Home Infrastructure ସ୍ମାର୍ଟସିଟି କାର୍ଯ୍ୟ ତ୍ୱରାନ୍ୱିତ କର

ସ୍ମାର୍ଟସିଟି କାର୍ଯ୍ୟ ତ୍ୱରାନ୍ୱିତ କର

ଭୁବନେଶ୍ୱର : ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟସିଟିରେ ଚାଲିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଏଥିପାଇଁ ବଜେଟ୍‍ରେ ଅର୍ଥ ବ୍ୟବସ୍ଥା ଲାଗି ଗୃହ ଓ ନଗର ଉନ୍ନୟନ ବିଭାଗର ଷ୍ଟାଣ୍ଡିଂ କମିଟି ପରାମର୍ଶ ଦେଇଛି ।

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ତାଙ୍କ ସୁପାରିଶରେ କହିଛନ୍ତି ଯେ ୨୦୨୧-୨୨ ବର୍ଷ ବଜେଟ୍‍ରେ ପ୍ରଶାସନିକ ଖର୍ଚ୍ଚ ବୃଦ୍ଧି ପାଇଥିବା ବେଳେ ଯୋଜନା ବ୍ୟୟ ଗତ ଦୁଇଟି ଆର୍ଥିକ ବର୍ଷ ତୁଳନାରେ ହ୍ରାସ ପାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ରାଜ୍ୟର ଜିଏସ୍‍ଡିପି ବୃଦ୍ଧି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବ୍ୟାପକ ସହରୀକରଣ ଯୋଗୁ ସହରାଞ୍ଚଳରେ ଅହେତୁକ ଭାବେ ଜନସଂଖ୍ୟା ବଢ଼ୁଛି । ତେଣୁ ରାଜ୍ୟ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ଲାଗି ବଜେଟ୍‍ରେ ଅର୍ଥ ବ୍ୟବସ୍ଥା କରିବାକୁ କମିଟି କହିଛି ।

ଏଥିସହିତ ବିଭିନ୍ନ ପୌରାଞ୍ଚଳରେ ଷ୍ଟ୍ରୀଟ୍‍ ଲାଇଟ୍‍ ଲଗାଇଥିବା କମ୍ପାନୀଗୁଡ଼ିକ ଏହାର ଯେଭଳି ଠିକଣା ରକ୍ଷଣାବେକ୍ଷଣ କରିବେ ଓ ବିଭିନ୍ନ ଋତୁରେ ଏହା ଯେଭଳି ଠିକ୍‍ ସମୟରେ ଜଳିବ ସେଥିପାଇଁ ସେନ୍‍ସର୍‍ ଲଗାଇବାକୁ କମିଟି ପରାମର୍ଶ ଦେଇଛି ।

ଏଥିସହିତ ଭୁବନେଶ୍ୱର, କଟକ, ସମ୍ବଲପୁର ଓ ରାଉରକେଲାରେ ଚଳାଯାଉଥିବା ସମନ୍ୱିତ ସ୍ୱେରେଜ ପ୍ରକଳ୍ପ କାର୍ଯ୍ୟ ଯେଭଳି ଠିକଣା ସମୟରେ ସରିବ ସେ ଦିଗରେ ପଦକ୍ଷେପ ନେବାକୁ କମିଟି କହିଛି । ସହରାଞ୍ଚଳରେ ଜରୁରୀ ସ୍ଥିତିରେ ଜଳଯୋଗାଣ ପାଇଁ ଥିବା ଟ୍ୟୁବ୍‍ୱେଲଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଲାଗି କମିଟି ମତ ଦେଇଛନ୍ତି ।

ଭୁବନେଶ୍ୱର ମହାନଗର ନିଗମରେ ଯେଭଳି ମେସିନ ସାହାଯ୍ୟରେ ସଫେଇ ଚାଲିଛି ଅନୁରୂପ ଭାବେ ସମସ୍ତ ମହାନଗର ନିଗମରେ ବ୍ୟବସ୍ଥା କରିବାକୁ କମିଟି କହିଛନ୍ତି । ବାରିପଦାରେ ଚାଳିଥିବା ଜଳଯୋଗାଣ ପ୍ରକଳ୍ପକୁ ଚଳିତବର୍ଷ ଜୁନ୍‍ ସୁଦ୍ଧା ସାରିବାକୁ କମିଟି କହିଥିବା ବେଳେ ବିକଳ୍ପ ପାନୀୟଜଳ ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଛନ୍ତି । ଏଥିସହିତ ପାନୀୟଜଳ ଆବଶ୍ୟକତା ମେଣ୍ଟାଇବା ଲାଗି ଧାର୍ଯ୍ୟ ସମୟ ମଧ୍ୟରେ ବସ୍‍ଷ୍ଟାଣ୍ଡ, ରେଳଷ୍ଟେସନ ଓ ମନ୍ଦିର ଆଖପାଖରେ ଥିବା ଟ୍ୟୁବୱେଲଗୁଡ଼ିକୁ ମରାମତି ଲାଗି କୁହାଯାଇଛି ।

ଉନ୍ନତି ଯୋଜନାରେ ସ୍ମାର୍ଟ ପାର୍କ ପ୍ରତିଷ୍ଠା ପାଇଁ ଥିବା ପାଣ୍ଠିକୁ ଯେତେଶୀଘ୍ର ସମ୍ଭବ ବ୍ୟବହାର ଲାଗି କମିଟି କହିଛି । ଏଥିପାଇଁ ବିଭିନ୍ନ ପୌରାଞ୍ଚଳରେ ଚାଲିଥିବା କାର୍ଯ୍ୟକୁ ତୁରନ୍ତ ସାରିବା ସହିତ ନୂଆ ପ୍ରକଳ୍ପ ହାତକୁ ନେବାକୁ କୁହାଯାଇଛି । ସେହିଭଳି ସହରାଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକର ରକ୍ଷଣାବେକ୍ଷଣ ଲାଗି ପାଣ୍ଠି ଯୋଗାଇଦେବାକୁ କହିଛନ୍ତି ।

ଭୁବନେଶ୍ୱର ସହରକୁ ସହସ୍ରାବ୍ଦୀ ସହର ଭାବରେ ଘୋଷଣା କରାଯାଇଥିବାରୁ ଏଠାରେ ରହିଥିବା ଶତପ୍ରତିଶତ ଘରକୁ ଜଳ ଯେଗାଇଦେବାକୁ ଥିବା ବେଳେ ଏବେ ବି କିଛି ଅଞ୍ଚଳ ଏଥିରୁ ବାଦ୍‍ ପଡ଼ିଛି । ବାଦ୍‍ ପଡ଼ିଥିବାର ପରିବାରଗୁଡ଼ିକୁ ତୁରନ୍ତ ଜଳ ସଂଯୋଗ ଦେବା ପାଇଁ କମିଟି ପରାମର୍ଶ ଦେଇଛନ୍ତି ।