପ୍ରତିଷ୍ଠାନ ରହିଥିବା ପାଶ୍ୱର୍ରେ ଏହି ସମସ୍ୟା ଅତ୍ୟନ୍ତ ଉତ୍କଟ । ଏଠାକୁ କିଣାକିଣି ପାଇଁ ଯାଉଥିବା ଲୋକେ ଗାଡି ଟିକେ ରଖିବାକୁ ସ୍ଥାନ ପାଉନାହାନ୍ତି । ରାସ୍ତାର ଅନ୍ୟ ପାଶ୍ୱର୍ରେ ଗାଡି ରଖି ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ରାସ୍ତା ପାର ହେଉଛନ୍ତି ।

ବ୍ୟବସାୟ ପ୍ରତିଷ୍ଠାନ ସମ୍ମୁଖରେ ଟାଇଲ ବିଛାକୁ ବିରୋଧ କରି କେତେକ ବ୍ୟବସାୟ ପ୍ରତିଷ୍ଠାନ ଲିଖିତ ଭାବେ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଅତି କମ୍‍ରେ ବ୍ୟବସାୟ ପ୍ରତିଷ୍ଠାନ ସମ୍ମୁଖରେ ପାର୍କିଂ ସ୍ଥାନ ଛାଡିବାପାଇଁ ଅନୁରୋଧ କରିଥିଲେ । ହେଲେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ତାହା ଶୁଣିଲେ ନାହିଁ । ଏବେ ଟାଇଲ ବିଛା ହୋଇଥିବା ସ୍ଥାନରେ କେବଳ କୁକୁର ଶୋଇବା ସାର ହେଉଛି । ଲୋକେ ସ୍ଥାନ ଟିକେ ନପାଇ ନିଜ ନିଜ ଗାଡିମୋଟରକୁ ଏଣେ ତେଣେ ରଖି ଦୋକାନକୁ ଯିବାକୁ ବାଧ୍ୟ ହେଉଛନ୍ତି ।

ଟାଇଲ ବିଛାଇବା ପରେ ପାର୍କିଂ ପାଇଁ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଯେତିକି ସ୍ଥାନ ଛାଡିଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ଭଳି । ଏହିସ୍ଥାନରେ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଓ କର୍ମଚାରୀମାନେ ସକାଳୁ ରାତି ପର୍ଯ୍ୟନ୍ତ ନିଜ ନିଜର ଗାଡି ରଖିଦେଉଛନ୍ତି । ତେଣୁ ଗ୍ରାହକମାନେ କେଉଁଠି ଗାଡି ରଖି ସାମଗ୍ରୀ କିଣିବାକୁ ଯିବେ ତାହା ଜାଣିପାରୁ ନାହାନ୍ତି । କିଏ ଗଳିକନ୍ଦିରେ ଗାଡି ରଖୁଛି ତ ଆଉ କିଏ ରାସ୍ତାଉପରେ ଗାଡି ରଖିବାକୁ ବାଧ୍ୟ ହେଉଛି । କେତେକ ଲୋକେ ତ ଅଧାକିଲୋମିଟର ଦୂରରେ ଗାଡି ରଖି ଚାଲି ଚାଲି ଆସିବାକୁ ବାଧ୍ୟ ହେଉଛନ୍ତି ।

ଶିଶୁଭବନ ଛକର ଶ୍ରୀୟା ଛକ ପର୍ଯ୍ୟନ୍ତ ପାର୍କିଂ ସମସ୍ୟା ଦିନକୁ ଦିନ ଉତ୍କଟ ହେଉଥିବାବେଳେ ଏହାର ସମାଧାନ କରିବା ବଦଳରେ ବିଏମସି କର୍ତ୍ତୃପକ୍ଷ ପାର୍କିଂ ଫି ଆଦାୟ ଉପରେ ଗୁରୁତ୍ୱ ଦେଉଛନ୍ତି । ତେଣୁ ରାଜପଥର ଏହି ଗୋଟିଏ ପାଶ୍ୱର୍ ଏବେ ଏକ ପ୍ରକାର ମରଣଯନ୍ତା ପାଲଟିଛି । ପୂଜା ବଜାରରେ ଅପରାହ୍ନରୁ ଏହି ସଡକରେ ଏଭଳି ଟ୍ରାଫିକ ଭିଡ ହେଉଛି ଯେ ଗାଡିମୋଟରରେ ଯିବା ସମ୍ଭବ ହେଉନାହିଁ । ଭିଡରେ ସନ୍ତୁଳି ହେଉଥିବା ଲୋକେ ସ୍ମାର୍ଟସିଟିର ସୌନ୍ଦର୍ଯ୍ୟକରଣରୁ ମନଇଚ୍ଛା ଗାଳି ଦେଉଥିବା ଲକ୍ଷ୍ୟ କରାଯାଇଛି । (ତଥ୍ୟ)