Home Education ସ୍ମାର୍ଟସିଟିରେ ସାମୁହିକ ପାଠାଗାର

ସ୍ମାର୍ଟସିଟିରେ ସାମୁହିକ ପାଠାଗାର

ଭୁବନେଶ୍ୱର : ସାମୁହିକ ପାଠାଗାର ଏବଂ ବହି ପଢାର ଅଭ୍ୟାସକୁ ପ୍ରୋତ୍ସାହନ ଦେବାପାଇଁ ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼ର ମିଳିତ ପ୍ରୟାସରେ ସ୍ଥାପନ ହୋଇଛି ଏକ ସାମୁହିକ ପାଠାଗାର । ସହିଦନଗର ସ୍ଥିତ ଇଂଟିଗ୍ରେଟେଡ଼୍ ପବ୍ଲିକ୍ ସର୍ଭିସ୍ ସେଂଟର (ଆଇପିଏସସି) ଠାରେ ଏହି ପାଠାଗାର ସ୍ଥାପନ କରାଯାଇଅଛି ।

ବର୍ତମାନ ପ୍ରାରମ୍ଭିକ ଅବସ୍ଥାରେ ୨୦ ଗୋଟି ଖବରକାଗଜ, ୧୫ ଗୋଟି ପତ୍ରପତ୍ରିକାରୁ ଆରମ୍ଭ ହୋଇଛି ଏହି ପାଠାଗାର । ଏହା ସାଙ୍ଗକୁ ଓଡ଼ିଆ ଏବଂ ଇଂରାଜୀ ଭାଷାର ବିଭିନ୍ନ ବହି, ବିଭିନ୍ନ ପ୍ରତିଯୋଗିତା ଲାଗି ପ୍ରସ୍ତୁତ ହେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ବିଭିନ୍ନ ପତ୍ରିକା ଏବଂ ବହି, ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟରକ୍ଷା, ଇତିହାସ, ସମକାଳୀନ ଭାରତୀୟ ସାହିତ୍ୟ, ବିବିଧ ଧର୍ମତତ୍ୱ ସାଙ୍ଗକୁ ଗୀତ କବିତା ଇତ୍ୟାଦିର ବିବିଧ ପୁସ୍ତକ ଏହିଠାରେ ଗଚ୍ଛିତ ଅଛି । ଏହା ସାଙ୍ଗକୁ ପାଠଗାର ପାଇଁ ଅଧିକରୁ ଅଧିକ ପାଠ୍ୟ ସମ୍ବଳ ଯୋଗାଡ଼ କରିବାର ପ୍ରୟାସ ଜାରି ରହିଛି ।

ଏହି ସ୍ଥାନରେ ପାଠାଗାରଟି ଖୋଲାଯିବା ହେତୁ ସ୍ଥାନୀୟ ବାସିନ୍ଦା, ବରିଷ୍ଠ ନାଗରିକ ଏବଂ ବିବିଧ ନିଯୁକ୍ତି ପରୀକ୍ଷା ଦେଉଥିବା ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ତଥା ନିକଟରେ ଥିବା ବସ୍ତିର ଆଗ୍ରହୀ ପାଠକ ପାଠିକା ମାନଙ୍କ ପାଇଁ ଏହା ଏକ ସମ୍ବଳ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ବର୍ତମାନ ପରିପ୍ରେକ୍ଷୀରେ ପାଠାଗାରଟି ଦିନ ୧୦ ଘଟିକାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଖୋଲା ରହିବା ବ୍ୟବସ୍ଥା ଥିବାବେଳେ ଆଗାମୀ ଦିନ ମାନଙ୍କରେ ଏହା ଦୁଇବେଳା ଖୋଲାରହିବ ଯାହାକି ପୂର୍ବାହ୍ନ ସହିତ ଅପରାହ୍ନ ୪ ଘଟିକା ଠାରୁ ସଂଧ୍ୟା ୭ ଘଟିକା ପର୍ଯ୍ୟନ୍ତ ।

ପାଠାଗାର ସାଧାରଣତଃ କ୍ରମବର୍ଦ୍ଧନଶୀଳ, ତେଣୁ ଏପରି ପଦକ୍ଷେପ ବର୍ତମାନ ପାଇଁ ଉପାଦେୟ ହୋଇଥିବାରୁ ସହରାଂଚଳ କର୍ତୃପକ୍ଷଙ୍କ ତରଫରୁ ନାଗରିକ ସହଯୋଗ ଆଶା କରାଯାଉଅଛି । ବିଏମସି କମିଶନର ତଥା ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼୍ ର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରେମଚନ୍ଦ୍ର ଚୌଧୁରୀ ବାପୁଜୀନଗର ସ୍ଥିତ ଆଇପିଏସସି ରେ ଏହିପରି ଏକ ପାଠାଗାର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ।